ଆଜି ବାହୁଡିବେ ମହାପ୍ରଭୁ : ଜନ୍ମବେଦୀରେ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡିଯିବେ ଶ୍ରୀଜିଉ, ଜାଣନ୍ତୁ କେତେବେଳେ ହେବ ପହଁଣ୍ଡି ଓ ଶ୍ରୀବିଗ୍ରହଙ୍କ ରଥ ଟଣା

179

କନକ ବ୍ୟୁରୋ: ନବଦିନାତ୍ମକ ଯାତ୍ରା ସାରି ଆଜି ବାହୁଡିବେ ଚତୁର୍ଦ୍ଧାମୂରତି । ପରମ୍ପରା ଅନୁଯାୟୀ ସମସ୍ତ ନୀତି ଶେଷ ପରେ ପୁନର୍ବାର ରଥରେ ବସି ତିନି ଠାକୁର ରତ୍ନବେଦୀକୁ ଫେରିବେ । ଶ୍ରୀମନ୍ଦିର ପ୍ରଶାସନ ଏଥିପାଇଁ ସ୍ୱତନ୍ତ୍ର ନୀତି ନିର୍ଘଂଟ କରିଛନ୍ତି । ଆଜି ମଧାହ୍ନ ୧୨ଟାରେ ଶ୍ରୀଜୀଉଙ୍କ ବାହୁଡା ପହଁଣ୍ଡି ଆରମ୍ଭ ହେବ । ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ ।

ତେବେ ରବିବାର ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ରଥଟଣାରେ ଏହା ପ୍ରତିବନ୍ଧକ ସାଜିପାରେ । ସେପଟେ ଗତକାଲି ପୁରୀରେ ସବୁଠୁ ବେଶୀ ବର୍ଷା ହୋଇଛି । ଆଜି ମଧ୍ୟ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେଣୁ ଲଗାଣ ବର୍ଷାରେ ବାହୁଡା ଯାତ୍ରା କେମିତି ହେବ ସେଥିପାଇଁ ଚିନ୍ତା ବଢ଼ିଯାଇଛି । ଗତକାଲି ବର୍ଷାରେ ରଥ ଚକ ବୁଡିଯାଇଥିଲା । ପ୍ରଶାସନ ପକ୍ଷରୁ ପମ୍ପ ସହାୟତାରେ ପାଣି କଢ଼ାଯାଇଥିଲା ।

ନୀର୍ଘଣ୍ଟ ନୀତି ଅନୁଯାୟୀ, ଗତକାଲି ରାତି ସାଢ଼େ ୨ରୁ ସାଢ଼େ ୩ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ କୁସୁମିଲାଗି ନୀତି ପରେ ଆଜି ଭୋରରେ ବାହୁଡ଼ା ଯାତ୍ରା ନୀତି ଆରମ୍ଭ ହୋଇଛି। ଭୋର ୪ଟାରେ ମଙ୍ଗଳ ଆଳତି, ୪ଟା ୧୫ରେ ମଇଲମ, ସାଢ଼େ ୪ଟାରେ ତଡ଼ପଲାଗି ଓ ରୋଷହୋମ, ସକାଳ ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟପୂଜା, ସାଢ଼େ ୫ଟାରେ ଦ୍ଵାରପାଳ ପୂଜା ଓ ବେଶ ଶେଷ, ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳ ଧୂପ (ଖେଚୁଡ଼ି ଭୋଗ), ସକାଳ ୭ଟାରୁ ପୂର୍ବାହ୍ଣ ୧୧ଟା ସେନାପଟା ଲାଗି, ୧୧ଟା୪୫ରେ ମଙ୍ଗଳାର୍ପଣ ନୀତି ଶେଷ ହେବ। ପରେ ମଧ୍ୟାହ୍ନରେ ବାହୁଡ଼ା ପହଣ୍ଡି ଶେଷ ହେବ।

ଚତୁର୍ଦ୍ଧା ମୂର୍ତି ଧାଡ଼ି ପହଣ୍ଡିରେ ତିନି ରଥକୁ ବିଜେ କରିବେ। ପ୍ରଥମେ ଶ୍ରୀସୁଦର୍ଶନ ଏବଂ ପରେ ବଡ଼ଠାକୁର ବଳଭଦ୍ର, ମା ସୁଭଦ୍ରା ଓ ଶ୍ରୀଜଗନ୍ନାଥ ରଥ ଉପରେ ବିଜେ କରିବେ। ପରେ ଗଜପତି ମହାରାଜ ତିନି ରଥରେ ଛେରାପହଁରା ନୀତି ସଂପନ୍ନ କରିବେ। ଅପରାହ୍ଣ ୩ରୁ ୪ଟା ଚାରମାଳ ଫିଟା ଓ ଘୋଡ଼ାଲାଗି ନୀତି ଶେଷ ହେବ। ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ତିନି ରଥ ଶ୍ରୀମନ୍ଦିର ସିଂହଦ୍ଵାରଠାରେ ପହଞ୍ଚିବା ପରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।