ସୁରୁଖୁରୁରେ ସମ୍ପର୍ଣ୍ଣ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା : ରଥଯାତ୍ରା ପାଇଁ ୩ ବରିଷ୍ଠ ଓଏଏସଙ୍କୁ ଦାୟିତ୍ୱ

247

କନକ ବ୍ୟୁରୋ : ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପରିଚାଳନା ନେଇ ପୁରୀ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ପାଇଁ ୩ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ହେଉଛନ୍ତି ବୌଦ୍ଧର ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର କୁମାର ପଟ୍ଟନାୟକ, ଢେଙ୍କାନାଳ ଏଡିଏମ୍ ଅବନୀକାନ୍ତ ପଟ୍ଟନାୟକ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଶୁଭକାନ୍ତ ମହାପାତ୍ର । ପ୍ରଥମ ପର୍ୟ୍ୟାୟରେ ଆସନ୍ତା ୧୨ ରୁ ୧୫ ତାରିଖ ପର୍ୟ୍ୟନ୍ତ ଏବଂ ଦ୍ୱିତୀୟ ପର୍ୟ୍ୟାୟରେ ୨୦ରୁ ୨୩ ତାରିଖ ପର୍ୟ୍ୟନ୍ତ ସେମାନେ ପୁରୀରେ ଦାୟିତ୍ୱ ନିର୍ବାହ କରିବେ । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି ।

niladribije

ସେପଟେ ଆଜି ପୁରୀରେ ଆସି ପହଞ୍ଚିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଆସନ୍ତାକାଲି ସେ ପୁରୀ ଗୋବର୍ଦ୍ଧନ ପୀଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟପାଳ ମଠକୁ ଆସି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବେ । ବଦ୍ରିନାଥ ଗସ୍ତରେ ଥିବା ଶଙ୍କରାଚାର୍ଯ୍ୟ ଆସନ୍ତାକାଲି ପୁରୀରେ ପହଞ୍ଚିବା ପରେ ରାଜ୍ୟପାଳଙ୍କ ସହିତ ସାକ୍ଷାତ ଆଲୋଚନା କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିବା ଶଙ୍କରାଚାର୍ଯ୍ୟଙ୍କ ମୁଖପାତ୍ର ମନୋଜ କୁମାର ରଥ ସୂଚନା ଦେଇଛନ୍ତି । ଆସନ୍ତାକାଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟପାଳ ଆଜିଠାରୁ ପୁରୀ ରାଜଭବନରେ ରଥଯାତ୍ରା ପର୍ଯ୍ୟନ୍ତ ରହିବେ । ତେବେ ରାଷ୍ଟ୍ରପତି କୋବିନ୍ଦଙ୍କ ଗସ୍ତ ପୂର୍ବରୁ ଯେଉଁ ରାଜଭବନକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା ସେହି ରାଜଭବନରେ ରାଜ୍ୟପାଳ କିପରି ରହିବେ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଲାଣି ।