ରଥଯାତ୍ରାରେ ମଠ ମାନଙ୍କର ଭୂମିକା ରହିଥାଏ କ’ଣ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ ।

10

ପ୍ରାଚୀନ କାଳରୁ ଚାଲି ଆସୁଥିବା ଘୋଷଯାତ୍ରାର ପରମ୍ପରା ନୀତି ନିୟମ ସର୍ବଦା ଅନନ୍ୟ ଗାଥା ବଖାଣିଥାଏ । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଯୋଗସୂତ୍ର ପାଲଟିଥିବା ରଥଯାତ୍ରାକୁ ସୁଫଳଭାବେ ସମାପନ କରିବା ପାଇଁ ସମସ୍ତେ ଲାଗିପଡିଥାନ୍ତି । ହେଲେ ରୀତିନୀତି ଓ ଯାନିଯାତ୍ରା ଆଦି ସହିତ ମଠମାନଙ୍କର ସମ୍ପର୍କ ବହୁପ୍ରାଚୀନ କାଳରୁ ରହି ଆସିିଛି । ବର୍ତ୍ତମାନ ସେହି ପରମ୍ପକରା କେତେକାଂଶରେ ଲୋପ ପାଇଯାଇଥିଲେ ମଧ୍ୟ କେତେକ ରୀତିନୀତି, ବେଶ, ଯାନିଯାତ୍ରା ସହ ନିର୍ଦ୍ଦିଷ୍ଟ ମଠ ମାନଙ୍କର ସମ୍ପର୍କ ଏବେ ବି ଅକ୍ଷୂର୍ଣ୍ଣ ରହିଛି ।

ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ସମ୍ପ୍ରଦାୟର ମଠମାନଙ୍କ ସହିତ ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାର ସେବା ସମ୍ପର୍କ ରହିଛି । ଯେଉଁଥି ପାଇଁ ବହୁ ବଦାନ୍ୟ ବ୍ୟକ୍ତିବିଶେଷ ମଠ ମାରଫତରେ ହଜାର ହଜାର ଏକର ଭୂ-ସମ୍ପତି ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ସେବାବିଧାନର ସୁପରିଚାଳନା ନିମନ୍ତେ ଖଞ୍ଜିଥିଲେ । ମୁଖ୍ୟତଃ ଶ୍ରୀବିଗ୍ରହମାନଙ୍କ ଅମୃତ ମାଣୋହି ଭୋଗ ଠାରୁ ଆରମ୍ଭ କରି ବିଭିନ୍ନ ବେଶ ଓ ନୀତି ଯଥା, ହାତୀବେଶ, ପଦ୍ମବେଶ, ନବାଙ୍କ ବେଶ ଭଳି ସମୟରେ ପଦକ, ଜମ୍ବୁରା, ତ୍ରିମୁଣ୍ଡି ଚାନ୍ଦୁଆ, କନକ ମୁଣ୍ଡି, ମରାମତି କରିବା ସହ ରତ୍ନ ସିଂହାସନ ମାର୍ଜନା କରିବା, ଅଣସର ତାଟି ଓ ଚକଟା ଭୋଗ ଯୋଗାଇଦେବା, ମଶାଲ ଜାଳିବା, ଠାକୁରଙ୍କ ପହଣ୍ଡି ବିଜେ ସମୟରେ ସୋଲ, ବାଉଁଶ ପାତିଆ , ଫୁଲ ଓ ତୁଳସୀ ଦ୍ୱାରା ନିର୍ମିତ ଟାହିଆ ପଠାଇବା ଭଳି ଅନେକ ପାରମ୍ପାରିକ ସେବା ରହିଥିଲା । ଏପରକିି ସମ୍ପୃକ୍ତ ମଠର ମହନ୍ତମାନଙ୍କୁ ତକ୍ରାଳୀନ ରାଜା ମହାରାଜାମାନେ ଶ୍ରୀମନ୍ଦିରରେ ସରଘର, ରୋଷରେ ଚୁଲା ଇତ୍ୟାଦି ପ୍ରଦାନ କରିଥିବାର ବହୁଳ ପ୍ରମାଣ ରହିଛି । ତେବେ ବର୍ତ୍ତମାନ ସମୟରେ ରଥଯାତ୍ରା ଓ ବାହୁଡାରେ କେତେକ ନିର୍ଦ୍ଦିଷ୍ଟ ମଠମାନଙ୍କର ସେବା ଓ ଦ୍ରବ୍ୟ ଯୋଗାଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଛନ୍ତି ।

ବିଭିନ୍ନ ମଠର ଭୂମିକା କ’ଣ?

