ମୁହଁ ଖୋଲିଲେ, ରହସ୍ୟ ବଢାଇଲେ ରଞ୍ଜୀବ । କହିଲେ, କଂଗ୍ରେସ ଛାଡିବା ପାଇଁ ମୋତେ ଟଙ୍କା ଯାଚିବା ଘଟଣା ମିଛ, ଭଲ ଲାଗିବା ଯାଏଁ ଦଳରେ ରହିବି ।

858

କନକ ବ୍ୟୁରୋ : ଦୀର୍ଘ ଦିନ ପରେ ମୁହଁ ଖୋଲିଲେ କଂଗ୍ରେସ ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳ । କଂଗ୍ରେସର ବିପର୍ଯ୍ୟୟକୁ ନେଇ ବଡ ବୟାନ ଦେଇଛନ୍ତି ରଞ୍ଜୀବ । କଂଗ୍ରେସର ବିପର୍ଯ୍ୟୟ ପାଇଁ ସମସ୍ତ ତୁଙ୍ଗ ନେତାଙ୍କୁ ଦାୟୀ କରିବା ସହ ନିରଞ୍ଜନ ପିସିସି ସଭାପତି ପଦରେ ରହିବା ଆବଶ୍ୟକ ବୋଲି ମତ ଦେଇଛନ୍ତି ରଞ୍ଜୀବ । ରାଜ୍ୟରେ କଂଗ୍ରେସର ଯେଉଁ ଅବସ୍ଥାରେ ରହିଛି ସେଥିରୁ କେବଳ ନିରଞ୍ଜନ ହିଁ ଦଳକୁ ଆଗକୁ ନେଇପାରିବେ । ନିରଞ୍ଜନଙ୍କ ଭଳି ଅନୁଭବୀ ଓ ଅଭିଜ୍ଞତା ଥିବା ନେତା ପିସିସି ସଭାପତି ପଦ ଛାଡିବା ଦଳକୁ ଆହୁରି ପଛକୁ ଠେଲିଦେବ ବୋଲି କହିଛନ୍ତି ରଞ୍ଜୀବ ।

ଏହାଛଡା ରଞ୍ଜୀବ କହିଛନ୍ତି, କଂଗ୍ରେସକୁ ଆଗକୁ ନେବାକୁ ହେଲେ ସମସ୍ତ ବରିଷ୍ଠ ନେତା ମାନଙ୍କୁ ଏକ ମନ ଏକ ପ୍ରାଣରେ କାମ କରିବାକୁ ପଡିବ । ଦେଶର ସବୁଠୁ ପୁରୁଣା ଦଳ ପୁଣିଥରେ କ୍ଷମତାକୁ ଫେରିବାକୁ ହେଲେ ନିଜର ଷ୍ଟ୍ରାଟେଜି ବଦଳାଇବାକୁ ପଡିବ । ନିରଞ୍ଜନ ନେତୃତ୍ୱରେ ଦଳ ପୁଣିଥରେ ଗ୍ରାଉଣ୍ଡରେ କାମ କରିବା ଆବଶ୍ୟକ ବୋଲି କହିଛନ୍ତି ରଞ୍ଜୀବ । ଏବେ ପିସିସି ସଭାପତି ହେବାକୁ ତାଙ୍କର ଇଚ୍ଛା ନାହିଁ ବୋଲି କହିଛନ୍ତି ରଞ୍ଜୀବ ।

ଏସବୁ ଭିତରେ ଅନ୍ୟ ଦଳକୁ ଯିବା ନେଇ ଚର୍ଚ୍ଚାରେ ମଧ୍ୟ ପୂଣ୍ଣଚ୍ଛେଦ ପକାଇଛନ୍ତି ରଞ୍ଜୀବ । ପୂର୍ବରୁ ଟ୍ରିପଲ ତଲାକ ବିଲ୍ ରାଜ୍ୟସଭାରେ ପାରିତ ହେବା ବେଳେ ରଞ୍ଜୀବ ଗୃହରେ ଅନୁପସ୍ଥିତି ରହିବାକୁ ନେଇ ରାଜନୀତି ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏପରିକି ଅନ୍ୟ ଏକ ଦଳକୁ ଯିବା ନେଇ ରଞ୍ଜୀବଙ୍କ ସହ ୪୦ କୋଟି ଟଙ୍କାର ଡିଲ୍ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । ତେବେ ଏନେଇ ରଞ୍ଜୀବ କହିଛନ୍ତି, ତାଙ୍କୁ କୌଣସି ଦଳ ପକ୍ଷରୁ ଟଙ୍କା ଯାଚିବା ଘଟଣା ସମ୍ପୂର୍ଣ୍ଣ ମିଛ । ଏବେ ପର୍ଯ୍ୟନ୍ତ ମୁଁ କଂଗ୍ରେସରେ ଅଛି । ଯେତେବେଳେ ଯାଏଁ ଭଲ ଲାଗିବ ସେତେବେଳେ ଯାଏଁ ଦଳରେ ରହିବି ବୋଲି କହି ରହସ୍ୟ ବଢାଇଥିଲେ ରଞ୍ଜୀବ ।