ରସଗୋଲା ପାଇଁ ୫ଟି ଯୁକ୍ତି ! ପଶ୍ଚିମବଙ୍ଗକୁ ଟକ୍କର ଦେବାକୁ ଓଡିଶା ପ୍ରସ୍ତୁତ

100

କନକ ବ୍ୟୁରୋ : ପୁଣି ସାମ୍ନାକୁ ଆସିଛି ରସଗୋଲା ଯୁଦ୍ଧ । ଆଉ ଦୁଇପାଦ ଆଗକୁ ବଢିଛି ଓଡିଶା । ଗବେଷଣା ପରେ ମିଳିଛି ତଥ୍ୟ ପ୍ରମାଣ । ପଶ୍ଚିମବଙ୍ଗର ଦାବିିକୁ ଖଣ୍ଡନ କରି ଏକ ରିପୋର୍ଟ ବିଜ୍ଞାନ କାରିଗରୀ ମନ୍ତ୍ରୀଙ୍କୁ ଦିଆଯାଇଛି । ଆଉ ରିପୋର୍ଟ ପାଇବା ପରେ ରସଗୋଲାର ଜିଆଇ ଟ୍ୟାଗ ହାସଲ କରିବାକୁ ସରକାରୀ ତତ୍ପରତା ଆରମ୍ଭ ହୋଇଛି।

ନଜର ପକାନ୍ତୁ କଣ ରହିଥିଲା ପଶ୍ଚିମବଙ୍ଗର ଦାବି ଆଉ କେମିତି ଓଡିଶା ଏହାକୁ ଖଣ୍ଡନ କରିଛି ।

ପଶ୍ଚିମବଙ୍ଗର ଯୁକ୍ତି : ୧୮୬୮ ମସିହାରେ ଏହାର ଉତ୍ପତି ହୋଇଥିଲା ।

ଓଡିଶାର ଦାବି : ଷୋଡଶ ଶତାଦ୍ଦୀର ବଳରାମ ଦାସଙ୍କ ରଚିତ ‘ଦାଣ୍ଡି ରାମାୟଣ’ରେ ରସଗୋଲା ବିଷୟରେ ବର୍ଣ୍ଣନା ରହିଛି । ତେଣୁ ଓଡିଶାରେ ରସଗୋଲାର ଇତିହାସ ପ୍ରାୟ ୫୦୦ ବର୍ଷର ।

ପଶ୍ଚିମବଙ୍ଗର ଯୁକ୍ତି : ଛେନାର ବ୍ୟବହାର ବେଙ୍ଗଲୀ ମିଠା କାରିଗର ପର୍ତୁଗୀଜଙ୍କଠାରୁ ଶିଖିଥିଲେ ।

ଓଡିଶାର ଦାବି : ପର୍ତୁଗୀଜ ଭାରତ ଆସିବା ପୂର୍ବାରୁ ଛେନାର ବ୍ୟବହାର ଦାଣ୍ଡି ରାମାୟଣରେ ବର୍ଣ୍ଣିତ ହୋଇଛି ।

ପଶ୍ଚିମବଙ୍ଗର ଯୁକ୍ତି : ଶ୍ରୀମନ୍ଦିର ସତ୍ତ୍ୱଲିପିରେ ରସଗୋଲା ଭୋଗ ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ ।

ଓଡିଶାର ଦାବି : ନିଳାଦ୍ରୀ ବିଜେ ସମୟରେ ରସଗୋଲାକୁ ହିଁ ପାରମ୍ପରିକ ଭୋଗ ଭାବେ ଦର୍ଶାଯାଇଛି। ଶ୍ରୀକ୍ଷେତ୍ରରେ ବିଭିନ୍ନ ମଠ ପକ୍ଷରୁ ଭୋଗ ହେଉଥିବାର ପ୍ରମାଣ ମଧ୍ୟ ମିଳିଛି।

ପଶ୍ଚିମବଙ୍ଗର ଯୁକ୍ତି: ଶ୍ରୀଚୈତନ୍ୟଙ୍କ ପ୍ରଭାବରେ ପୁରୀର ଶ୍ରୀଜଗନ୍ନାଥ ମନ୍ଦିରରେ ଛେନା ଓ ଛେନାରୁ ପ୍ରସ୍ତୁତ ଭୋଗ ପ୍ରଚଳିତ ହୋଇଥିଲା ।

ଓଡିଶାର ଦାବି: ମାଦଳା ପାଞ୍ଜି ଏବଂ ଶ୍ରୀ ଜଗନ୍ନାଥ ମନ୍ଦିର ‘କର୍ମାଙ୍ଗୀ’ର ପ୍ରମାଣ ବଳରେ ବଙ୍ଗଳାର ଯୁକ୍ତି ଖଣ୍ଡନ ।

ପଶ୍ଚିମବଙ୍ଗର ଯୁକ୍ତି: ପଶ୍ଚିମବଙ୍ଗର ପ୍ରାଚୀନ ନାମ ଗୌଡ ଦେଶ ଥିଲା। ଗୁଡ, ଚିନିରେ ପରିପୂର୍ଣ୍ଣ ଥିଲା। ତେଣୁ ରସଗୋଲାର ଉତ୍ପତ୍ତି ବଙ୍ଗଳାରେ।

ଓଡିଶାର ଦାବି: ୧୮୨୪ରେ ଏସିଆରେ ପ୍ରଥମ ଚିନିକଳ ଅସ୍କାଠାରେ ସ୍ଥାପିତ ହୋଇଥିଲା । ତେଣୁ ଚିନି ଦ୍ୱାରା ପ୍ରସ୍ତୁତ ରସଗୋଲାର ଉତ୍ପତି ଓଡିଶାରେ।