ନବୀନ ନିବାସରେ ରାମନାଥ କୋବିନ୍ଦ : ବିମାନ ବନ୍ଦରରେ ସ୍ୱାଗତ କଲେ ବିଜେଡି ଓ ବିଜେପି ନେତା

26

କନକ ବ୍ୟୁରୋ : ଓଡିଶାରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ । ବିମାନ ବନ୍ଦରରେ ତାଙ୍କୁ ଉଭୟ ବିଜେଡି ଓ ବିଜେପି ନେତା ସ୍ୱାଗତ କରିଛନ୍ତି । ଉଭୟ ବିଜେଡି ଓ ବିଜେପି କୋବିନ୍ଦଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରୁଥିବା ବେଳେ ସେମାନଙ୍କୁ କୋବିନ୍ଦ ପୃଥକ୍ ପୃଥକ୍ ଭାବେ ଭେଟିଛନ୍ତି । କୋବିନ୍ଦ ବିମାନ ବନ୍ଦରରୁ ବାହାରି ରାଜ୍ୟ ଅତିଥି ଭବନ ଯାଇଥିଲେ । ଅତିଥି ