ଦୁଷ୍କର୍ମ ଅଭିଯୋଗ ପରେ ସୋହେଲା ଏଏସଆଇ ସସପେଣ୍ଡ । ପୁଲିସବାବୁଙ୍କ ବିରୋଧରେ ଆସିଥିଲା କୁକର୍ମ ଅଭିଯୋଗ

ନାବାଳିକାଙ୍କୁ ଅପହରଣରେ ଅଭିଯୁକ୍ତକୁ ସହଯୋଗ କରିଥିବା ଅଭିଯୋଗ

215

କନକ ବ୍ୟୁରୋ: ଦୁଷ୍କର୍ମ ଅଭିଯୋଗରେ ନିଲମ୍ବିତ ହେଲେ ଏଏସଆଇ । ବରଗଡ ଜିଲ୍ଲା ସୋହେଲା ଥାନାର ଏଏସଆଇ ବନମାଳି କୁଅଁରଙ୍କୁ ନିଲମ୍ବିତ କରିଛନ୍ତି ଏସପି । ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ହୋଇଥିବା ନେଇ ଗତକାଲି ଅଭିଯୋଗ ହେବା ପରେ ଏସପି ଏଏସଆଇ ବନମାଳିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଅଭିଯୋଗ ଅନୁସାରେ, ଗତ ୮ତାରିଖ ସକାଳ ସାଢେ ୬ଟାରେ ସମ୍ପୃକ୍ତ ନାବାଳିକା ଟ୍ୟୁସନକୁ ଯାଇ ଆଉ ଘରକୁ ଫେରିନଥିଲା। ଶନିବାର ରାତି ୮ଟାରେ ମେଲଛାମୁଣ୍ଡା ପୁଲିସ ନିଖୋଜ ନାବାଳିକାକୁ ସୋହେଲାରୁ ଉଦ୍ଧାର କରି ପରିବାର ଲୋକଙ୍କ ଜିମା ଦେଇଥିଲା। ତେବେ, ଘରେ ପହଞ୍ଚି ନାବାଳିକା ଚାଞ୍ଚଲ୍ୟକର ବୟାନ ଦେଇଥିଲା। ସେ କହିଥିଲା ଯେ, ୮ତାରିଖ ସକାଳେ ବରଗଡର ରିକୁ ନାଗ ତାକୁ ବାଇକରେ ବସାଇ ସୋହେଲା ଆଣିଥିଲା। ରିକୁ ସୋହେଲା ଥାନା ଆଗରେ ବାଇକ ରଖି ଏଏସଆଇ ବନମାଳୀ କୁଅଁରଙ୍କ ଠାରୁ ତାଙ୍କ ଭଡ଼ା ଘରର ଚାବି ଆଣଥିଲା। ସେହି ଘରେ ଦୁଷ୍କର୍ମ କରିବା ପରେ ବାହାରୁ ତାଲା ମାରି ରିକୁ ପଳାଇଥିଲା।

ଏହାପରେ ଏଏସଆଇ ଶ୍ରୀ କୁଅଁର ସଂଧ୍ୟାରେ ମୁହଁରେ କପଡା ବାନ୍ଧି ଗୋଟିଏ ସ୍କୁଟିରେ ବସାଇ ଥାନା ପରିସରରେ ଥିବା ଏକ କୋଠରୀକୁ ଆଣିଥିଲେ। ବାହାରୁ ତାଲା ମାରି ଏଏସଆଇ ଥାନାକୁ ଚାଲି ଯାଇଥିଲେ । ରାତିରେ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏହାପରେ ସେ ବେହୋସ ହୋଇ ଯାଇଥିଲା। ଭୋର ପ୍ରାୟ ୪ଟା ବେଳେ ଚେତା ଫେରିବା ପରେ ମଧ୍ୟ ଏଏସଆଇ ଜଣକ ଆପତ୍ତିଜନକ ଆଚରଣ ଜାରି ରଖିଥିଲେ।

ବଡକଥା ହେଉଛି ପୋଲିସ ବାବୁ ଜଣକ କେବଳ ଅଭିଯୁକ୍ତକୁ ସହାୟତା କରିନାହାନ୍ତି ବରଂ ସେ ମଧ୍ୟ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୋଲିସ ନାବାଳିକାଙ୍କ ୧୬୪ରେ ବୟାନ ରେକର୍ଡ ମଧ୍ୟ କରିଛି ।ସେପଟେ ପ୍ରେମିକ ରିକୁ ନାଗ ବିରୋଧରେ ଦୁଷ୍କର୍ମ ମାମଲା ଓ ପୀଡିତା ନାବାଳିକା ହୋଇଥିବାରୁ ପୋକ୍ସୋ ଆକ୍ଟରେ ମଧ୍ୟ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି ପୋଲିସ ।