ରସଗୋଲାର ଜିଆଇ ଆବେଦନ ପାଇଁ ଏତେ ବିଳମ୍ବ କାହିଁକି ? ଲଢ଼େଇ ପର୍ଯ୍ୟନ୍ତ କାହିଁକି ଗଲା କଥା, ସରକାରଙ୍କ ଅବହେଳା କୁହାଯିବ ନା ଦୂରଦୃଷ୍ଟିହୀନତା !

98

ରସଗୋଲା ସହ ଜଡ଼ିତ ଅଛି ଓଡ଼ିଶାବାସୀଙ୍କ ସ୍ୱାଭିମାନ ଓ ଭାବାବେଗ । ରସଗୋଲା ଓଡ଼ିଶାର । ଆମେ ଓଡ଼ି଼ିଶାବାସୀ ଦାବି କରୁଛୁ ରସଗୋଲା ଆମର । କିନ୍ତୁ ପ୍ରଶ୍ନ ଉଠୁଛି, ଆଜିଯାଏ ରସଗୋଲା କେବଳ ଓଡ଼ିଶାର ବୋଲି ଜିଆଇ ମାନ୍ୟତା ପାଇନି କାହିଁକି ? ଆଉ ରସଗୋଲା ନେଇ ପଶ୍ଚିମବଙ୍ଗ ସହ ବିବାଦ ପରେ ହିଁ କାହିଁକି ସରକାର ଏନେଇ ଚିନ୍ତା କରୁଛନ୍ତି । ଆଗରୁ କେଉଁଠି ଶୋଇଥିଲେ ସରକାର । ଏହା ସରକାରଙ୍କ ଅବହେଳା କୁହାଯିବ ନା ଦୂରଦୃଷ୍ଟିହୀନତା କୁହାଯିବ । ପଶ୍ଚିମବଙ୍ଗ ସହ ରସଗୋଲା ଲଢେଇ ଥିଲା ସ୍ୱାଭିମାନର ଲଢେଇ । ଏହି ଲଢ଼େଇ ଥିଲା ଓଡ଼ିଶାବାସୀଙ୍କ ଆବେଗ ଓ ସ୍ୱାଭିମାନର, କିନ୍ତୁ ଆମ ସରକାର ଏହାକୁ ଅତି ହାଲୁକା ଭାବେ ନେଇଥିବା ପ୍ରମାଣିତ କଲେ । ରସଗୋଲା କେବଳ ଆମର ଆମର କହି ଚିତ୍କାର କଲେ କିଛି ଲାଭ ହୁଏନି ।

rasogollaଏଇଠି ଚିନ୍ତା କରିବା ଜରୁରୀ ରସଗୋଲାକୁ ଜିଆଇ ମାନ୍ୟତା ମିଳୁ ବୋଲି ରାଜ୍ୟ ସରକାର କେତେ ଚେଷ୍ଟା କରିଛନ୍ତି । ରସଗୋଲାର ଉତ୍ପତି ବିଷୟରେ ଜାଣିବା ପାଇଁ କମିଟି ପରେ କମିଟି ଗଠନ କରିଦେଲେ ସରକାର । କିନ୍ତୁ ଏତେ କମିଟି ଗଠନ କରି ଲାଭ କ’ଣ ହେଲା । କମିଟି ଗଠନ କରି ରସଗୋଲା ଆମର ହୋଇଗଲା ବୋଲି ଅଚିନ୍ତା ନିଦରେ ଶୋଇଗଲେ ସରକାର । ରସଗୋଲା ଆମର କହି କହି ଆମେ ଅଚିନ୍ତାରେ ବସିଛୁ, କିନ୍ତୁ ଠିକ ସମୟରେ ରସଗୋଲା ଛଡ଼ାଇ ନେଇଗଲେ ଦିଦି । ରସଗୋଲା ଯୁୁଦ୍ଧରେ ‘ବାଙ୍ଗଲା ରସଗୋଲା’କୁ ମିଳିଲା ଭୌଗୋଳିକ ଉତ୍ପତ୍ତି (ଜିଆଇ) ମାନ୍ୟତା । ଏପରି ହେବାଦ୍ୱାରା ଓଡ଼଼ିଶାବାସୀଙ୍କ ମନରେ ଶକ୍ତ ଆଘାତ ଦେଇଛି । ଆଉ ଏବେ ପ୍ରଶ୍ନ ଉଠୁଛି ଓଡ଼ିଶା ରସଗୋଲାର ହେବ କ’ଣ । କେବେ ଓଡ଼ିଶା ରସଗୋଲାକୁ ମିଳିବ ଜିଆଇ ମାନ୍ୟତା ।

