ବ୍ରଜରାଜନଗରରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ! ସଂଜ୍ଞାହୀନ ପୀଡିତାଙ୍କ ଚିକିତ୍ସା ଜାରି, ୪ ଅଟକ

29

କନକ ବ୍ୟୁରୋ: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅଂଚଳରେ ଜଣେ ୪୭ ବର୍ଷୀୟ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ସଂଜ୍ଞାହୀନ ଅବସ୍ଥାରେ ପୀଡିତାଙ୍କୁ ଝାରସୁଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗଣଦୁଷ୍କର୍ମ ଅଭିଯୋଗ ପାଇ ବ୍ରଜରାଜନଗର ପୋଲିସ ସନ୍ଧାନି କୁକୁର ଓ ସାଇଂଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରୁଛି ।

ତେବେ ଘଟଣାରେ ୪ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ମହିଳା ଜଣକ ଘରେ ଏକାକି ଶୋଇଥିବାବେଳେ ଶିଡ଼ି ଜରିଆରେ ଭଙ୍ଗା ଆଜବେଷ୍ଟ ଦେଇ ଦୁର୍ବୃତ୍ତମାନେ ପଶି ମହିଳାଙ୍କୁ ଦୁଷ୍କର୍ମ କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି ।

ସେପଟେ ଭୂବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅଂଚଳର ଜଣେ ଦଳିତ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ହତ୍ୟାପରେ ଦୁର୍ବୃତ୍ତମାନେ ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ପରଘରେ ମୁଲ ଲାଗି ଚଳୁଥିବା ଅସହାୟ ମହିଳା ଗତ ସୋମବାର ଦିନ ନିକଟସ୍ଥ ଗାଁରୁ କାମ ସାରି ଏକାକି ବିଳମ୍ବିତ ରାତିରେ ଫେରୁଥିବା ବେଳେ ନିଶାଶକ୍ତ ଦୁର୍ବୃତ୍ତଙ୍କ ହାବଡରେ ପଡିଥିଲେ ।

ଦୁଷ୍କର୍ମ ପରେ ଦୁର୍ବୃତ୍ତମାନେ ମହିଳାଙ୍କ ମୁଣ୍ଡ ପଛପଟେ ଶକ୍ତ ଆଘାତ ଦେଇ ଏକ ବାଇକରେ ଆଣି ଗାଁ ମୁଣ୍ଡରେ ଦୁର୍ଘଟଣାର ରୂପ ଦେଇ ଛାଡି ଚାଲିଯାଇଥିଲେ । ରାତିରେ ମହିଳାଙ୍କୁ ଉଦ୍ଧାର କରି ତାଙ୍କ ପୁଅ ବାଲିପାଟଣା ମେଡିକାଲରେ ଭର୍ତ୍ତି କରିଥିବାବେଳେ ଗତ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଥିଲା ।