ଘୁଂଚିଲା ରଥଯାତ୍ରାର ଶେଷ ସମନ୍ୱୟ କମିଟି ବୈଠକ : ମୁଖ୍ୟମନ୍ତ୍ରୀଙ୍କୁ ସେବାୟତ ସମ୍ମିଳନୀର ବିରୋଧ ପରେ ନିଆଗଲା ନିଷ୍ପତି, ଆସନ୍ତାକାଲି ପରିବର୍ତ୍ତେ ୬ରେ ବସିବ ବୈଠକ

24

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁୁ ସେବାୟତଙ୍କ ବିରୋଧ ନେଇ ପୋଷ୍ଟର ପରେ ଘୁଂଚିଲା ରଥଯାତ୍ରାର ଶେଷ ସମନ୍ୱୟ କମିଟି ବୈଠକ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ସମନ୍ୱୟ ବୈଠକକୁ ୬ ତାରିଖ ପର୍ଯ୍ୟନ୍ତ ଘୁଂଚାଇ ଦିଆଯାଇଛି । ଜଗନ୍ନାଥ ସେବାୟତ ସମ୍ମିଳନୀର ବିରୋଧ ପରେ ଏହି ନିଷ୍ପତି ହୋଇଛି । ଶ୍ରୀମନ୍ଦିର କାନ୍ଥରେ ପୋଷ୍ଟର ମରା ଘଟଣା ପରେ ବଦଳିଲା ନିଷ୍ପତି । ସେପଟେ ଅସନ୍ତୁଷ୍ଟ ସେବାୟତଙ୍କୁ ମନାଇବାକୁ ଉଦ୍ୟମ କରୁଛି ପ୍ରଶାସନ ।

ସୁଚନା ମୁତାବକ ନିଳାଦ୍ରୀବିଜେ ବିବାଦ ଠାରୁ ଆରମ୍ଭ କରି ମହାମହିମ ରାଷ୍ଟପତିଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ଜିଲ୍ଲାପାଳ ବାରମ୍ବାର ସେବାୟତଙ୍କ ଉପରେ ମିଥ୍ୟା ଅପବାଦ ଲଗାଉଥିବା ଅଭିଯୋଗ କରିଛନ୍ତି । ଏବଂ ଜିଲ୍ଲାପାଳଙ୍କ ଏଭଳି ଦମନମୂଳକ ମିଥ୍ୟା ଅପବାଦ ସେବାୟତ ସମାଜ ବିରୋଧି ମନୋଭାବ ବୟାନ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁଥିବା ଶେଷ ରଥ ସମନ୍ୱୟ ବୈଠକକୁ ବର୍ଜନ କରିବାକୁ ଚେତାବନୀ ଦିଆଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଥିଲା। ଶ୍ରୀମନ୍ଦିରର ସମସ୍ତ ସ୍ୱାଭିମାନୀ ସେବାୟତ ଭାଇ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁଥିବା ବୈଠକକୁ ବର୍ଜନ କରିବାକୁ ଆହ୍ୱାନ ଦେଇଛି ସେବାୟତ ସମ୍ମିଳନୀ ।

ଏଠି ପ୍ରଶ୍ନ ଉଠୁଛି କାହିଁକି ଶ୍ରୀମନ୍ଦିର ପ୍ରତ୍ୟେକ ନିତି ନିର୍ଘଣ୍ଟ, ପର୍ବ ପର୍ବାଣୀକୁ ନେଇ ବଢ଼ୁଛି ବିବାଦ? ପ୍ରକୃତରେ ଦୋଷୀ କିଏ, କାହା ପାଇଁ ଦିନକୁ ଦିନ ପୃଥିବୀର ଚତୁର୍ଥ ଧାମ ମଧ୍ୟରୁ ସର୍ବତ୍ତୋମ ଧାମ କୁହାଯାଉଥିବା ଶ୍ରୀକ୍ଷେତ୍ରକୁ ନେଇ ବଢ଼ୁଛି ବିବାଦ, କେବେ ପଡିବ ଏହା ଉପରେ ପୂର୍ଣ୍ଣ ଛେଦ । ଏ ସବୁ ପ୍ରଶ୍ନ ଏବେ ଜଗନ୍ନାଥପ୍ରେମୀଙ୍କ ମନକୁ ଆନ୍ଦୋଳିତ କରିବାରେ ଲାଗିଛି ।