ପଂଚାୟତରେ ରମଣ ରାଜନୀତି ! ବିଜେପିର ଷ୍ଟାର କ୍ୟାମ୍ପେନ ରଣନୀତିକୁ ବିଜେଡିର ସମାଲୋଚନା

14

କନକ ବ୍ୟୁରୋ : ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ ଓଡିଶାରେ ମହାନଦୀ ଦ୍ୱାରା ପ୍ରଭାବିତ ହେଉନଥିବା ଜିଲ୍ଲାରେ ପ୍ରଚାର କରିବେ । ଆସନ୍ତା ୯ତାରିଖରୁ ବଲାଙ୍ଗିର, ଝାରସୁଗୁଡା ଓ ସୁନ୍ଦରଗଡରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବିଜେପିର ଏହି ହେବିୱେଟ୍ । ସେପଟେ ବିଜେଡି କହିଛି, ସାହାସ ଅଛି ତ ଛତିଶଗଡ ମୁଖ୍ୟମନ୍ତ୍ରୀ ମହାନଦୀ ପ୍ରଭାବିତ ଅଂଚଳରେ ପ୍ରଚାର କରନ୍ତୁ ।

କିଛି ଦିନ ହେଲା ମହାନଦୀକୁ ନେଇ ଓଡିଶା ଓ ଛତିଶଗଡ ମଧ୍ୟରେ ବିବାଦ ଲାଗି ରହିଛି । ଆଉ ଏହି ନିଆଁରେ ଘିଅ ଢାଳିବା ଭଳି ହୋଇଛି କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ବୁଝାମଣା କମିଟି । ଯାହାକୁ ରୋକଠୋକ୍ ମନା କରିଦେଇଛନ୍ତି ନବୀନ । ଆଉ ଜବାବରେ ନବୀନଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଭଳି ସ୍ଥିତିରେ ରମଣ ଓଡିଶା ଆସୁଛନ୍ତି ପଂଚାୟତ ପ୍ରଚାର ପାଇଁ । ତେବେ ରମଣଙ୍କ ପ୍ରଚାର ବିଜେପିର ଭୋଟ୍ ଛିଡାଇବ ନା ଯୋଡିବ ତାକୁ ନେଇ ଚାଲିଛି ଅଙ୍କକଷା ।

ସୁନ୍ଦରଗଡର ତଳସରା ନିର୍ବାଚନ ମଣ୍ଡଳୀ । ୬୦ ବର୍ଷ ହେଲା ରହିଛି କଂଗ୍ରେସ କବଜାରେ । ଏବେ ଏଥିରେ ଧଶେଇ ପଶିବାକୁ ଉଦ୍ୟମ କରୁଛି ରାଜ୍ୟ ବିଜେପି । ଆଉ ପ୍ରଚାରର ମଙ୍ଗ ଧରାଇଛି ରମଣଙ୍କ ହାତରେ ।

ନେତା ବି ଦାବି କରୁଛନ୍ତି, ରମଣ ସିଂଙ୍କ ପ୍ରଚାରରୁ ଓଡିଶା ବିଜେପି ଲାଭବାନ ହେବ । ରମଣ ପ୍ରଚାରରେ ସାମିଲ ହେଲେ ତାଙ୍କ ବ୍ୟକ୍ତିତ୍ୱ ଓ ସୁଶାସନର ପ୍ରଭାବ ନିଶ୍ଚିତ ପଡିବ । ହେଲେ ରମଣଙ୍କୁ ଘେରିବାକୁ ବିଜେଡି ଅସ୍ତ୍ର କରିଛି ମହାନଦୀ ପାଣିକୁ । ଆଉ କଂଗ୍ରେସର ସାହାରା ବିମୁଦ୍ରାକରଣ । ଏଭଳି ସ୍ଥିତିରେ ରମଣଙ୍କୁ ନେଇ ତେଜୁଛି ରାଜନୀତି ।