ବୁଲନ୍ଦସହରରୁ ବୟାଳିଶ ମୌଜା ! ଦୁଇ ରାଜ୍ୟରେ ଗଣଧର୍ଷଣର ସମାନ କାହାଣୀ

58

ବୁଲନ୍ଦସହରରୁ ବୟାଳିଶ ମୌଜା । ଉତରପ୍ରଦେଶରୁ ଓଡିଶା । ଏହା ହେଉଛି ଦୁଇଟି ରାଜ୍ୟରୁ ଦୁଇଟି କାହାଣୀ। ଗଣଧର୍ଷଣର ଏମିତି କାହାଣୀ ଯାହା ସଭ୍ୟ ସମାଜ ପାଇଁ ଲଜ୍ଜା ସୃଷ୍ଟି କରିଛି । ତେବେ ଧର୍ଷଣକାରୀଙ୍କୁ ଧରିବାକୁ ୟୁପି ପୋଲିସ ସବୁ ଶକ୍ତି ଲଗାଇ ଦେଇଥିବା ବେଳେ ଓଡିଶା ପୋଲିସ କିନ୍ତୁ ଚୁପ୍ ବସିଛି। ଗୋଟିଏ ଜାତୀୟ ଗଣମାଧ୍ୟମର ହେଡଲାଇନ୍ସ ପାଲଟି ଥିବା ବେଳ ଓଡିଶାରେ ଏହି ନୃଶଂସ କାଣ୍ଡକୁ ନେଇ ସମସ୍ତେ ଚୁପ୍ ।

ଉତରପ୍ରଦେଶର ବୁଲନ୍ଦସହରର ହାଇୱେରେ ଦିଲ୍ଲୀର ଏକ ପରିବାର କାର୍ ଯୋଗେ ଯାଉଥିବା ବେଳେ ନିଛାଟିଆ ରାସ୍ତା ଉପରେ ଘଟିଥିଲା ଅଘଟଣ । ଛଅ ଜଣ ସୈତାନ ଗନ୍ ପଏଂଟରେ ପ୍ରଥମେ ସ୍ୱାମୀଙ୍କୁ ଭୟଭିତ କରିଥିଲେ । ଆଉ ଅସହାୟ ସ୍ୱାମୀଙ୍କ ଆଖି ଆଗରେ ୩୫ ବର୍ଷୀୟା ସ୍ତ୍ରୀ ଓ ୧୪ ବର୍ଷୀୟା ଝିଅକୁ ଦୁର୍ବୃତମାନେ ଦୀର୍ଘ ୩ ଘଂଟା ଧରି ଗଣଧର୍ଷଣ କରିିଥିଲେ । ରାତି ପାହିବା ପରେ ଘଟଣାକୁ ନେଇ ବୁଲନ୍ଦ ସହରରେ ଚାଂଚଲ୍ୟ ଖେଳିଯାଇଥିଲା । କେବଳ ୟୁପି ନୁହେଁ ସାରା ଦେଶ ଉଠାଇଲା ସ୍ୱର । ତେବେ ୬ ଜଣଙ୍କ ମଧ୍ୟରୁ କେବଳ ୩ଜଣଙ୍କୁ ଗିରଫ କରିଛି ପୁଲିସ୍ । ଆଉ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ । ୪ ଜଣ ପୁଲିସକୁ ନିଲମ୍ବନ କରିବା ସହ ୬ଟି ଟିମ୍ ଗଠନ କରି ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ତନାଘନା ଚାଲିଛି। ସେପଟେ ପୀଡିତାଙ୍କ ସ୍ୱାମୀଙ୍କ ଚେତାବନୀ, ତିନି ମାସ ଭିତରେ ଅଭିଯୁକ୍ତଙ୍କୁ ଶକ୍ତ ସଜା ନମିଳିଲେ ପୁରା ପରିବାର ଆତ୍ମହତ୍ୟା କରିବେ ।

ତେବେ ବୁଲନ୍ଦସହର ଘଟଣାର ୩ ଦିନ ପୂର୍ବରୁ କଟକ ବୟାଳିଶି ମୌଜାରେ ଘଟିଛି ସମାନ ଘଟଣା । ଲୁଟ୍ ପରେ ଗ୍ୟାଙ୍ଗ ରେପ୍ । ରାତିରେ ଘରେ ସ୍ୱାମୀ ନଥିବା ବେଳେ ଘରେ ପଶିଥିଲେ ୪ ଜଣ ଦୁର୍ବୃତ । ପ୍ରଥମେ ଲୁଟତରାଜ କରିଥିଲେ । ଆଉ ତାପରେ , ୫ ବର୍ଷର ଝିଅ ବେକରେ ଛୁରୀ ଲଗାଇ ଦେହ ଭୋକ ମେଂଟାଇ ଦେବାକୁ ଦାବି କଲେ । ଘରୁ ଘୋଷାରି ଘୋଷାରି ନେଇ ଯାଇଥିଲେ ନଈପଠାକୁ । ଆଉ ସେଠାରେ ଜଣେ ପରେ ଜଣେ ଧର୍ଷଣ କରି ଚାଲିଲେ ମହିଳାଙ୍କୁ ।

ଏହା ଭିିତରେ କମିଶନରେଟ ପୁଲିସକୁ ତଦନ୍ତକୁ ସପ୍ତାହ ବିତିଗଲାଣି । ହେଲେ ଅଭିଯୁକ୍ତଙ୍କ ଟେର୍ ପାଉନି । ତେଣୁ ପୁଲିସର ତଦନ୍ତ ଉପରେ ପ୍ରଶ୍ନ ଲାଗିଛି । ତଦନ୍ତରେ ଶୀଥିଳତା ପ୍ରତିବାଦରେ ଆଜି କଟକରେ ଜଳିଛି ନିଆଁ । ବିକ୍ଷୋଭ କରିଛି ମହିଳା ବିଜେପି ।

ଏବେ ପ୍ରଶ୍ନ , ଯଦି ୟୁପି ସରକାର ଏ ଘଟଣାକୁ ଗୁରୁତର ସହ ନେଉଛନ୍ତି ଓଡିଶା ସରକାର କାହିଁକି ଚୁପ୍। ଯଦି ୟୁପି ସରକାରର ପୁଲିସ୍ ମୁଖ୍ୟ ସ୍ୱର ଉଠାଉଛନ୍ତି, ଓଡିଶାର ଡିଜିପି କାହିଁକି ଚୁପ୍ । ସବୁଠାରୁ ଆଶ୍ଚର୍ଯ୍ୟ କଥା ଅନ୍ତଃତ ୟୁପି ସରକାର ଘଟଣାକୁ ସମ୍ବେଦନଶୀଳତାର ସହ ନେଇଛନ୍ତି। ଯାହା ଓଡିଶା ପାଇଁ ଲଜ୍ଜା ।