ଲିଙ୍ଗରାଜ ମନ୍ଦିରରେ ଭିଡିଓ ରେକଡିଂ ବିବାଦ ନେଇ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ସଫେଇ ! ଟ୍ୱିଟ୍ କରି କହିଲେ, ମନ୍ଦିରର ପୂଜାରୀ ଓ ସିକ୍ୟୁରିଟି ଗାର୍ଡ଼ ଉଠାଉଥିଲେ ଫଟୋ

42

କନକ ବ୍ୟୁରୋ : ବିନା ଅନୁମତିରେ ମନ୍ଦିରରେ ଫଟୋ ଉଠାଇଥିବା ଅଭିଯୋଗରେ ପକ୍ଷ ରଖିଛନ୍ତି ଅଭିନେତ୍ରୀ ରବୀନା ଟଣ୍ଡନ । ମନ୍ଦିରର ପୂଜାରୀ ଓ ସିକ୍ୟୁରିଟି ଗାର୍ଡ଼ ଉଠାଉଥିଲେ ଫଟୋ ଉଠାଇଥିଲେ ବୋଲି ଟ୍ୱିଟ୍ କରି କହିଲେ । ମନ୍ଦିରରେ ପୂଜାରୀ ଓ ସିକ୍ୟୁରିଟି ମୋବାଇଲ ଧରିଥିଲେ । ସେମାନେ ଫଟୋ ସହ ସେଲଫି ଉଠାଉଥିଲେ ବୋଲି ରବୀନା ଟ୍ୱିଟ୍ କରିଛନ୍ତି । ପୂଜାରୀ ଓ ସିକ୍ୟୁରିଟି ଫୋନ ଧରିଥିବାରୁ ସେ ମୋବାଇଲ ବ୍ୟାନ କଥା ଜାଣିପାରିଲେନି ବୋଲି କହିଛନ୍ତି ।

ଗତ ରବିବାର ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ଲିଙ୍ଗରାଜ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରିବା ପରେ ମା ପାର୍ବତୀଙ୍କ ମନ୍ଦିର ମୁଖଶାଳା ନିକଟରେ ବସି ନିଜ ମୋବାଇଲରେ ଫଟୋ ଉଠାଇଥିବା ଅଭିଯୋଗ ହୋଇଛି । ରବିନା ଟଣ୍ଡନ ବିନା ଅନୁମତିରେ ମୋବାଇଲରେ ଫଟୋ ଉଠାଇଥିବା ଅଭିଯୋଗରେ ଏଫଆଇଆର କରିଛି ଲିଙ୍ଗରାଜ ମନ୍ଦିର ପ୍ରଶାସନ । ନିୟମ ଭାଙ୍ଗିବା ଅଭିଯୋଗରେ ଲିଙ୍ଗରାଜ ଥାନାରେ ଲିଖିତ ଏତଲା ଦିଆଯାଇଛି ।

ସୂଚନାଯୋଗ୍ୟ ମନ୍ଦିର ଭିତରେ ମୋବାଇଲ ବ୍ୟବହାର କରିବା କିମ୍ବା ଫଟୋ ଉଠାଇବାକୁ ଫ୍ଲେକ୍ସବୋର୍ଡ ଲଗାଇ ସଚେତନ କରାଯାଇଥିଲେ ମଧ୍ୟ ଅଭିନେତ୍ରୀ କେଉଁ ପରିସ୍ଥିତିରେ ଏହାର ଉଲ୍ଲଂଘନ କଲେ ତାର ଯାଂଚ ହେବ ବୋଲି ମନ୍ଦିର ପ୍ରଶାସନ ଅଭିଯୋଗ କରିଥିଲା ।