ବିିଜେପି ଆସିଲେ ତୁଟିବ ବିବାଦ ! ମହାନଦୀ ବିବାଦର ସମାଧାନ ପାଇଁ ରମଣ ଫର୍ମୁଲା

28

କନକ ବ୍ୟୁରୋ : ଓଡ଼ିଶାରେ ବିଜେପି ଆସିଲେ ମହାନଦୀ ବିବାଦର ସମାଧାନ ହେବ । ଦୁଇ ରାଜ୍ୟର ମଧ୍ୟ ସଂପର୍କ ସୁଦୃଢ଼ ହେବ । ପଂଚାୟତ ପ୍ରଚାର ପାଇଁ ଓଡ଼ିଶା ଆସି ଏମିତି କିଛି ଚେତାବନୀ ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ । କେବଳ ସେତିକି ନୁହେଁ ବିବାଦର ଆଳ ଦେଖାଇ ନବୀନ ସରକାର ମହାନଦୀକୁ ପଂଚାୟତ ପ୍ରସଙ୍ଗ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଓଡ଼ିଶାବାସୀଙ୍କ ମନ କିଣିବାକୁ ଭାବପ୍ରବଣ ହୋଇ ଦୁଇ ରାଜ୍ୟ ଭିତରେ ଥିବା ସଂପର୍କର ନିବିଡ଼ତା କଥା କହିଛନ୍ତି ରମଣ । ଆଉ ଓଡ଼ିଶାକୁ ବଡ଼ ଭାଇ ବୋଲି ସମ୍ବୋଧନ କରିଛନ୍ତି ରମଣ ।

ମହାନଦୀ ବିବାଦ ପାଇଁ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ ସିଧାସଳଖ ଦାୟୀ କରିଛନ୍ତି ନବୀନଙ୍କୁ ।ତେବେ ଚୁଟକିରେ ହେବ ମହାନଦୀ ବିବାଦର ରଫାଦଫା । ସମାଧାନର ଫର୍ମୁଲା ବତାଇବାକୁ ଯାଇ ରମଣ କହିଛନ୍ତି , ଏଥିପାଇଁ ଓଡ଼ିଶାରେ ପଦ୍ମ ଫୁଟିବା ଦରକାର । ଅର୍ଥାତ ବିଜେପି ସରକାର ଆସିଲେ ମହାନଦୀ ବିବାଦ ଗୋଟିଏ ଘଂଟା ଭିତରେ ସମାଧାନ ହୋଇଯିବ ।

ବିଜେପିର ଷ୍ଟାର କ୍ୟାମ୍ପେନରକୁ ନେଇ ବଲାଙ୍ଗିର ସଭାରେ ଲାଗିଥିଲା ଭିଡ । ଛତିଶଗଡକୁ ବିକାଶର ମଡେଲ କହି, ରମଣ ଆକ୍ରମଣ କରି ଚାଲିଥିଲେ ନବୀନ ସରକାରକୁ । କେବଳ ସେତିକି ନୁହଁ ମହାନଦୀକୁ ପଞ୍ଚାୟତ ରାଜନୀତିରେ ପ୍ରସଙ୍ଗ କରିବା କଥାକୁ ସେ ବିରୋଧ କରିଥିଲେ । ଆଉ ମହାନଦୀ ହିଁ ଦୁଇ ରାଜ୍ୟର ସଂପର୍କ ଡୋରି ବୋଲି କହିଥିଲେ । ଭାଷଣରେ ଭରି ରହିଥିଲା ଭାବପ୍ରବଣତା । କାରଣ ରମଣକୁ ବନିବାର ଥିଲା ଖଳନାୟକରୁ ନାୟକ । ଶତ୍ରୁରୁ ମିତ୍ର । ତେଣୁ ପ୍ରଚାର ଛଳରେ ସେ ବୁଝାଇବାକୁ ଚେଷ୍ଟା କରିଥିଲେ ଦୁଇ ରାଜ୍ୟକୁ କେମିତି ଏକତାର ଡୋରୀରେ ବାନ୍ଧି ରଖିଛି ମହାନଦୀ ।

ରାଜ୍ୟ ବିଜେପିର ନିମନ୍ତ୍ରଣ ପାଇ ଛତିଶଗଡରୁ ଉଡି ଆସିଥିଲେ ରମଣ । ହେଲେ ପଞ୍ଚାୟତ ପ୍ରଚାର ଛଳରେ ରମଣ ଦେଇଥଲେ ପାଣିର ହିସାବ । କହିଥିଲେ ମହାନଦୀର ୪ ପ୍ରତିଶତ ଜଳ ଛତିଶଗଡ ଓ ୧୩ ପ୍ରତିଶତ ଜଲ ଓଡ଼ିଶା ବ୍ୟବହାର କରୁଛି । ବାକି ପାଣି ସମୁଦ୍ରରେ ମିଶୁଛି।

ପାଣିକୁ ନେଇ ଚାଲିଛି ଓଡ଼ିଶା-ଛତିଶଗଡ ମଧ୍ୟରେ ବିବାଦ । ହେଲେ ଅସଲରେ ମହାନଦୀକୁ ପ୍ରସଙ୍ଗ କରି ଲଢେଇ ଚାଲିଛି ବିଜେପି-ବିଜେଡି ମଧ୍ୟରେ । ଏ ପ୍ରସଙ୍ଗରେ ରାଜ୍ୟବାସୀଙ୍କ ଆସ୍ଥା ହରାଇ ବିଜେପି ରମଣଙ୍କୁ ଡାକି ପ୍ୟାଚ୍ ପକାଇବାକୁ ଚେଷ୍ଟା କରୁଛି ବୋଲି ବିଜେଡି ପାଲଟା ଅଭିଯୋଗ ଆଣିଛି ।