ପୁଣି ଦୁଷ୍କର୍ମ ଚିତ୍କାରରେ ଚିହିଁକି ଉଠିଲା ଭାରତ ! ନୀଳଗିରିରେ ଚକୋଲେଟ ଦେଇ ୪ ବର୍ଷର ଶିଶୁକୁ ଦୁଷ୍କର୍ମ, ସୁରଟରେ ୧୧ ବର୍ଷର ନାବାଳିକାକୁ ଦୁର୍ଷ୍କମ ପରେ ହତ୍ୟା

35

କନକ ବ୍ୟୁରୋ : ଆଜି ପୁଣି ଦୁଇ ଦୁଇଟି ଲଜ୍ଜାଜନକ ଘଟଣା ସାମନାକୁ ଆସିଛି । ସୁରଟରେ ଜଣେ ୧୧ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯିବା ସହ ଅତି ବିଭତ୍ସ ଭାବେ ତଂଟି ଚିପି ହତ୍ୟା କରାଯାଇଛି । କେବଳ ସେତିକି ନୁହେଁ ନାବାଳିକାର ଦେହରେ ୮୬ଟି ଗଭୀର କ୍ଷତ ଥିବା ଦର୍ଶାଇଛି ପୋଷ୍ଟମର୍ଟମ ରିପୋର୍ଟ । ଅନ୍ୟପଟେ ଓଡ଼ିଶାର ନୀଳଗିରିରେ ୪ ବର୍ଷର କୁନି ଝିଅକୁ ଦୁଷ୍କର୍ମ କରି ଅଭିଯୁକ୍ତ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି ।

ଉନ୍ନାଓ ଓ କଠୁଆ କଳଙ୍କ ଲିଭି ନଥିବା ବେଳେ ସାମନାକୁ ଆସିଛି ଦୁଇ ଦୁଇଟି ବର୍ବର କାଣ୍ଡ । ସଭ୍ୟ ସମାଜରେ ପୁଣି ଲଗାଇ ଦେଇଛି କଳଙ୍କର ଟିକା । ସୁରତରେ ଜଣେ ୧୧ ବର୍ଷର ନାବାଳିକାକୁ ଯେଭଳି ଭାବେ ପାଶବିକ ଅତ୍ୟାଚାର କରିବା ପରେ ନିର୍ମମ ହତ୍ୟା କରାଯାଇଛି, ତାହା ଚହଳାଇ ଦେଇଛି ଜନମାନସକୁ । ସୁରଟର ପୋଣ୍ଡେସରା ସ୍ଥିତ ଏକ ଆପାର୍ଟମେଂଟ୍ ପଛରେ ଥିବା ଏକ ଖେଳପଡ଼ିଆରୁ ନାବାଳିକାର କ୍ଷତବିକ୍ଷତ ମୃତଦେହକୁ ଉଦ୍ଧାର କରିବା ପରେ ଲୋକଲୋଚନକୁ ଆସିଛି ଏହି ବିଭତ୍ସ ଘଟଣା ।

ଅମାନବିକତାର ସବୁ ସୀମା ଟପି ଯାଇଛି ବଳାକ୍ରାରୀ । ମୃତ ନାବାଳିକାର ଗୁପ୍ତାଙ୍ଗ ସମେତ ଅନ୍ୟ ୮୬ଟି ସ୍ଥାନରେ ରହିଛି ଗଭୀର କ୍ଷତ । ପୋଷ୍ଟମର୍ଟମ ରିପୋର୍ଟ କହୁଛି ତଂଟି ଚିପି ଶ୍ୱାସରୁଦ୍ଧ କରିବାକୁ ହୋଇଛି ନାବାଳିକାର ମୃତ୍ୟୁ । ମାମଲାର ଛାନଭିନ୍ ଚାଲିଥିବା ବେଳେ ଅଭିଯୁକ୍ତ ନିକଟରେ ପହଁଚିପାରନି ପୋଲିସ । ସେପଟେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି ।

ଅନ୍ୟପଟେ ବାଲେଶ୍ୱର ନୀଳଗିରିରୁ ଆସିଛି ଆଉ ଏକ ଲଜ୍ଜାଜନକ ଘଟଣା । ଚକୋଲେଟ୍ ଖାଇବାକୁ ଡାକି ନେଇ ଜଣେ ୪ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଛୋଟ ଝିଅଟିର ଗୁପ୍ତାଙ୍ଗ କ୍ଷତାକ୍ତ ହୋଇଥିବାରୁ ନାବାଳିକାକୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି । ଏନେଇ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି ପୀଡିତାଙ୍କ ବାପା । ଅଭିଯୁକ୍ତ ନିତ୍ୟସୁନ୍ଦର ଜେନା ଫେରାର ହୋଇ ଯାଇଥିବା ବେଳେ ଘଟଣାକୁ ରଫାଦଫା କରିବାକୁ ନିତ୍ୟସୁନ୍ଦରର ପରିବାର ଚାପ ପକାଉଥିବା ଅଭିଯୋଗ ହୋଇଛି ।

କଠୁଆ ଓ ଉନ୍ନାଓ ଦୁଷ୍କର୍ମ ମାମଲାରେ ସାରା ଦେଶର ମୁଣ୍ଡ ତଳକୁ ନଇଁ ଯାଇଥିବା ବେଳେ ସୁରଟ ଓ ନୀଳଗିରି ଘଟଣା ପୂରା ବ୍ୟବସ୍ଥାକୁ କାଠଗଡ଼ାକୁ ଟାଣିନେଇଛି । ଛୋଟ ଛୋଟ ଝିଅଙ୍କୁ ସୁରକ୍ଷା ଯୋଗାଇ ଦେବାରେ ବିଫଳ ବ୍ୟବସ୍ଥା ଉପରେ ଲାଗିଯାଇଛି ବଡ଼ ପ୍ରଶ୍ନ ଚିହ୍ନ ।