ଶ୍ରୀଜିଉଙ୍କୁ ଦର୍ଶନ ସହ ପତ୍ନୀଙ୍କ ସହ ବେଢା ବୁଲିଲେ ରାଷ୍ଟ୍ରପତି ! ଦକ୍ଷିଣା ନଦେବାରୁ ଅସନ୍ତୋଷ ପ୍ରକାଶ କଲେ ସେବାୟତ

44

କନକ ବ୍ୟୁରୋ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପତ୍ନୀଙ୍କ ସହ ଶ୍ରୀମନ୍ଦିରରେ ଜଗନ୍ନାଥ ଦର୍ଶନ କରିଛନ୍ତି । ସକାଳ ପ୍ରାୟ ସାଢେ ୭ଟାରେ ସେ ଶ୍ରୀମନ୍ଦିର ପ୍ରବେଶ କରି ବେଢା ଭିତରେ ପ୍ରାୟ ୪୫ ମିନିଟ ଧରି ରହିଥିଲେ । ଗର୍ଭଗୃହରେ ସେ ପ୍ରାୟ ୨୦ ମିନିଟ ଧରି ରହିଥିଲେ । ଏହା ପରେ ପ୍ରାୟ ୮ଟା ୧୫ ବେଳକୁ ସେ ଜଗନ୍ନାଥ ଦର୍ଶନ ସାରି ଫେରିଥିଲେ । ରତ୍ନସିଂହାସନରେ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ବିମଳା ଓ ମହାଲକ୍ଷ୍ମୀ ମନ୍ଦିର ବି ଯାଇଥିଲେ । ମହାମହିମଙ୍କୁ ସ୍ୱାଗତ କରିବା ପାଇଁ ପୁରୀ ଗଜପତିଙ୍କ ସମେତ ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଉପହାରସ୍ୱରୂପ ରାଷ୍ଟ୍ରପତିଙ୍କୁ ପଟଚିତ୍ର, ଖଣ୍ଡୁଆ ଦିଆଯାଇଥିଲା । ଆଲୋଚନାବେଳେ ରାମନାଥ କୋବିନ୍ଦ ଶ୍ରୀମନ୍ଦିରରେ ଅଧିକ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଥିଲେ । ସେହିଭଳି ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ଆହୁରି ସୁବିଧା ସୁଯୋଗ ଦେବା ଉପରେ ମଧ୍ୟ ରାଷ୍ଟ୍ରପତି ଗୁରୁତ୍ୱ ଦେଇଛନ୍ତି ।

ସେପଟେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ ବେଳେ ସେବାୟତଙ୍କୁ ପାଉଣା ନ ଦେବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସେବାୟତ । କୈଳିକ ପଣ୍ଡାଙ୍କୁ ସେବା ସୁଯୋଗ ଦିଆଯାଇନଥିବାକୁ ବି ସେବାୟତ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ଆଜି ଶ୍ରୀମନ୍ଦିର ଗସ୍ତ ବେଳେ ରାମନାଥ କୋବିନ୍ଦ ସେବାୟତଙ୍କୁ କୌଣସି ପାଉଣା ଦେଇନଥିଲେ । ଏହାକୁ ନେଇ ସେବାୟତ ନାରାଜ ହୋଇଛନ୍ତି ।

ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶତବାର୍ଷିକୀ ସମାରୋହରେ ଯୋଗ ଦେବେ ରାଷ୍ଟ୍ରପତି । ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶହେ ବର୍ଷ ପୂର୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପାଖାପାଖି ୧୦ ଟା ୪୫ ମିନିଟ୍ ଯାଏ ରାଷ୍ଟ୍ରପତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସମ୍ଭାବନା ରହିଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଏହା ପରେ ଭୁବନେଶ୍ୱର ଅଭିମୁଖେ ବାହାରିବେ ରାଷ୍ଟ୍ରପତି । ଭୁବନେଶ୍ୱର ଅରଗୁଳ ସ୍ଥିତ ଆଇଆଇଟି ସମାବର୍ତନ ଉତ୍ସବରେ ସାମିଲ ହେବେ ରାଷ୍ଟ୍ରପତି । ଏହା ପରେ ସନ୍ଧ୍ୟା ସାଢେ ୫ଟାରେ ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି ।