ରାଇସିନା ହିଲ୍ ରେସରେ ବିହାର ରାଜ୍ୟପାଳ ! ସମର୍ଥନ ଜଣାଇଲେ ନବୀନ୍

37

କନକ ବ୍ୟୁରୋ : ସବୁ କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ଟାଣି ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି ଏନଡିଏ । ବର୍ତ୍ତମାନ ବିହାର ରାଜ୍ୟପାଳ ଥିବା ରାମନାଥ କୋବିନ୍ଦଙ୍କ ନାଁକୁ ଚୂଡାନ୍ତ କରିଛି ବିଜେପି ସଂସଦୀୟ ବୋର୍ଡ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଆଗାମୀ ୨୩ ତାରିଖରେ ସେ ପ୍ରାର୍ଥିପତ୍ର ଦାଖଲ କରିବା ସମ୍ଭାବନା ରହିଛି ।

ରାମନାଥଙ୍କ ପ୍ରାର୍ଥୀତ୍ୱକୁ ଟ୍ୱିଟ୍ କରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ ଜଣେ ଚାଷୀଙ୍କ ପୁଅ ଓ ଗରିବ ପରିବାରରୁ ଆସିଥିବାରୁ ଗରିବ ଓ ନିମ୍ନ ବର୍ଗର ଲୋକଙ୍କ ଉନ୍ନତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଲେଖିଛନ୍ତି ମୋଦି । ନିର୍ବାଚନ ପରିବର୍ତ୍ତେ ସମସ୍ତ ଦଳର ସହମତିରେ ନିଜ ପ୍ରାର୍ଥୀଙ୍କୁ ରାଷ୍ଟ୍ରପତି କରିବାକୁ ଚାହୁଁଛି ବିଜେପି । ହେଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଜଣେ ଦଳିତ ନେତା ରାମନାଥଙ୍କ ନାଁକୁ ଘୋଷଣା କରିଛି ଦଳ । ତେଣୁ ନିଜ ପସନ୍ଦର ପ୍ରାର୍ଥୀ ଚୟନ ପରେ ଆଲୋଚନାର କୌଣସି କାରଣ ନାହିଁ ବୋଲି ସଫାସଫା କହିଦେଇଛି କଂଗ୍ରେସ୍ । ତେଣୁ ୟୁପିଏ ନେତୃତ୍ୱାଧୀନ ଅଣବିଜେପି ମେଂଟ ଆଗାମୀ ୨୨ରେ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ସ୍ଥିର କରିବାକୁ ଏକାଠି ହେଉଛି ।

ଆଶ୍ଚର୍ଯ୍ୟ ଜନକ ଭାବେ ରାମନାଥଙ୍କ ନାଁ ଘୋଷଣା କରାଯାଇଥିବାରୁ ଏନଡିଏ ମେଂଟ ସହଯୋଗୀ ଶିବସେନା ଅସନ୍ତୋଷ ପ୍ରକାଶ କରିଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଖୁସି ଜାହିର କରିଛନ୍ତି । ରାଜ୍ୟପାଳ ରାମନାଥ କୋବିନ୍ଦଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କୋବିନ୍ଦଙ୍କୁ ଜଣାଇଛନ୍ତି ସମର୍ଥନ । ମୋଦିଙ୍କ ସହ ଫୋନରେ କଥା ହେବା ପରେ ନିଜର ସମର୍ଥନ ଜଣାଇଛନ୍ତି ନବୀନ୍  । ଏନଡିଏ ପ୍ରାର୍ଥୀ ଘୋଷଣା କଲାପରେ ଯାହାକିଛି ନିଷ୍ପତି ନେବେ ବୋଲି କହିଥିଲେ ନବୀନ । ସେପଟେ ରାମନାଥଙ୍କୁ ଟ୍ୱିଟରରେ ପ୍ରଶଂସା କରିଛନ୍ତି ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ।