ରଂଜନ ଗୋଗଇଙ୍କୁ ପରବର୍ତୀ ମୁଖ୍ୟ ବିଚାରପତି ପାଇଁ ଭାରତ ସରକାରଙ୍କୁ ଚିଠି ଲେଖିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ର ।

28

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ପରବର୍ତି ମୁଖ୍ୟ ବିଚାରପତି ପାଇଁ ଜଷ୍ଟିସ ରଂଜନ ଗୋଗଇଙ୍କ ନାଁ ସୁପାରିଶ କରିଛନ୍ତି ପ୍ରଧାନବିଚାରପତି ଜଷ୍ଟିସ ଦୀପକ ମିଶ୍ର । କେନ୍ଦ୍ର ସରକାରଙ୍କ ନିକଟକୁ ସେ ଏନେଇ ଏକ ପତ୍ର ଲେଖିଛନ୍ତି । ଅକ୍ଟୋବର ୨ ତାରିଖରେ ଜଷ୍ଟିସ ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ସରୁଛି । ଏହି ଦିନ ଜାତୀୟ ଛୁଟି ଦିବସ ହୋଇଥିବାରୁ ଦୀପକଙ୍କ ଶେଷ କାର୍ଯ୍ୟଦିବସ ହେଉଛି ଅକ୍ଟୋବର ପହିଲା । ତେଣୁ କେନ୍ଦ୍ର ସରକାର ଯଦି ଦୀପକ ମିଶ୍ରଙ୍କ ସୁପାରିଶକୁ ଗ୍ରହଣ କରନ୍ତି ତାହାହେଲେ ଗୋଗଇ ହେବେ ଦେଶର ପରବର୍ତୀ ପ୍ରଧାନ ବିଚାରପତି ।

 

ନିୟମ ଅନୁସାରେ, ଅବସର ନେବାକୁ ଥିବା ବିଚାରପତି ଅଫିସ ଛାଡିବାର ଗୋଟିଏ ମାସ ପୂର୍ବରୁ ମୁଖ୍ୟ ବିଚାରପତିଙ୍କ ନାଁ ସୁପାରିସ କରିବେ । ଯଦି ସୁପାରିସକୁ କେନ୍ଦ୍ର ସରକାର ଗ୍ରହଣ କରନ୍ତି ଅକ୍ଟୋବର ୩ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ ଗୋଗଇଙ୍କୁ ମୁଖ୍ୟ ବିଚାରପତି ଭାବେ ଶପଥ ପାଠ କରାଇବେ । ଦୀପକ ମିଶ୍ରଙ୍କ ଅକ୍ଟୋବର ୨ ତାରିଖରେ କାର୍ଯ୍ୟକାଳ ଶେଷ ହେବ । ଅଗଷ୍ଟ ଶେଷ ସପ୍ତାହରେ କେନ୍ଦ୍ର ଆଇନ ମନ୍ତ୍ରୀ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରିଥିଲେ ପରବର୍ତି ବିଚାରପତିଙ୍କ ନାଁ ସୁପାରିସ କରିବାକୁ । ଜଷ୍ଟିସ ଗୋଗେଇ ହେଉଛନ୍ତି ଆସାମର । ସେ ୧୯୫୪ରେ ଜନ୍ମଗ୍ରହଣ କରିଥିଲେ । ଜଷ୍ଟିସ ଗୋଗେଇ ସୁପ୍ରିମକୋର୍ଟରେ ୪ ଜଣଙ୍କ ଭିତରୁ ଜଣେ ଯିଏ ଜାନୁଆରୀରେ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନ ବିଚାରପତିଙ୍କ ବିରୋଧରେ ବିଷୋଦଗାର କରିଥିଲେ ।