ପଶ୍ଚିମବଙ୍ଗକୁ ‘ବଙ୍ଗଳା’ ରସଗୋଲାର ଜିଆଇ ମାନ୍ୟତା ମିଳିବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି । ଏ ନେଇ ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ପଶ୍ଚିମବଙ୍ଗ, ବଙ୍ଗଳା ରସଗୋଲା ଜିଆଇ ଟ୍ୟାଗ ହାସଲ କରିବା ପରେ ଓଡିଶା ସରକାରଙ୍କ ଚେତା ପଶିଛି । ଅଳ୍ପ ଦିନ ମଧ୍ୟରେ ରାଜ୍ୟ ସରକାର ଜିଆଇ ପାଇଁ ଆବେଦନ କରିବେ ବୋଲି କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଗଣମାଧ୍ୟମକୁ କହିଥିଲେ । ଏଥିରେ ଜଳ ଜଳ ହୋଇ ଦେଖାଯାଉଛି ସରକାରୀ ବାବୁଙ୍କ ମନମାନୀ ଯୋଗୁଁ ଓଡ଼ିଶାର ରସଗୋଲା ଜିଆଇ ମାନ୍ୟତା ପାଇବାରେ ବିଳମ୍ବ ହୋଇଛି ।

ରସଗୋଲାରେ କେବଳ ଅଛି ଓଡ଼ିଶାର ଅଧିକାର । ଜଗନ୍ନାଥ ମନ୍ଦିର ପରମ୍ପରାରେ ରସଗୋଲାର ବ୍ୟବହାର ଅନେକ ଶତାଦ୍ଦୀ ତଳୁ ହୋଇଆସୁଛି । ତେବେ ଏହା କେବେ ଆରମ୍ଭ ହେଲା ତାହା ବାବଦରେ ସଠିକ ପ୍ରମାଣ ଲିପିବନ୍ଧ ନାହିଁ । ରଥଯାତ୍ରା ସମୟରେ ଅଭିମାନୀନୀ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇ ଜଗନ୍ନାଥ ରସଗୋଲା ଖୋଇବା ବିଧି ବଧଦେଉଳରେ ୬୦୦ରୁ ଅଧିକ ବର୍ଷ ପୁରୁଣା । ଏହା ବ୍ୟତୀତ ପଂଚଶଖା ଯୁଗର କାଳଜୟୀ ସୃଷ୍ଟିରୁ ଏନେଇ ମିଳିଛି ପ୍ରମାଣ । ଦାଣ୍ଡି ରାମୟଣରେ ରସଗୋଲା ଶବ୍ଦର ଉଲେଖ ରହିଛି । ତେବେ ଏପରିସ୍ଥଳେ ଗତକାଲି ‘ବାଙ୍ଗଲା ରସଗୋଲା’କୁ ମିଳିଛି ଭୌଗୋଳିକ ଉତ୍ପତ୍ତି (ଜିଆଇ) ମାନ୍ୟତା । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ଵିଟ୍ କରି ନିଜ ରାଜ୍ୟବାସୀଙ୍କୁ ଏହି ଖବର ଦେଇ ଖୁସି ଜାହିର କରିଥିଲେ । ତେବେ ଚେନ୍ନାଇ ସ୍ଥିତ ଜିଆଇ ଟ୍ୟାଗ କାର୍ୟ୍ୟାଳୟର ସହକାରୀ ନିବନ୍ଧକ କହିଛନ୍ତି, ରସଗୋଲାର ଉତ୍ପତି ସ୍ଥଳ ନେଇ କୌଣସି ବିଚାର କରାଯାଇନାହିଁ । ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଗତ ୨ ବର୍ଷ ଧରି ଓଡ଼ିଶା ସରକାର କରୁଥିଲେ କଣ ? ଦୁଃଖର କଥା ହେଉଛି, ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଏପର୍ଯ୍ୟନ୍ତ ଆବେଦନ କରିନାହିଁ ଓଡ଼ିଶା । କିନ୍ତୁ ସେପଟେ ରସଗୋଲାକୁ ବଙ୍ଗଳାର ରସଗୋଲା କହି ଜିଆଇ ଟ୍ୟାଗ ପାଇଗଲା ପଶ୍ଚିମବଙ୍ଗ ।

