ଆରପାରିରେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ଅଭିନେତା ରାମଚନ୍ଦ୍ର ପ୍ରତିହାରୀ ! ୮୭ ବର୍ଷ ବୟସରେ ପରଲୋକ ।

99

ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ଅଭିନେତା ରାମଚନ୍ଦ୍ର ପ୍ରତିହାରୀଙ୍କ ରବିବାର ପରଲୋକ ହୋଇଯାଇଛି । ଦୀର୍ଘ ଦିନ ହେବ ସେ ଅସୁସ୍ଥତା ଅନୁଭବ କରୁଥିଲେ । ଆଜି ପୁରୀରେ ରାମଚନ୍ଦ୍ର ପ୍ରତିହାରୀଙ୍କ ୮୭ ବର୍ଷ ବୟସରେ ହୃଦ୍ଘାତ କାରଣରୁ ବିୟୋଗ ହୋଇଛି ।

ଓଡ଼ିଶାର ପ୍ରସିଦ୍ଧ ରଂଗମଂଚ ପୁରୀର ‘ଅନ୍ନପୂର୍ଣ୍ଣ ଥ୍ରିଏଟର’ର କଳାକାର ରାମଚନ୍ଦ୍ର ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିହାରୀ ଭାବରେ ନିଯୁକ୍ତ ହୋଇଥିଲେ ମଧ୍ୟ କଳା ପ୍ରତି ତାଙ୍କର ଦୁର୍ବଳତା ଥିଲା । ଏଥି ପାଇଁ ସେ ଜନତା ରଙ୍ଗମଂଚରୁ କ୍ୟାରିୟର କରିବା ପାଇଁ ମନସ୍ଥ କରି ସଫଳତା ମଧ୍ୟ ପାଇଥିଲେ । ସେଠାରେ ବେଶ କେତୋଟି ନାଟକରେ ଜୀବନ୍ତ ଅଭିନୟ କରିବା ପରେ ଅଭିନେତା ଭାବରେ ଦର୍ଶକଙ୍କ ନିକଟରେ ଲୋକପ୍ରିୟ ହୋଇ ପାରିଥିଲେ । ତା’ ପରେ ରାମ ପ୍ରତିହାରୀ ଆଉ ପଛକୁ ଫେରି ନଥିଲେ ।

ତତ୍କାଳୀନ ପ୍ରଯୋଜକ ସ୍ୱର୍ଗତ ଧୀର ବିଶ୍ୱାଳ ସର୍ବ ପ୍ରଥମେ ରାମ ପ୍ରତିହାରୀଙ୍କୁ ଓଡ଼ିଆ ଚଳଚ୍ଚିତ୍ର ‘ନୂଆବୋଉ’ରେ ଅଭିନୟ କରିବାରେ ସୁଯୋଗ ଦେଇଥିଲେ । ଏହି ସିନେମାରେ ସେ ଲୋକପ୍ରିୟ ଅଭିନେତା ପ୍ରଶାନ୍ତ ନନ୍ଦଙ୍କ ବଡ଼ ଭାଇ ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ସେ ଚଳଚ୍ଚିତ୍ର ‘ନୀଳମାଧବ’ରେ ଅଭିନୟ କରିଥିଲେ । ପରେ ସେ ରଂଗମଂଚ ଏବଂ ଯାତ୍ରା ଜଗତରେ ଅଧିକ ସକ୍ରିୟ ହୋଇଥିଲେ । ଓଡ଼ିଶା ସରକାରଙ୍କ ଦ୍ୱାରା ରାମଚନ୍ଦ୍ର ପ୍ରତିହାରୀଙ୍କୁ ‘ଜୟଦେବ ପୁରସ୍କାର’ ମିଳିଥିଲା । ସେହିପରି ରାମଚନ୍ଦ୍ରଙ୍କୁ ‘ଅଲ୍ ଇଣ୍ଡିଆ ସିନେ କ୍ରିଟିକ ଆଓ୍ଵାର୍ଡ’ ମଧ୍ୟ ମିଳିଥିଲା । ନାଟ୍ୟକାର ପ୍ରତିହାରୀଙ୍କ ବିୟୋଗରେ ସାହିତ୍ୟିକ-ନାଟ୍ୟକାର ମହଲରେ ଶୋକର ଛାୟା ଖେଳି ଯାଇଛି ।