ଜନତାଙ୍କୁ କନ୍ଦାଉଛି ତେଲ ଦର! ୧୨ ଦିନରେ ବଢିଲାଣି ୩ ଟଙ୍କା ୨୦ ପଇସା । ଆଗକୁ କମିିବ ନା ବଢିବ? ଜାଣିବା ପାଇଁ ପଢନ୍ତୁ ପୁରା ରିପୋର୍ଟ ।

35

ରାଜଧାନୀ ଦିଲ୍ଲୀରେ ବିଗତ ୧୨ ଦିନ ଭିତରେ ପେଟ୍ରୋଲର ଲିଟର ପିଛା ଦର ୩ ଟଙ୍କା ୨୦ ପଇସା ବଢ଼ିଛି। ସେହି ସମୟରେ ଡିଜେଲ ୨ ଟଙ୍କା ୮୨ ପଇସା ମହଙ୍ଗା ହୋଇଛି। କର୍ଣ୍ଣାଟକ ନିର୍ବାଚନ ଫଳ ପ୍ରକାଶ ପାଇବା ଦିନଠାରୁ ତେଲ ଦରରେ ବୃଦ୍ଧିର ଯେଉଁ ଧାରା ଆରମ୍ଭ ହୋଇଥିଲା ତାହା ୧୨ତମ ଦିନରେ ମଧ୍ୟ ଅବ୍ୟାହତ ରହିଛି। ମୁମ୍ବାଇରେ ପେଟ୍ରୋଲ୍ ଦର ୮୫ ଟଙ୍କା ୬୫ ପଇସା ହୋଇଯାଇଥିବା ବେଳେ କୋଲକାତାରେ ୮୦ ଟଙ୍କା ୪୭ ପଇସା ଓ ଚେନ୍ନାଇରେ ୮୦ ଟଙ୍କା ୮୦ ପଇସା ହୋଇଯାଇଛି। ଦିଲ୍ଲୀରେ ପେଟ୍ରୋଲ ଦର ୭୭ ଟଙ୍କା ୮୩ ପଇସା ଓ ଡିଜେଲ ୬୮ ଟଙ୍କା ୭୫ ପଇସା ହୋଇଯାଇଛି। ସେହିପରି ଦେଶର ତିନି ମେଟ୍ରୋ ସହର କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ଡିଜେଲର ଲିଟର ପିଛା ଦର ଯଥାକ୍ରମେ ୭୧ ଟଙ୍କା ୩୦ ପଇସା, ୭୩ ଟଙ୍କା ୨୦ ପଇସା ଓ ୭୨ ଟଙ୍କା ୫୮ ପଇସା ହୋଇଯାଇଛି। ତେଲ ଦର ବଢ଼ି ଚାଲିଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ବିରୋଧୀ ଦଳଗୁଡ଼ିକ ତେଲ ଦରକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ତେଲକୁ ନେଇ ସରକାର ପ୍ରବଳ ଚାପରେ ଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ନକରିବା ବଜାର ବିଶେଷଜ୍ଞଙ୍କୁ ଚକିତ କରିଛି।ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ତେଲ ଦର ଉପରେ ଲଗାମ କଷିବା ପାଇଁ କଣ କରିହେବ ତାହା ଉପରେ ଆମେ ବିଚାର କରୁଛୁ। ଖୁବଶୀଘ୍ର କିଛି ପଦକ୍ଷେପ ଗ୍ରହଣ କରିବୁ। କେଉଁ ଉପାୟରେ ତେଲ ଦର କମ୍ କରିବେ ତାହା ଏପର୍ୟ୍ୟନ୍ତ ସ୍ଥିର