ରାଘବ ଦାସ ମଠ: ରଥଯାତ୍ରାର ଆରମ୍ଭ ପୂର୍ବରୁ ଶ୍ରୀମନ୍ଦିରର ଅଣସର ପିଣ୍ଡିରେ ଗୋଟିଏ କାଠ ନିର୍ମିତ କନକ ମୁଣ୍ଡି ଓ ପ୍ରଭା ଏହି ମଠ ଦ୍ୱାରା ଯୋଗାଇ ଦିଆଯାଇଥାଏ । ଅଣସର ବିଧି ସମୟରେ ରାଘବ ଦାସ ମଠ ଠାକୁରଙ୍କ ଉଦ୍ଦେଶ୍ୟରେ ପଣା ଓ ଚକଟା ଭୋଗ ଏବଂ ଖଞ୍ଜା ମୁତାବକ ସାତ ସେର ରାଶି ତେଲ ମଧ୍ୟ ଯୋଗାଇଥାନ୍ତି । ଖଳଲାଗି ଏକାଦଶୀ ଦିନ ଶ୍ରୀବିଗ୍ରହଙ୍କ ସର୍ବାଙ୍ଗ ନିମନ୍ତେ ୭ କିଲୋ ଚନ୍ଦନ କାଠ, କପୂର ଓ କେଶର ଭିତରେ ପନ୍ତି ଭୋଗ ମଠ ତରଫରୁ ପରସା ଯାଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଠାକୁରମାନଙ୍କ ନିମନ୍ତେ ହାତ ତନ୍ତ ବୁଣା ଲୁଗା ଏକ ଗଜ ଓସାର, ଷୋହଳ ହାତ ଲମ୍ବର ୨୪ଟି ଏବଂ ୨୧ ହାତ ଲମ୍ବ ୨ଟି ବନ୍ଧା ଯାଇଥାଏ । ଏପ୍ରରିପକ୍ଷେ ୨୭ ଗୋଟି ଗଡ଼ା ଲୁଗା ଶ୍ରୀମନ୍ଦିରସ୍ଥ ଗାରଦ ଠାରେ ଉକ୍ତ ମଠ ଦାଖଲ କରିଥାନ୍ତି । ଶ୍ରୀଗୁଣ୍ଡିଚା ପୂର୍ବଦିନ ମଠ ତରଫରୁ ଜଗନ୍ନାଥ ଓ ବଳଭଦ୍ରଙ୍କ ପହଣ୍ଡି ପାଇଁ ଦୁଇଟି ବିଜେ ତୂଳୀ , ୪ଟି ସ୍ୱତନ୍ତ୍ର ଟାହିଆ, ବିଭିନ୍ନ ପୁଷ୍ପ ଇତ୍ୟାଦି ଦେଇଥାନ୍ତି ରାଘବ ଦାସ ମଠ ।

ଗୋବର୍ଦ୍ଧନ ମଠ: ରଥଯାତ୍ରା ଦିନ ଶ୍ରୀମନ୍ଦିରର ବାଇଶି ପାହାଚ ସଂଲଗ୍ନ କାଶୀ ବିଶ୍ୱନାଥ ମନ୍ଦିର ନିକଟସ୍ଥ ମଠର ଏକ ସରଘର ଠାରେ ଗୋବର୍ଦ୍ଧନ ମଠ ପକ୍ଷରୁ ଶ୍ରୀବିଗ୍ରହମାନଙ୍କ ପହଣ୍ଡି ସମୟରେ ପନ୍ତି ଭୋଗ ହୋଇଥାଏ । ସେହିପରି ଗୁଣ୍ଡିଚା ମନ୍ଦିର ଓ ବହାୁଡା ପହଣ୍ଡି ସମୟରେ ତିନି ଠାକୁରଙ୍କୁ ପନ୍ତି ଭୋଗ କରାଯାଇଥାଏ । ଏହାସହ ରଥାରୁଢ଼ ହେବାପରେ ମଠର ପୀଠଧୀଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପରମ୍ପରା ଅନୁଯାୟୀ ରଥ ଉପରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିଥାନ୍ତି ।

