କନକ ବ୍ୟୁରୋ: ଆଜି ରସଗୋଲା ଦିବସ । ନୀଳାଦ୍ରୀ ବିଜେ ସମୟରେ ମା’ଲକ୍ଷ୍ମୀଙ୍କୁ ରସଗୋଲା ଭୋଗ ଦେଇ ତୁଷ୍ଟ କରିଥାନ୍ତି । ସେହି ଦୃ୍ଷ୍ଟିରୁ ଓଡିଶାରେ ମହାପ୍ରଭୁଙ୍କ ନୀଳାଦ୍ରୀ ବିଜେ ଦିନ ରସଗୋଲା ଦିବସ ପାଳିତ ହୋଇଆସୁଛି । ମିଠା ଭିତରେ ରାଜା ରସଗୋଲା । ବଜାରରେ ମିଳୁଛି ଗୁଲପ ଜାମୁନ, ଅନାରକଲି ହୀରାମଣି, ମଏେଇ ଚପ୍, କେଶର ପେଡା, ସନ୍ଦେଶ ଆଦି ଶତାଧିକ ମିଠା । ଆଜି ମିଠା ଦିବସ ହୋଇଥିବାରୁ ବିଭିନ୍ନ ରସଗୋଲା ବଜାର ସଜେଇ ହୋଇଛି । ରାଜ୍ୟ ବାହାରେ ମଧ୍ୟ ଓଡିଶା ମିଠାର ଚାହିଦା ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ରସଗୋଲାକୁ ବିଶ୍ୱସ୍ତରରେ ପହଂଚାଇବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଏକ ପ୍ରକାର ଶୀଥଳ ହୋଇଯାଇଛି । ନୀଳାଦ୍ରୀ ବିଜେ ପରେ ନୀଳାଦ୍ରୀ ବିଜେ ଚାଲିଯାଉଛି ମାତ୍ର ରାଜ୍ୟ ସରକାର ରସଗୋଲାକୁ ଭୋ÷ଗଳିକ ଉତ୍ପତି ବା ଜିଆଇ ଟ୍ୟାଗ୍ ଦେବାରେ ଏପର୍ଯ୍ୟନ୍ତ ସକ୍ଷମ ହୋଇ ପାରିନାହାନ୍ତି । ଯଦିଓ ଜିଆଇ କାର୍ଯ୍ୟାଳୟରେ ଓଡିଶାର ରସଗୋଲା ନାଁରେ ଆବେଦନ ହୋଇଛି ତଥାପି ଏଥିପାଇଁ ଆବଶ୍ୟକ କାଗଜ ପତ୍ର ଦାଖଲ ହୋଇନଥିବାରୁ ଜିଆଇ ମାନ୍ୟତା ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ।
ସୂଚନା ଅନୁଯାୟୀ, ଚଳିତବର୍ଷ ଫେବ୍ରୁଆରି ୨୩ତାରିଖରେ ରାଜ୍ୟ ସରକାରଙ୍କ କ୍ଷୁଦ୍ର ଶିଳ୍ପ ବିଭାଗ ପକ୍ଷରୁ ଚେନ୍ନାଇସ୍ଥିତ ଜି.ଆଇ କାର୍ଯ୍ୟାଳୟରେ ଆବେଦନ କରାଯାଇଥିଲା। ଠିକ୍ ବିଜେପୁର ଉପ-ନିର୍ବାଚନର ପୂର୍ବଦିନ ହିଁ ସରକାର ତରବରିଆ ଭାବେ ରସଗୋଲା ପାଇଁ ଆବେଦନ କରିଥିଲେ। ‘ଓଡ଼ିଶାର ରସଗୋଲା’ ନାଁରେ ଏହାକୁ ଆବେଦନ କରାଯାଇଥିବା ବେଳେ ଆବେଦନ ପତ୍ର ନଂ ହେଉଛି ୬୧୨। ଗତ ଜୁନ୍ ୨୨ତାରିଖରେ ଜି.