ନ୍ୟାୟ ଅପେକ୍ଷାରେ ବାଲେଶ୍ୱର ନିର୍ଭୟା : ଦୁଷ୍କର୍ମ ଶିକାର ନାବାଳିକାଙ୍କ ମୃତ୍ୟୁର ୨ ବର୍ଷ ପରେ ବି ନ୍ୟାୟ ଅପେକ୍ଷାରେ ମୃତକଙ୍କ ମାଆ

42

କନକ ବ୍ୟୁରୋ : କୁନି ଝିଅକୁ ଧର୍ଷଣ ପରେ ନିର୍ମମ ହତ୍ୟାକୁ ଦୁଇ ବର୍ଷ ବିତିଲାଣି । ଏବେ ବି ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି ମୃତ ନାବାଳିକାଙ୍କ ମାଆ । ଝିଅ ହତ୍ୟାର ମାମଲା କୋର୍ଟରେ ବିଚାରାଧିନ ଥିବା ବେଳେ ଗାଁରୁ କୋର୍ଟ ଦୌଡି ଦୌଡୁ ନୟାନ୍ତ ହେଲେଣି । ହେଲେ ନ୍ୟାୟ ତ ମିଳୁନି, ଗଡି ଚାଲିଛି ତାରିଖ ପରେ ତାରିଖ ।

ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଥିବା ମୃତ ନାବାଳିକାଙ୍କ ମାଆ ମାଗୁଛନ୍ତି ନ୍ୟାୟ । ସ୍ୱାମୀ ଆରପାରିକୁ ଚାଲିଯିବା ପରେ ଏହି ଭଙ୍ଗା କୁଡିଆ ଭିତରେ ଝିଅ ଓ ପୁଅ ମୁହଁକୁ ଅନେଇ ଦିନ କାଟୁଥିଲେ ବାଲେଶ୍ୱରର ମହିଳା ଜଣକ । ହେଲେ ଠିକ୍ ୨ ବର୍ଷ ୨ ମାସ ତଳେ ୭ ବର୍ଷର କୁନି ଝିଅ ଖେଳିବାକୁ ଯାଇ ପଡିଯାଇଥିବା ଦେହ ପିପାଶୁ ନରରାକ୍ଷସ ହାବୁଡରେ । ନାବାଳିକାକୁ ଧର୍ଷଣ ପରେ ହତ୍ୟା କରିଥିଲା ମୁନା ଦାସ ନାମକ ଯୁବକ । ସେବେଠୁ ଝିଅ ମୃତ୍ୟୁର ନ୍ୟାୟ ଅପେକ୍ଷାରେ ମାଆ ।

ମାଆକୁ କହି ଖେଳିବାରୁ ଯାଇଥିବା ଝିଅ ଘରକୁ ଫେରିନଥିଲା, ମିଳିଥିଲା ତାର କ୍ଷତାକ୍ତ ଉଲଗ୍ନ ମୃତଦେହ । ଘଟଣାର ତଦନ୍ତ କରି ପୁଲିସ ଅଭିଯୁକ୍ତ ମୁନା ଦାସକୁ ଗିରଫ ବି କରିଥିଲା । ଆଉ ଅଭିଯୁକ୍ତ ଚକୋଲେଟ୍ ଲୋଭ ଦେଖାଇ ନାବାଳିକାକୁ ଧର୍ଷଣ କରିବା ପରେ ପଥରରେ ଛେଚି ହତ୍ୟା କରିଥିବା ମଧ୍ୟ ସ୍ୱୀକାର କରିଥିଲା । ତଥାପି ମାତ୍ର ୩ ମାସ ଭିତରେ ଅଭିଯୁକ୍ତକୁ ବେଲ ମିଳିଥିବା ବେଳେ ଏବେ ବି ନ୍ୟାୟ ଅପେକ୍ଷାରେ ମୃତ ନାବାଳିକାଙ୍କ ମାଆ । ତେବେ ପୁଲିସ ଚାର୍ଜସିଟ୍ ଦେବାରେ ବିଳମ୍ବ ହେବାରୁ ଜାମିନ ମିଳିବା ସହଜ ହୋଇଥିବା କହିଛନ୍ତି ଆଇନଜୀବୀ ।

କୋର୍ଟରେ ନାବାଳିକା ମୃତ୍ୟୁ ମାମଲା ବିଚାରଧିନ ଥିବା ବେଳେ କେବେ ସାକ୍ଷୀ ନାହାନ୍ତି ତ କେବେ ଓକିଲ, ଏମିତି ଗଡି ଚାଲିଛି ତାରିଖ ପରେ ତାରିଖ । ସମ୍ବଲପୁରରେ ବିଳମ୍ବିତ ରାତ୍ରି ପର୍ୟ୍ୟନ୍ତ ୧୫ ଘଣ୍ଟାର ସାକ୍ଷୀ ପ୍ରମାଣ ଓ ତର୍କ ପରେ ଧର୍ଷଣର ଶିକାର ପୀଡିତ।ଙ୍କୁ ନ୍ୟାୟ ମିଳିଥିବା ବେଳେ ବାଲେଶ୍ୱରର ନାବାଳିକାଙ୍କୁ ନ୍ୟାୟ ମିଳିବାରେ ଏତେ ବିଳମ୍ବ କାହିଁକି ତାକୁ ନେଇ ଏବେ ଉଠିଛି ପ୍ରଶ୍ନ ।