ଗୋପାଳ ତୀର୍ଥ ମଠ: ଶ୍ରୀଗୁଣ୍ଡିଚା ଦିନ ସକାଳ ଧୂପରେ ମଠର ଖେଚୁଡି ଭୋଗ ହୋଇଥାଏ । ରଥ ଉପରେ ଠାକୁର ବିରାଜିତ ହେବା ପରେ ବାଲିଆ ମୌଜାରୁ ଆସିଥିବା ତୁଳସୀ ଚୂଳ ମାସ ଇତ୍ୟାଦି ଶ୍ରୀବିଗ୍ରହମାନଙ୍କୁ ଲାଗିଥାଏ । ତେବେ ଗୁଣ୍ଡିଚା ମନ୍ଦିରରେ ଉକ୍ତ ୯ ଦିନ ନିମନ୍ତେ ଅସ୍ଥାୟୀ ଚାଳି ଘର ମଠ ଦ୍ୱାରା ତିଆରି କରାଯାଇଥାଏ । ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଠାକୁରମାନଙ୍କ ପ୍ରସିଦ୍ଧ ସୁନାବେଶ ଅବକାଶରେ ମଠ ପକ୍ଷରୁ ପୁରି, ସୋଲା ଓ ମହନଭୋଗ ଇତ୍ୟାଦି ଭୋଗ ହୋଇଥାଏ ।

ଜଗନ୍ନାଥ ବଲ୍ଲଭ ମଠ: ରଥଯାତ୍ରା ଓ ଗୁଣ୍ଡିଚା ଯାତ୍ରା ସମୟରେ ଜଗନ୍ନାଥ ବଲ୍ଲଭ ମଠ ତରଫରୁ ବିଭିନ୍ନ ସ୍ଥାନରେ ସର୍ବମୋଟ ୨୩ ଗୋଟି ପନ୍ତି ଭୋଗ ହୋଇଥାଏ । ସେଥିମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଶ୍ରୀମନ୍ଦିର ଭିତରେ ୪ଟି, ରଥ ଚାଲିବା ସମୟରେ ମଠର ବିଜେସ୍ଥଳୀଠାରେ ୩ଟି, ଠାକୁରମାନେ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବା ସମୟରେ ୪ଟି, ହେରାପଞ୍ଚମୀ ଦିନ ଗୋଟିଏ, ବାହୁଡା ଯାତ୍ରାଦିନ ମଠ ବିଜେସ୍ଥଳୀ ଠାରେ ୩ଟି ଓ ନିଳାଦ୍ରୀବିଜେ ଦିନ ୪ଟି ପନ୍ତି ଭୋଗ ଶ୍ରୀମନ୍ଦି ପରିସରରେ ଠାକୁରଙ୍କ ଲାଗି ମଠ ତରଫରୁ ପଠାଯାଇଥାଏ ।

ଜଟିଆ ବାବାଜୀ ମଠ: ପ୍ରତ୍ୟେକ ବର୍ଷ ଶ୍ରୀମନ୍ଦିର କାର୍ଯ୍ୟାଳୟ ତରଫରୁ ବାରାଣସୀସ୍ଥିତ ଶ୍ରୀବିଜୟକୃଷ୍ଣ ମଠର ସଭାପତିଙ୍କ ନିକଟକୁ ଠାକୁରମାନଙ୍କ ପହଣ୍ଡି ନୀତି ପାଇଁ ୪ଟି ବିଜେ ଡୋରି ଯୋଗାଇବା ପାଇଁ ପତ୍ର ଲେଖାଯାଏ । ଉକ୍ତ ମଠ ମଧ୍ୟରୁ ପୁରୀ ଜଟିଆ ବାବାଜୀ ମଠ ଜରିଆରେ ୨ଟି ବିଜେ ଡୋରି ପ୍ରତିବର୍ଷ ରଥଯାତ୍ରା ପୂର୍ବରୁ ପ୍ରଦାନ କରିଥାନ୍ତି ।

