ରସଗୋଲା ଓଡିଶାର : ମିଳିଲା ପ୍ରମାଣ

71

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରସଗୋଲା ଓଡିଶାର । ପଂଚଶଖା ଯୁଗର କାଳଜୟୀ ସୃଷ୍ଟିରୁ ମିଳିଲା ପ୍ରମାଣ । ଦାଣ୍ଡି ରାମାୟଣରେ ରସଗୋଲା ଶବ୍ଦର ଉଲ୍ଲେଖ ଥିବା ଦାବି କରିଛନ୍ତି ବିିଶେଷଜ୍ଞ । ରସଗୋଲାର ପ୍ରମାଣ ଖୋଜିବାରେ ସରକାର ହାତ ଟେକି ଦେଇଥିବା ବେଳେ ବିଶେଷଜ୍ଞଙ୍କ ଏହି ତଥ୍ୟ ସଂଗ୍ରହ, ରାଜ୍ୟବାସୀଙ୍କ ମନରେ ଜିଆଇ ଟ୍ୟାଗ୍ ନେଇ ନୂଆ ଆଶା ସଂଚାର କରିଛି ।

ଦାଣ୍ଡି ରାମାୟଣର ପୃଷ୍ଟା ନମ୍ବର ୭୪, ୭୫, ୭୬ ଏବଂ ୭୭ରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ସଂପର୍କରେ ଆଲୋଚନା ରହିଛି । ଭରଦ୍ୱାଜ ଆଶ୍ରମରେ ଭରତଙ୍କୁ ଋଷିମାନେ ଅଭ୍ୟର୍ଥନା ଦେବା ସମୟରେ ଏହି ବ୍ୟଞ୍ଜନ ସବୁ ପରଷି ଦେଇଥିଲେ । ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି ପଶ୍ଚିମବଂଗରେ ରସଗୋଲା ମିଳିବାର ପ୍ରାୟ ୩ଶହ ବର୍ଷରୁ ପୂର୍ବରୁ ଓଡିଶାରେ ଥିଲା ରସଗୋଲା । ଏଠି ବର୍ଣ୍ଣିତ ବ୍ୟଞ୍ଜନ ଓଡିଶାର ଘରେ ଘରେ ପ୍ରଚଳିତ ବୋଲି ବିଶେଷଜ୍ଞ ଦାବି କରିଛନ୍ତି ।

ରସଗୋଲା ଉପରେ ନିଜ ହକ୍ ଜାରି କରିବାକୁ ଗତ କିଛି ମାସ ଧରି ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଶୀତଳ ଯୁଦ୍ଧ ଜାରି ରହିଛି । ଗୋଟିଏ ପରେ ପଡୋଶୀ ରାଜ୍ୟ ରସଗୋଲାକୁ ନେଇ ଜିଆଇ ଟ୍ୟାଗ ହାସଲ କରିବାକୁ ସରକାରୀ ସ୍ତରରେ ସମସ୍ତ କାର୍ଯ୍ୟ ସାରିଦେଇଛି । ଅପରପକ୍ଷରେ ଓଡିଶାର ବିଶେଷଜ୍ଞମାନେ ସାମ୍ନାକୁ ଆଣିଛନ୍ତି ନୂଆ ତଥ୍ୟ । ଯାହା ଓଡ଼ିଶା ପାଇଁ ଜିଆଇ ଷ୍ଟାଟସ୍ ପଂଜୀକରଣ ଦିଗରେ ସହାୟକ ହେବ ।