ସୂଚନାଯୋଗ୍ୟ ଦୁଇବର୍ଷ ହେଲା ରସଗୋଲାର ଭୌଗୋଳିକ ଉତ୍ପତି(ଜିଆଇ) ମାନ୍ୟତାକୁ ନେଇ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଟଣାଓଟରା ଚାଲିଥିଲା । ବାଙ୍ଗଲା ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ପରେ ଓଡ଼ିଶାର ରସଗୋଲା ପ୍ରେମୀଙ୍କ ମଧ୍ୟରେ ନୈରାଶ୍ୟ ସୃଷ୍ଟି ହୋଇଛି । ଗତ ଦେଢ଼ ବର୍ଷ ତଳୁ ରାଜ୍ୟ ସରକାରଙ୍କୁ ଓଡ଼ିଶାରେ ରସଗୋଲାର ଉତ୍ପତ୍ତି ସଂପର୍କରେ ଐତିହାସିକ ପ୍ରମାଣ ଦିଆଯାଇଥିଲେ ହେଁ ରାଜ୍ୟ ସରକାର ଏ ପର୍ୟ୍ୟନ୍ତ ଜିଆଇ ପାଇଁ ଆବେଦନ କରି ନାହାନ୍ତି । ରସଗୋଲା ନୁହେଁ, ବାଂଲାର ରସଗୋଲାକୁ ଜିଆଇ ମାନ୍ୟତା ମିଳିଥିବା ରାଜ୍ୟ ସରକାର ସଫେଇ ଦେଇଛନ୍ତି । ତେବେ ଓଡ଼ିଶାର ଦାବିକୁ ପଛରେ ପକାଇ ପଶ୍ଚିମବଙ୍ଗକୁ ରସଗୋଲା ପାଇଁ ଜିଆଇ ମାନ୍ୟତା ମିଳିଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ସହ ଦୁଇ ବର୍ଷର ଲଢ଼େଇ ପରେ ରସଗୋଲାର ଏକ ମଧୁର ସମାପ୍ତି ହୋଇଛି ବୋଲି ଉଲ୍ଲେଖ ରହିଛି । ମାତ୍ର ପ୍ରକୃତ କଥା ହେଲା ପଶ୍ଚିମବଂଗ ସରକାର ଆରମ୍ଭରୁ ‘ବାଂଲା ରସଗୋଲା’ର ଜିଆଇ ମାନ୍ୟତା ପାଇଁ ଆବେଦନ କରିଥିଲେ ଏବଂ ତାହା ସେମାନଙ୍କୁ ମିଳିଗଲା ।

ras gulla 12ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ରସଗୋଲାକୁ ନେଇ ଏକ ପ୍ରକାର ଯୁଦ୍ଧ ଚାଲିଥିଲା । ତଥାପି ରସଗୋଲା ପାଇଁ ଏପରି ଅବହେଳାକୁ କ’ଣ କୁହାଯାଇପାରେ । ସୂଚନାଯୋଗ୍ୟ ଉଭୟ ରାଜ୍ୟ ମଧ୍ୟରେ ରସଗୋଲାକୁ ନେଇ ବିବାଦ ଲାଗି ରହିଥିଲା, ଆଉ ଏକଥା ଓଡ଼ିଶା ସରକାର ଭଲ ଭାବରେ ଜାଣନ୍ତି । ଏପରିସ୍ଥଳେ ରସଗୋଲାକୁ ଆମର ଦାବି କରିବା ଅପେକ୍ଷା ତା’ ପାଇଁ ଯାହା ଯାହା ପ୍ରକ୍ରିିୟା ରହିଛି ତାହା ପୂରଣ କରିବା ଉଚିତ ଥିଲା । ଅନ୍ୟପଟେ ଠିକ ସମୟରେ ରସଗୋଲା ପାଇଁ ଜିଆଇ ଆବଦେନ କରି ବାଜି ମାରିନେଲା ପଶ୍ଚିମବଙ୍ଗ । ପଶ୍ଚିମବଙ୍ଗ ସରକାର ସ୍ଥାନୀୟ ରସଗୋଲାକୁ ଜିଆଇର ମାନ୍ୟତା ଦେବା ପାଇଁ ଚେନ୍ନାଇସ୍ଥିତ ଭାରତୀୟ ଭୌତ୍ତିକ ସଂପତ୍ତି କାର୍ଯ୍ୟାଳୟରେ ଆବେଦନ କରିଥିଲା । ଆଉ ରସଗୋଲାକୁ ଚେନ୍ନାଇସ୍ଥିତ ସଂପୃକ୍ତ କର୍ତୃପକ୍ଷ, ବଙ୍ଗଲା ରସଗୋଲା ନାଁରେ ଜିଆଇ ମାନ୍ୟତା ଦେଇଦେଲେ ।

