ହାଇକୋର୍ଟରେ ରଥଯାତ୍ରାର ସିଧା ପ୍ରସାରଣ ପ୍ରସଙ୍ଗ । ରୁଜୁ ହେଲା ଜନସ୍ୱାର୍ଥ ମାମଲା, ସେପଟେ ପ୍ରସାରଣ ଅଧିକାର ପାଇଁ ଟେଣ୍ଡର ପକାଇଲେ ଟିଭି ଚ୍ୟାନେଲ୍ ।
କନକ ବ୍ୟୁରୋ : ରଥଯାତ୍ରାର ସିଧା ପ୍ରସାରଣ ଅଧିକାର ବିକ୍ରି ପାଇଁ, ମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥିବା ନିଲାମ ନୋଟିସ ମାମଲା, ଏବେ ହାଇକୋର୍ଟରେ ପହଁଚିଛି । ପ୍ରସନ୍ନ କୁମାର ଦାସ ନାମକ ଜଣେ ବ୍ୟକ୍ତି, ଏକ ଜନସ୍ୱାର୍ଥ ମାମଲା ରୁଜୁ କରି, ନିଲାମ ଆଦେଶ ରଦ୍ଦ କରିବାକୁ ଆବେଦନ କରିଛନ୍ତି । ଏଥର ଆଶ୍ଚର୍ଯ୍ୟ ଜନକ ଭାବେ ମନ୍ଦିର ପ୍ରଶାସନ, ରଥଯାତ୍ରାର ସିଧା ପ୍ରସାରଣ ଅଧିକାରକୁ ନିଲାମ କରିବା ପାଇଁ ଅଂଟା ଭିଡିଥିଲା । ଏଥିପାଇଁ ନିଲାମ ନୋଟିସ ମଧ୍ୟ ଜାରି କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ନିଲାମ ନୋଟିସରେ କୁହାଯାଇଛି, ଏହି ଅଧିକାର, ଗୋଟିଏ ଟିଭି ଚ୍ୟାନେଲକୁ ଦିଆଯିବ ଏବଂ ସେ ହିଁ କେବଳ, ରଥଯାତ୍ରାର ସିଧା ପ୍ରସାରଣ କରିପାରିବ । ବଡଦାଣ୍ଡ ପରି ଏକ ସର୍ବସାଧାରଣ ସ୍ଥାନରେ କିପରି କେବଳ ଜଣିଏ ମାତ୍ର ଏହାର ସିଧା ପ୍ରସାରଣ କରିବ, ତାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ବେଳେ, ଆଜି ହାଇକୋର୍ଟରେ ଏହି ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ସେପଟେ ଟିଭି ଚ୍ୟାନେଲ ଗୁଡିକ ମନ୍ଦିର ପ୍ରଶାସନ ନିକଟରେ ସିଧାପ୍ରସାରଣ ଅଧିକାର ପାଇଁ ବିଡ୍ କରିଛନ୍ତି ।
ଆଉ ଏହାରି ଭିତରେ ପ୍ରଶ୍ନ ଉଠୁଛି, ରଥଯାତ୍ରାର ସିଧାପ୍ରସାରଣ ଦେଖିପାରିବେ ତ’ ଦର୍ଶକ ? ଟିଭିରେ ରଥଯାତ୍ରା ଦେଖିବାରୁ ବଂଚିତ ହେବେ କି ଶ୍ରଦ୍ଧାଳୁ ? ଶ୍ରୀଜିଉଙ୍କ ରଥଯାତ୍ରା ଦେଖିବା ପାଇଁ ଟିଭି ଉପରେ ନିର୍ଭର କରୁଥିବା ଦର୍ଶକଙ୍କ ଭିତରେ ଏବେ ଏମିତି ଅନେକ ପ୍ରଶ୍ନ । କାରଣ ଏଥର ରଥଯାତ୍ରାର ପ୍ରସାରଣ ଅଧିକାର, ନିଲାମ୍ ଜରିଆରେ କରିବା ପାଇଁ ଏକ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ବିଭିନ୍ନ ଚ୍ୟାନେଲଗୁଡ଼ିକ ପକ୍ଷରୁ ଆବେଦନ କରାଯାଇଛି ।
ସୂଚନା ଅନୁସାରେ ରାଜ୍ୟର ପ୍ରମୁଖ ଟିଭି ଚ୍ୟାନେଲ୍ ସମେତ ଜାତୀୟ ଏବଂ ଆର୍ନ୍ତଜାତୀୟ ସ୍ତରର କିଛି ଟିଭି ଚ୍ୟାନେଲ ଏହି ବିଡିଂ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ତେବେ କାହାକୁ ମିଳିବ ରଥଯାତ୍ରାର ପ୍ରସାରଣ ଅଧିକାର, ଟେଣ୍ଡର ଖୋଲିଲେ ଜଣାପଡିବ । ଅବଶ୍ୟ ଚୁଡାନ୍ତ ନିଷ୍ପତି ଶ୍ରୀମନ୍ଦିର ପ୍ରଶାସନ ହିଁ ନେବ ।
କାହାକୁ ମିଳିବି ଟିଭି ପ୍ରସାରଣ ଅଧିକାର ? କେଉଁ ଚ୍ୟାନେଲରେ ହେବ ରଥଯାତ୍ରା ପ୍ରସାରଣ ? ବଡ କଥା ହେଉଛି ବଡ଼ଦାଣ୍ଡରେ, ଖୋଲା ଆକାଶ ତଳେ ଅନୁଷ୍ଠିତ ହେଉଥିବା ଏତେ ବଡ ରଥଯାତ୍ରାର ପ୍ରସାରଣ ଉପରେ କେମିତି ଅଂକୁଶ ଲଗାଯାଇପାରିବ ତାକୁ ନେଇ ଯେତିକି ଚର୍ଚ୍ଚା ହେଉଛି ତା’ରୁ ଅଧିକ ଚର୍ଚ୍ଚା ହେଉଛି ଅଚାନକ୍ ଶ୍ରୀମନ୍ଦିର ପ୍ରଶାସନକୁ ଏଭଳି ଏକ ଚିନ୍ତା ଆସିଲା କାହିଁକି ?
ହେଲେ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ସଂସ୍କୃତି ଗବେଶଷକ ନରେଶ ଚନ୍ଦ୍ର ଦାସ କହିଛନ୍ତି, ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଏହା ବାଧା ସୃଷ୍ଟି କରିବ । ଅନ୍ୟପକ୍ଷରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି କଂଗ୍ରେସ ବିଧାୟକ । ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଠାକୁର ବଡ଼ଦାଣ୍ଡକୁ ଚାଲି ଆସୁଥିବା ବେଳେ ସେହି ବଡ଼ ଠାକୁରଙ୍କୁ ଟିଭିରେ ଦେଖୁଥିବା ଦର୍ଶକଙ୍କୁ ନିରାଶ କଲା ଭଳି ଏକ କଟକଣା ଲଗାଇବାକୁ ଶ୍ରୀମନ୍ଦିର ପ୍ରଶାସନ କିପରି ଚିନ୍ତା କଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।