ଦେଶ ପାଳୁଛି ରାକ୍ଷୀ ପୂର୍ଣ୍ଣିମା ! ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରୀ

53

କନକ ବ୍ୟୁରୋ : ରାଷ୍ଟ୍ରପତି ଭବନରେ ରକ୍ଷାବନ୍ଧନ । ରାକ୍ଷୀ ବନ୍ଧାଇଲେ ରାଷ୍ଟ୍ରପତି । ରକ୍ଷା ବନ୍ଧନ ଅବସରରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାକ୍ଷୀ ବାନ୍ଧିଛନ୍ତି ସ୍କୁଲ ଛାତ୍ରୀ । ଦିଲ୍ଲୀର ବିଭିନ୍ନ ସ୍କୁଲ ଛାତ୍ରୀମାନେ ରାଷ୍ଟ୍ରପତି ଭବନ ଯାଇ କୋବିନ୍ଦଙ୍କୁ ରାକ୍ଷୀ ବାନ୍ଧିଛନ୍ତି । ନିଜ ନିଜ ସ୍କୁଲ ଶିକ୍ଷକଙ୍କ ସହ ଆସି ଜଣେ ପରେ ଜଣେ ଛାତ୍ରୀ ରାଷ୍ଟ୍ରପତିଙ୍କୁ ରାକ୍ଷୀ ବାନ୍ଧିଛନ୍ତି । ଏହା ସହ ପାଖରେ ଉପସ୍ଥିତ ରାଷ୍ଟ୍ରପତିଙ୍କ ପତ୍ନୀ ତଥା ଦେଶର ପ୍ରଥମ ମହିଳାଙ୍କୁ ମଧ୍ୟ ଛୋଟ ଛୋଟ ସ୍କୁଲ ପିଲା ରାକ୍ଷୀ ବାନ୍ଧିଛନ୍ତି । ପିଲାମାନଙ୍କ ହାତରୁ ରାକ୍ଷୀ ପିନ୍ଧିବା ସହ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ପିଲାମାନଙ୍କୁ ଚକୋଲେଟ୍ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ବାନ୍ଧିଲେ ରାକ୍ଷୀ । ଆଜି ରକ୍ଷାବନ୍ଧନରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାକ୍ଷୀ ବାନ୍ଧିଛନ୍ତି ସ୍କୁଲ ଛାତ୍ରୀ । ଦିଲ୍ଲୀର ବିଭିନ୍ନ ସ୍କୁଲର ଛାତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ପିନ୍ଧାଇଛନ୍ତି । ଛୋଟ ଛୋଟ ପିଲାଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ପିନ୍ଧାଇବା ପାଇଁ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଛାତ୍ରୀଙ୍କ ସହ ସ୍କୁଲର ଶିକ୍ଷୟିତ୍ରୀମାନେ ମଧ୍ୟ ମୋଦିଙ୍କୁ ରାକ୍ଷୀ ବାନ୍ଧିଛନ୍ତି । ଏହା ସହ ବୃନ୍ଦାବନରୁ ଆସିଥିବା ବିଧବା ମହିଳା ଓ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଭଉଣୀ ମାନେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାକ୍ଷୀ ପିନ୍ଧାଇଛନ୍ତି ।

ଏପଟେ ନବୀନ ନିବାସରେ ବି ରକ୍ଷାବନ୍ଧନ ପାଳିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ସ୍କୁଲର ଛାତ୍ରୀ ଓ ସଙ୍ଗଠନ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବନ୍ଧାଯାଇଥିଲା । ଏଥିପାଇଁ ଆଜି ସକାଳୁ ନବୀନ ନିବାସରେ ମନ୍ତ୍ରୀ ଉଷାଦେବୀ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ରାକ୍ଷୀ ବାନ୍ଧିଥିଲେ । ଏହି ଅବସରରେ ରାଜ୍ୟବାସୀଙ୍କୁ ରାକ୍ଷୀପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ରାକ୍ଷୀ ପିନ୍ଧିଲେ ବିଜୟ । ବିଜେପି ନେତା ବିଜୟ ମହାପାତ୍ରଙ୍କୁ ରାକ୍ଷୀ ବାନ୍ଧିଛନ୍ତି ସ୍କୁଲ ଛାତ୍ରୀ । ଭୁବନେଶ୍ୱରରେ ବିଭିନ୍ନ ସ୍କୁଲର ଛାତ୍ରୀ ବିଜୟଙ୍କୁ ଭେଟି ରାକ୍ଷୀ ବାନ୍ଧିବା ସହ ତାଙ୍କର ଆଶୀର୍ବାଦ ନେଇଛନ୍ତି । ଆଉ ରାକ୍ଷୀ ବନ୍ଧାଇବା ପରେ ଛୋଟ ପିଲାମାନଙ୍କ ଶୁଭକାମନା କରିବା ସହ ସେମାନଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ନେତା ବିଜୟ ମହାପାତ୍ର ।