ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ ! 

24

କନକ ବ୍ୟୁରୋ : ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି । ଦିନ ୧୧ଟାରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ । ଉଭୟ ବିଜେଡି ଓ ବିଜେପି କୋବିନ୍ଦଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରୁଥିବା ବେଳେ ସେମାନଙ୍କୁ କୋବିନ୍ଦ ପୃଥକ୍ ପୃଥକ୍ ଭାବେ ଭେଟିବାର କାର୍ଯ୍ୟକ୍ରମ ରହିଛି । କୋବିନ୍ଦ ବିମାନ ବନ୍ଦରରେ ପହଂଚିବା ପରେ ରାଜ୍ୟ ଅତିଥି ଭବନ ଯିବେ । ଦିନ ୧୧ଟା ୪୫ରେ ଅତିଥି ଭବନରୁ ବାହାରି ବିଧାନସଭା ସମ୍ମିଳନୀ କକ୍ଷ ଯିବେ ।

ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେଡିର ସମସ୍ତ ବିଧାୟକ ଓ ସାଂସଦମାନଙ୍କୁ ଭେଟିବେ ଓ ଭୋଟ୍ ସଂପର୍କରେ ଆଲୋଚନା କରିବେ । ସେଠାରୁ ଦିନ ୧.୧୦ରେ ସିଧାସଳଖ ଯିବେ ନବୀନ ନିବାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସହ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବେ । କୋବିନ୍ଦ ନବୀନ ନିବାସରେ ଦିନ ୧ଟା ୨୦ରୁ ୨ଟା ପର୍ଯ୍ୟନ୍ତ ରହିବେ ।

ତା’ପରେ ରାଜ୍ୟ ସଂଗ୍ରହଳାୟ ଛକରେ ଥିବା ସ୍ୱାଧୀନତା ସଂଗ୍ରାମୀ ଓ ପାଇକ ବିଦ୍ରୋହର ସଂଗ୍ରାମୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବେ । ସେଠାର ଫେରି ରାଜଭବନ ଛକରେ ଥିବା ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କ ବାସଭବନକୁ ଯିବେ ଓ ବିଜେପିର ବିଧାୟକ ଓ ସାଂସଦମାନଙ୍କ ସହ ଆଲୋଚନା କରିବେ । ଅପରାହ୍ଣ ୪ଟାରେ କନକବର୍ଦ୍ଧନ ସିଂହଦେଓଙ୍କ ବାସଭବନରେୁ ଦିଲ୍ଲୀ ଫେରିବେ ।