ପୁଅକୁ ଦେଖି ପିତା କହିଲେ “ଇଏ ତ ଅସଲି ସଂଜୁ”! ପିତା ଋଷି କପୁରଙ୍କ ଠାରୁ ପ୍ରଥମଥର ପାଇଁ ପ୍ରଶଂସା ପାଇ ଭାବୁକ ହେଲେ ରଣବୀର ।

22

ବଲିଉଡ ଅଭିନେତା ରଣବୀର କପୁରଙ୍କ ଆଗାମୀ ଫିଲ୍ମ ‘ସଞ୍ଜୁ’ର ଟ୍ରେଲର ଦେଖିବା ପରେ ତାଙ୍କ ପିତା ତଥା ବରିଷ୍ଠ ଅଭିନେତା ଋଷି କପୁରଙ୍କ ପ୍ରତିକ୍ରିୟା ଦେଖି ରଣବୀର ଭାବୁକ ହୋଇଯାଇଛନ୍ତି । ସେ କହିଛନ୍ତି ଯେ ତାଙ୍କ ପାଇଁ ପିତା ଋଷି କପୁରଙ୍କୁ ଖୁସି କରିବା ଏତେ ସହଜ ନୁହେଁ । କିନ୍ତୁ ରଣବୀରଙ୍କ ମା’ ଅଭିନେତ୍ରୀ ନିତୁ କପୁର ତାଙ୍କର ଜଣେ ବଡ ପ୍ରଶଂସିକା ବୋଲି ରଣବୀର କହିଛନ୍ତି ।ଆପଣଙ୍କୁ କହିରଖୁଛୁ ଯେ ୩୦ ମଇରେ ଫିଲ୍ମର ଟ୍ରେଲର ରିଲିଜ କରାଯାଇଥିଲା । କିନ୍ତୁ ରଣବୀରଙ୍କ ମାତା ପିତାଙ୍କୁ ଫିଲ୍ମର ପ୍ରଡ୍ୟୁସର ବିଦୁ ବିନୋଦ ଚୋପଡା ଏବଂ ନିର୍ଦ୍ଦେଶକ ରାଜକୁମାର ହିରାନୀ ଏହା ରିଲିଜ ପୂର୍ବରୁ ଟ୍ରେଲର ଦେଖାଇଥିଲେ । ଏହାକୁ ଦେଖିବା ପରେ ଋଷି କପୁର ନିତୁଙ୍କ ମୁଣ୍ଡରେ ହାତ ରଖି କହିଥିଲେ, “ତୁମ ରାଣ ଖାଇ କହୁଛି ମୋତେ ଲାଗିଲା ଇଏ ହେଉଛନ୍ତି ସଂଜୟ ଦତ୍ତ ।”
ବୁଧବାର ଫିଲ୍ମର ଟ୍ରେଲର ରିଲିଜ ସମୟରେ ଗଣମାଧ୍ୟମ ରଣବୀରଙ୍କୁ ଋଷି କପୁରଙ୍କ ପ୍ରତିକ୍ରିୟା ଉପରେ ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତରରେ ସେ କହିଥିଲେ, ‘ମୋ ପିତା ହେବା ସହିତ ସେ ଜଣେ ଭଲ ଏବଂ ବରିଷ୍ଠ ଅଭିନେତା । ତାଙ୍କୁ ମୁଁ ଖୁବ ସମ୍ମାନ କରେ । ସେ ମୋ ସାମ୍ନାରେ କେବେ ମଧ୍ୟ କୁହନ୍ତି ନାହିଁ କି ମୁଁ ଭଲ କରିଛି ବୋଲି । ଏହାର କାରଣ ବୋଧେ ସେ ମୋ ପ୍ରଶଂସା କରି ମୋ ମନରେ ଅହଙ୍କାର ଆଣିବାକୁ ଚାହୁଁନାହାନ୍ତି । କିନ୍ତୁ ତାଙ୍କ ମୁହଁରୁ ଏପରି ଶୁଣି ଆଶ୍ଚର୍ୟ୍ୟ ଲାଗିଲା । ସେ ଏପରି କହି ମୋତେ ଭାବୁକ କରି ଦେଲେ ।’