ଅନ୍ୟପଟେ ଓଡ଼ିଶାରେ ରସଗୋଲାର ଉତ୍ପତ୍ତିକୁ ନେଇ ବିଜ୍ଞାନ ଓ ବୈଷୟିକ ବିଭାଗକୁ ଦାୟିତ୍ୱ ଦିଆଯାଇଥିଲା । ବିଭାଗ ପକ୍ଷରୁ ଏଥିପାଇଁ କମିଟି ଗଠନ କରାଯାଇ ରସଗୋଲାର ଉତ୍ପତ୍ତି ସଂପର୍କରେ ଖୋଳତାଡ଼ ଆରମ୍ଭ ହୋଇଥିଲା । କମିଟି ପକ୍ଷରୁ ବର୍ଷେ ହେବ ରସଗୋଲାର ଉତ୍ପତ୍ତି ସଂପର୍କିତ ଐତିହାସିକ ପ୍ରମାଣ ଦେଇଥିଲେ ହେଁ, ସରକାର ଏହା ଉପରେ ବିଶେଷଭାବେ ଆଗେଇ ନ ଥିଲେ । ବରଂ ବିଜ୍ଞାନ ଓ ବୈଷୟିକ ବିଭାଗ ଏହି ଦାୟିତ୍ୱ ପୁଣିଥରେ ଶିଳ୍ପ ବିଭାଗକୁ ହସ୍ତାନ୍ତର କରିଥିଲା । କିନ୍ତୁ ଏଥିରେ ବିଶେଷ କିଛି ସୁଫଳ ମିଳିନଥିଲା ।

ଓଡ଼ିଶାବାସୀ ରସଗୋଲା ଆମର ବୋଲି ଦାବି କରୁଥିବା ସତ୍ୱେ ଜିଆଇ ମାନ୍ୟତା ପାଇଁ ଆଜିଯାଏ ଆବେଦନ କରିନାହାନ୍ତି ସରକାର । ତେବେ ଆମେ ଓଡ଼ିଶାବାସୀ ରସଗୋଲା ଆମର ଆମର କହି ଗଳାର ଫଟାଇ ଚିତ୍କାର କଲେ ମଧ୍ୟ ଫଳ ଶୂନ । ଆଉ ଏପରି ହୋଇଛି ରାଜ୍ୟ ସରକାରଙ୍କ ପାଇଁ । କମିଟି ପରେ କମିଟି ଗଠନ ହେଲା, ହେଲେ ଆବେଦନ କରିବାକୁ ଏତେ ସମୟ କାହିଁକି ଲାଗୁଛି । ରାଜ୍ୟ ସରକାର ଟିକିଏ ମନଦେଇ ଚେଷ୍ଟା କରିଥିଲେ ବୋଧେ ଓଡ଼ିଶା ରସଗୋଲାକୁ ମଧ୍ୟ ଜିଆଇ ମାନ୍ୟତା ମିଳିସାରିଥାଆନ୍ତା । ଦେଖାଯାଉ ଓଡ଼ିଶା ସରକାରଙ୍କ କୁମ୍ଭମର୍ଣ୍ଣ ନିଦ୍ରା କେବେ ଭାଙ୍ଗୁଛି । ଖାଲି କାଢ଼ିଆ ଦେଖାଇ ନହୋଇ ଲଢ଼େଇ କରିବା ଉଚିତ ଥିଲା ।