ବଡ଼ ଓଡିଆ ମଠ: ରାଘବ ଦାସ ମଠ ଭଳି ବଡ଼ ଓଡିଆ ମଠ ଘୋଷଯାତ୍ରାରେ ପ୍ରତ୍ୟକ୍ଷ ଭାବେ ଜଡିତ ରହିଥାନ୍ତି । ଅଣସର ବିଧି ସମୟରେ ବଡ଼ ଓଡିଆ ମଠ ତରଫରୁ ଚକଟା ଭୋଗ ଓ ଅଣସର ପଞ୍ଚମୀ ବା ଫୁଲୁରି ଲାଗି ଦୁଇଟି ଗୁଡୁଆରେ ୫ ସେର ରାଶି ତେଲ ଯୋଗାଯାଇଥାଏ । ବିଶେଷ କରି ନେତ୍ର ଉତ୍ସବ ଦିନ ବଡ଼ ଓଡିଆ ମଠ ଅଧିକାରୀଙ୍କ ଶାଢ଼ୀ ବନ୍ଧାଲାଗି ମନ୍ଦିର ପ୍ରଶାସନ ତରଫରୁ ପ୍ରଦାନ କରାଯାଇଥାଏ । ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥ ଉପରେ ଅନୁଷ୍ଠିତ ହେଉଥିବା ଅଧରପଣା ସାମଗ୍ରୀ ବଡ଼ ଓଡିଆ ମଠ ଯୋଗାଇଦେଇଥାନ୍ତି ।

ଛାଉଣୀ ମଠ: ରଥଯାତ୍ରା ଦିନ ଶ୍ରମନ୍ଦିରର ବଣିଆ ସେବକମାନଙ୍କ ଘରୁ ସୋଲ ଚିତା ଅଣାଯାଇ ଏହି ମଠର ବିଜେସ୍ଥଳୀ ଠାରେ ରଖାଯାଇଥାଏ । ତିନି ଠାକୁର ରଥାରୁଢ଼ ହେବାପରେ ଏହି ସୋଲ ଚିତା ଶ୍ରୀବିଗ୍ରହମାନଙ୍କ ମସ୍ତକରେ ଲଗାଯାଇଥାଏ ।

ଶ୍ରୀରାମ ଦାସ ମଠ (ଦକ୍ଷିଣ ପାଶ୍ୱର୍): ଶ୍ରୀଗୁଣ୍ଡିଚା ଯାତ୍ରା, ଓ ନୀଳାଦ୍ରି ବିଜେ ଦିନ ଏହି ମଠ ତରଫରୁ ଶ୍ରୀବିଗ୍ରହମାନଙ୍କ ପହଣ୍ଡି ତଥା ରଥ ଚାଲିବା ସମୟରେ ପନ୍ତି ଭୋଗ ହୋଇଥାଏ । ଏହି ମଠ ତରଫରୁ ଗୁଣ୍ଡିଚାଘର ଠାରେ ପନ୍ତି ଚାଳି ନିର୍ମାଣ କରାଯାଇଥାଏ । ରଥଯାତ୍ରାରେ ଉକ୍ତ ମଠର ମହନ୍ତ ଚାମର ଓ ଆଲଟ ସେବା କରିବାର ଅଧିକାର ରହିଛି ।

ଏମାର ମଠ: ପ୍ରସିଦ୍ଧ ରଥଯାତ୍ରାରେ ଏମାର ମଠ ତରଫରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା, ଆଡପ ବିଜେ, ହେରା ପଞ୍ଚମୀ, ନିଳାଦ୍ରି ବିଜେ ଦିନମାନଙ୍କରେ ପନ୍ତି ଭୋଗ କରାଯାଇଥାଏ । ଅଣସର ସମୟରେ ମଠ ପକ୍ଷରୁ ଚକଟା ଭୋଗ କରାଯାଏ । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ମଠକୁ ଗୁଣ୍ଡିଚା ମନ୍ଦିରରେ ସାମୟିକ ଭାବେ ପନ୍ତି ଚାଳି ନିର୍ମାଣ କରିବାର ଅନୁମତି ଦିଆଯାଇଥାଏ ।

ନେବଳ ଦାସ ମଠ: ଏହି ମଠ ଗୁଣ୍ଡିଚା ଘରେ ପନ୍ତି ଚାଳି କରିବା ପାଇଁ ଶ୍ରୀମନ୍ଦିରରୁ ଅନୁମତି ପାଇଥାନ୍ତି । ଗୁଣ୍ଡିଚା ଯାତ୍ରା ପରଦିନ ଅର୍ଥାତ ଆଡପ ବିଜେ ଦିନ ଏହିଠାରେ ମଠ ତରଫରୁ ଭୋଗ ହୋଇଥାଏ ।

Comments are closed.