ପୋଲିସ ପାଖରୁ ଲୁଚୁଥିଲେ ଯୁବତୀଙ୍କ ହାତରେ ଧରାପଡିଲେ ! ବିଚ୍ ରାସ୍ତାରେ ଦୁଷ୍କର୍ମ କରିଥିବା ଯୁବକଙ୍କୁ ନିର୍ଦ୍ଧୁମ ଛେଚିଲେ ଯୁବତୀ

37

କନକ ବ୍ୟୁରୋ : ବିଚ୍ ରାସ୍ତାରେ ଯୁବକଙ୍କ କଲର ଧରି ଉତ୍ତମ ମଧ୍ୟମ ଦେଉଥିଲେ ଯୁବତୀ । ଗାଲରେ ଗୋଟିଏ ପରେ ଗୋଟିଏ ଚାପୁଡା ବସୁଥିଲେ ମୁଣ୍ଡପୋତି ତଳକୁ ଠିଆ ହୋଇଥିଲେ ଯୁବକ । ରାସ୍ତାରେ ଯାଉଥିବା ଲୋକେ ରୁଣ୍ଡ ହୋଇ ଦେଖୁଥିଲେ ମଧ୍ୟ ପ୍ରକୃତ ଘଟଣା କଣ କେହି ଜାଣି ପାରୁନଥିଲେ । ଏପରିକି କିଛି ଲୋକ ଯୁବତୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୁବତୀ ଜଣକ କାହା କଥା ଶୁଣିବା ମୁଡରେ ନଥିଲେ । ପ୍ରାୟ ୧୫ ମିନିଟ ଧରି ଯୁବକଙ୍କୁ ମାଡ ମାରି ଚାଲିଥିଲେ ଯୁବତୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ବେହେରାମାଲ ଅଞ୍ଚଳରେ ।

ପରେ ଖବର ପାଇ ଝାରସୁଗୁଡା ପୋଲିସ ଉଭୟଙ୍କୁ ଥାନାକୁ ନେଇଥିଲେ । ଏହାପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ପୋଲିସ ସୂଚନା ଅନୂଯାୟୀ, ଉଭୟ ପୁଅ ଓ ଝିଅଙ୍କ ଘର ଦେବଗଡରେ । କିଛି ଦିନ ତଳେ ଯୁବତୀ ଜଣକ ଯୁବକଙ୍କ ର୍ନାରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ସେବେଠାରୁ ପୋଲିସ ଯୁବକଙ୍କୁ ଖୋଜୁଥିଲା । ପୋଲିସ ଆଖିରେ ଧୂଳି ଦେଇ ଅନେକ ଦିନ ଧରି ଯୁବକ ଲୁଚି ବୁଲୁଥିଲା । ହେଲେ ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଯୁବତୀ ଜଣକ ଆଜି ଦେବଗଡ ଆସିଥିବା ବେଳେ ଯୁବକ ଜଣକ ତାଙ୍କ ହାବୁଡରେ ପଡି ଯାଇଥିଲେ । ପୋଲିସ ହାବୁଡରୁ ସିନା ଖସି ଆସିଥିଲେ ମାତ୍ର ଯୁବତୀ ଜଣକ ହାତରୁ ଖସିବା ସମ୍ଭବପର ନଥିଲା ଯୁବକଙ୍କ ପକ୍ଷେ । ଆଉ ତା ପରେ ଯୁବତୀଙ୍କ ହାବୁଡରେ ପଡିବା ପରେ ବିଚ୍ ରାସ୍ତାରେ ଆରମ୍ଭ ହୋଇଥିଲା ଉତ୍ତମ ମଧ୍ୟମ ।