ଓଡ଼ିଶାରେ ବୋଧୁହଏ ଏପରି ଲୋକେ ନଥିବେ, ଯିଏ ରସଗୋଲା ଖାଇବା ପାଇଁ ପସନ୍ଦ କରୁନଥିବ । ସମସ୍ତ ଓଡ଼ିଶାବାସୀ ରସଗୋଲା ଖାଇବା ସହ ରସଗୋଲାରେ କେବଳ ଆମର ହକ ରହୁ ବୋଲି ନିଶ୍ଚୟ ଚାହୁଁଥିବେ । କିନ୍ତୁ ଏବେ ଯାହା ଲାଗୁଛି ଓଡ଼ିଶାବାସୀଙ୍କ ଏହି ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯିବ । ରସଗୋଲା ପ୍ରଥମେ ଓଡ଼ିଶାରେ ଆରମ୍ଭ ହୋଇଥିବା କଥା ପ୍ରମାଣ କରିବା ତ ବହୁ ଦୂରର କଥା, ଏବେ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳୁ ବୋଲି ଲୋକେ ଚାହିଁ ବସିଛନ୍ତି ।

ବଙ୍ଗଳା ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ପରେ ରାଜ୍ୟ ସରକାରଙ୍କ ଉପରେ ଲୋକେ ଖପ୍ପା ଅଛନ୍ତି । ବିଭିନ୍ନ ମହଲରେ ଏନେଇ ଆଲୋଚନା ଜାରି ରହିଛି । ରାଜ୍ୟ ସରକାର ଠିକ ସମୟରେ କିଛି ନକରି ବସି ରିହଲେ ବୋଲି ଲୋକେ ମତ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡ଼ିଆରେ ମଧ୍ୟ ବିଭିନ୍ନ ପ୍ରକାର କମେଂଟ ଆସୁଛି । କିଏ କହୁଛି ମୁଖିଆ ଦିଦିଙ୍କୁ ରସଗୋଲା ଦେଇଦେଲେ ତ ଆଉ କିଏ କହୁଛି ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନି ।

ଲୋକଙ୍କ ମତରେ ସରକାରଙ୍କ ଅପରାଗତା ସକାଶେ ରସଗୋଲାକୁ ଜିଆଇ ମାନ୍ୟତା ମିଳିପାରି ନାହିଁ । ତେବେ ରସଗୋଲାକୁ ଏନେଇ ଆଗାମୀ ସମୟରେ ଆନ୍ଦୋଳନ ହେବ ବୋଲି କୁହାଯାଉଛି । ଲୋକଙ୍କ କହିବା ଅନୁସାରେ ସରକାର ରସଗୋଲା ଆମର ବୋଲି ଠିକରେ ଉପସ୍ଥାପନ କରିପାରିଲେ ନାହିଁ । କାରଣ ମୁଖ୍ୟମନ୍ତ୍ରୀଙ୍କର ଭାଷା, ସଂସ୍କୃତି, ପରମ୍ପରା ଉପରେ ଜ୍ଞାନ ନାହିଁ । ଆଉ ଯାହାର ଭାଷା ଉପରେ ନଜର ନାହିଁ, ସଂସ୍କୃତି ଉପରେ ନଜର ନାହିଁ, ସେ ଓଡ଼ିଆର ଖାଦ୍ୟ ଉପରେ ନଜର କିପରି ଆସିବ । ତେବେ ବର୍ତ୍ତମାନ ସମୟରେ ଆରୋପ, ପ୍ରତ୍ୟାରାପ ଅଲଗା କଥା । ଏବେ ସରକାର କେତେ ଶୀଘ୍ର ଓଡ଼ିଶା ରସଗୋଲା ପାଇଁ ଜିଆଇ ଆବେଦନ କରିବେ ସେକଥା ଦେଖିବା ପାଇଁ ବାକି ରହିଲା । ଆଗରୁ ଯେପରି କମିଟି ପରେ କମିଟି ଗଠନ କରି ଶୋଇଗଲେ ସରକାର, ପୁଣି ଥରେ ଏହି ଘଟଣାର ପୁନରାବୃତ୍ତି ହେବନି ତ ? ସମସ୍ତଙ୍କ ମୁହଁରେ କେବଳ ଗୋଟିଏ କଥା ରସଗୋଲା ନେଇଗଲେ ଦିଦି । କିନ୍ତୁ କେହି ବୁଝିବା ପାଇଁ ନାରାଜ ଯେ ରସଗୋଲା ଦେଇଦେଲେ ଶ୍ରେଷ୍ଠ ପ୍ରଶାସକ । ତେବେ ଆଗକୁ ଦେଖିବା ସରକାର ରସଗୋଲାର ଜିଆଇ ଆବେଦନ ପାଇଁ ଯେଉଁ ସମୟସୀମା ଦେଇଛନ୍ତି, ତାହା ପୂରଣ କରୁଛନ୍ତି କି ନାହିଁ ।