ଆଇ କାର୍ଯ୍ୟାଳୟରୁ ‘ଓଡ଼ିଶାର ରସଗୋଲା’ ସଂପର୍କିତ ୧୪ଦଫା ପ୍ରଶ୍ନାବଳୀରେ ତଥ୍ୟ ରଖିବାକୁ କୁହାଯାଇଥିଲା। ୨ମାସ ମଧ୍ୟରେ ଏ ନେଇ ସମସ୍ତ ତଥ୍ୟ ଉପସ୍ଥାପନ ପାଇଁ ନିର୍ଦେଶ ରହିଥିଲେ ହେଁ ରାଜ୍ୟ ସରକାର ଏହାକୁ ଦାଖଲ ନ କରିପାରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଏ ନେଇ ରାଜ୍ୟ ସରକାର ଆହୁରି ୧ମାସ ସମୟ ମାଗିଛନ୍ତି। ଫଳରେ ରସଗୋଲାକୁ ଜି.ଆଇ ମାନ୍ୟତା ଦେବା ନେଇ ରାଜ୍ୟ ସରକାରଙ୍କ ତତ୍ପରତାକୁ ପଦାରେ ପକାଇ ଦେଇଛି।
ରସଗୋଲାର ଉତ୍ପତିକୁ ନେଇ ୩ ବର୍ଷ ତଳେ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବିବାଦ ଦେଖାଦେବା ରାଜ୍ୟବ୍ୟାପୀ ଏକପ୍ରକାର ଆଲୋଡ଼ନ ସୃଷ୍ଟି ହୋଇଥିଲା। ପଶ୍ଚିମବଙ୍ଗ ସରକାର ଆଗୁଆ ରସଗୋଲା ପାଇଁ ଜି.ଆଇ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ରସଗୋଲା ପାଇଁ ତଥ୍ୟ ସଂଗ୍ରହ ଆରମ୍ଭ ହୋଇଥିଲା। ପ୍ରଥମେ ଶିଳ୍ପ ବିଭାଗକୁ ଏହାର ଦାୟିତ୍ୱ ଦିଆଯିବା ପରେ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗକୁ ଏହାର ଦାୟିତ୍ୱ ଦିଆଯାଇଥିଲା। ତଥ୍ୟ ସଂଗ୍ରହ କାମ ଗୋଟିଏ ପରେ ଗୋଟିଏ ବିଭାଗକୁ ଡେଇଁଥିଲା। ରାଜ୍ୟ ସରକାର ଏଥିପାଇଁ ଏକ ୩ସ୍ତରୀୟ କମିଟି ମଧ୍ୟ ଗଠନ କରିଥିଲେ। ଶ୍ରୀଜଗନ୍ନାଥ ଗବେଷକ ଅସିତ ମହାନ୍ତି ଓଡ଼ିଶାରେ ରସଗୋଲାର ଉତ୍ପତି ସଂପର୍କିତ ସମସ୍ତ ତଥ୍ୟ ୨୦୧୬ ମସିହରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। ଏହାସତ୍ୱେ ମଧ୍ୟ ରାଜ୍ୟ ସରକାର ବର୍ଷେ ଚୁପ୍ ରହିଲେ। ଏପରିକି ପଶ୍ଚିମବଙ୍ଗ ସରକାର ଜି.ଆଇ ମାନ୍ୟତା ପାଇଁ ଆବେଦନ କରିବାର ୪ମାସ ମଧ୍ୟରେ ବିପକ୍ଷ ସଂସ୍ଥାକୁ ଆପତ୍ତି ବା ଅବଜେକସନ୍ ପାଇଁ ସମୟ ରହିଥିଲେ ହେଁ ସରକାରଙ୍କ ପକ୍ଷରୁ ତାହା କରାଗଲା ନାହିଁ। ଗତବର୍ଷ ନଭେମ୍ବର ୧୪ତାରିଖରେ ପଶ୍ଚିମବଙ୍ଗକୁ ‘ବାଂଲାର ରସଗୋଲା’ ନେଇ ଜି.ଆଇ ମାନ୍ୟତା ମିଳିବା ପରେ ରାଜ୍ୟ ସରକାର ହଠାତ୍ ତତ୍ପର ହୋଇ ଉଠିଥିଲେ। ରାଜ୍ୟବ୍ୟାସୀ ଓ ବିପକ୍ଷ ଦଳ ରାଜ୍ୟ ସରକାରଙ୍କୁ ରସଗୋଲା ସଂପର୍କରେ ବାରମ୍ବାର ଟାଣିବା ପରେ ତରବରିଆ ଭାବେ ରାଜ୍ୟ ସରକାର ଜି.ଆଇ ପାଇଁ ଆବେଦନ କରିଥିଲେ।