ଅନ୍ଧାରରେ ୧୦ ହଜାର ଛାତ୍ରୀଙ୍କ ଭାଗ୍ୟ ଭବିଷ୍ୟତ ! ରମାଦେବୀ ସ୍ୱୟଂଶାସିତ ବିଶ୍ୱବିଦ୍ୟାଳୟରେ ଏଯାଏଁ ପ୍ରକାଶ ପାଇନି ରେଜଲ୍ଟ ।

48
କନକ ବ୍ୟୁରୋ : ୨୦୧୬ରେ ରମାଦେବୀ ସ୍ୱୟଂଶାସିତ ବିଶ୍ୱଦିଦ୍ୟାଳୟ ଘୋଷଣା ହେବା ପରେ ପ୍ରଥମଥରଲାଗି ଯୁକ୍ତ ତିନି ତୃତୀୟ ବର୍ଷର ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଯାଉଛି । ହେଲେ ଫଳ ପ୍ରକାଶରେ ଅହେତୁକ ବିଳମ୍ବ ପ୍ରାୟ ୧୦ ହଜାର ଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଇଛି । ବିଭିନ୍ନ ଆଳ ଦେଖାଇ ନିଜ ଉପରୁ ଦୋଷ ଛଡାଇବାକୁ ଚେଷ୍ଟା କରୁଛନ୍ତି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ । ଆଉ ସେପଟେ ମାର୍କସିଟ ପାଇଁ ଆସିଲେ ନିଜସ୍ୱ ପ୍ୟାଡରେ ନାମଲେଖା ପାଇଁ ସୁପାରିଶ କରୁଛନ୍ତି ପରୀକ୍ଷା ନିୟନ୍ତ୍ରକ । ଯାହାକୁ ନେଇ ବିରାଟ ଦ୍ୱନ୍ଦ୍ୱ ଉପୁଜିଛି ।
ରମାଦେବୀ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଛାତ୍ରୀଙ୍କୁ ଭିତିରି ରେଜଲ୍ଟ ଦେଉଥିବା ଜଣାପଡିଛି । ରମାଦେବୀ ସ୍ୱୟଂଶାସିତ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୪୬ଟି କଲେଜର ପରୀକ୍ଷା ଫଳ ଆଜିଯାଏଁ ପ୍ରକାଶ ପାଇନାହିଁ । ଉଚ୍ଚତରଶିକ୍ଷା ପାଇଁ ଇଛୁକ ଛାତ୍ରୀମାନେ ବିଭିନ୍ନ ପ୍ରବେଶିକା ପରୀକ୍ଷା ଦେଇ ଚାହିଁରହିଛନ୍ତି ପରୀକ୍ଷା ଫଳକୁ । ଆଉ ମାର୍କସିଟ ପାଇଁ ବିଶ୍ୱବିଦ୍ୟାଳୟକୁ ଆସୁଥିବା ଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ନିଜସ୍ୱ ପ୍ୟାଡରେ ନାମଲେଖା ପାଇଁ ସୁପାରିଶ କରୁଛନ୍ତି ପରୀକ୍ଷା ନିୟନ୍ତ୍ରକ ।
ସମସ୍ତଙ୍କ ପକ୍ଷରେ ଏଭଳି ବିକଳ୍ପ ବନ୍ଦୋବସ୍ତ ସମ୍ଭବ କି?
– ୪୬ଟି ଅନୁବନ୍ଧିତ କଲେଜର ୧୦ ହଜାର ଛାତ୍ରୀଙ୍କ ଭବିଷ୍ୟତ ସହ ଚାଲିଛି ସାଙ୍ଘାତିକ ଖେଳ
– ଉଚ୍ଚତର ଶିକ୍ଷା ପାଇଁ ବିଭିନ୍ନ ପ୍ରବେଶୀକା ପରୀକ୍ଷା ଦେଇ ମାର୍କସିଟକୁ ଚାହିଁ ରହିଛନ୍ତି ଛାତ୍ରୀ
– ରାଜ୍ୟ ତଥା ରାଜ୍ୟ ବାହାରର ନାଁକରା ବିଶ୍ୱବିଦ୍ୟାଳୟରେ ପିଜି ଓ ଅନ୍ୟାନ୍ୟ ପାଠ୍ୟକ୍ରମ ପାଇଁ ଶେଷ ହେବାକୁ ବସିଛି ନାମଲେଖା
– ଏହାରି ଭିତରେ ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ଏହି ଛାତ୍ରୀମାନଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲିଦେବ ନାହିଁ କି?
ଶିକ୍ଷକଙ୍କ ଆନ୍ଦୋଳନ, ସରକାରୀ ଛୁଟି ଓ ବ୍ୟାକ ପେପର ଖାତା ଦେଖାକୁ ଆଳ କରି ଦୋଷ ଛଡାଇଦେବାକୁ ଉଦ୍ୟମ କରିଛନ୍ତି ପରୀକ୍ଷା ନିୟନ୍ତ୍ରକ । ବିଳମ୍ବକୁ ନେଇ ଆଉ ଏକ ଥିଓରୀ ମଧ୍ୟ ସାମ୍ନାକୁ ଆଣିଛନ୍ତି । ବ୍ଲକଗ୍ରାଂଟ ଶିକ୍ଷକଙ୍କ ଆନ୍ଦୋଳନ ଫଳରେ ସରକାରୀ ଶିକ୍ଷକଙ୍କୁ ଖାତାଦେଖାରେ ନିୟୋଜିତ କରିବାରୁ ରମାଦେବୀ ପରୀକ୍ଷା ଫଳ ପ୍ରକାଶ ବିଳମ୍ବିତ ହୋଇଛି ।