କରିପାରିନାହାନ୍ତି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୮୦ ଡଲାର ପାଖାପାଖି ରହିବା ଓ ଏକ ଡଲାର କିଣିବାକୁ ୬୮ ଟଙ୍କାରୁ ଅଧିକ ଗଣିବାକୁ ପଡୁଥିବାରୁ ସ୍ଥାନୀୟ ବଜାରରେ ତେଲ ଦର ମହଙ୍ଗା ହେଉଛି। ବିଶ୍ୱରେ ଦେଖାଦେଇଥିବା ଭୌଗୋଳିକ ଓ ରାଜନୈତିକ ଉତ୍ତେଜନା କମିଲେ ଅଶୋଧିତ ତେଲ ଦର ଶସ୍ତା ହୋଇଯିବ ବୋଲି ସରକାର ଆଶା ରଖିଛନ୍ତି। ଏହା ବ୍ୟତୀତ ଆମେରିକାର ସେଲ୍ ଗ୍ୟାସ୍ କିଣିବା ଉପରେ ମଧ୍ୟ ସରକାର ବିଚାର କରୁଛନ୍ତି। ତେଲ ଦର ନିର୍ଧାରଣ କରିବା ପାଇଁ କଂପାନିଗୁଡ଼ିକୁ ଦିଆଯାଇଥିବା ସ୍ୱାଧୀନତା ଉପରେ ସରକାର ହସ୍ତକ୍ଷେପ କରିବାକୁ ଚାହୁନାହାନ୍ତି। ଯଦି ସେଭଳି ପଦକ୍ଷେପ ନେବେ ତେବେ ନିବେଶକମାନଙ୍କ ମନୋବଳ ଭାଙ୍ଗିଯିବ। ଏହି ସରକାର ସଂସ୍କାରଠାରୁ ଦୂରେଇ ଯାଉଛି ବୋଲି ଏକ ବାର୍ତା ବିଶ୍ୱରେ ପ୍ରଚାରିତ ହୋଇଯିବ। ଏଭଳି ହେଉ ବୋଲି ସରକାର ଚାହିଁବେ ନାହିଁ। ଓଏନ୍ଜିସି ଭଳି ବଡ଼ ତେଲ କଂପାନିଗୁଡ଼ିକ ଉପରେ ସ୍ୱତନ୍ତ୍ର ଟିକସ ବସାଇବାକୁ ସରକାର ଯୋଜନା ରଖିଛନ୍ତି। କିନ୍ତୁ ଏ ବିଷୟରେ କୌଣସି ନିଷ୍ପତ୍ତି ନେଇପାରୁନାହାନ୍ତି।ଶସ୍ତା ଅଶୋଧିତ ତୈଳକୁ ଅପେକ୍ଷା :
ତେଲ ଦରକୁ ନେଇ ସାରା ଦେଶର ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ନେଇ ବଜାର ବିଶେଷଜ୍ଞମାନେ ଆଶ୍ଚର୍ୟ୍ୟ ପ୍ରକଟ କରିଛନ୍ତି। ସ୍ଥିତିର ଅନୁଧ୍ୟାନ କରି ସେମାନେ କହିଛନ୍ତି ଯେ ଯାହା ଜଣାପଡୁଛି ସରକାର ଅଶୋଧିତ ତେଲ ଦର କେବେ ଶସ୍ତା ହେବ ସେହି ଦିନକୁ ଚାହିଁ ରହିଛନ୍ତି। ଅଶୋଧିତ ତେଲ ଦର ୮୦ ଡଲାର ତଳକୁ ଖସିଯାଇଥିବାରୁ ସରକାରଙ୍କୁ କିଛିଟା ବଳ ମିଳିଛି। ଆଗାମୀ ଦିନରେ ଏହି ଦର ଆହୁରି କମ୍ ହୋଇପାରେ ବୋଲି ସରକାର ଭାବୁଛନ୍ତି। ଅଶୋଧିତ ତୈଳ ଦର ଯଦି ଲଗାତାର ଭାବେ ହ୍ରାସ ପାଇବ ତେବେ ସ୍ଥାନୀୟ ବଜାରରେ ପେଟ୍ରୋଲ୍ ଓ ଡିଜେଲ ଦର କମ୍ ହେବାର ସମ୍ଭାବନା ସୃଷ୍ଟି ହେବ।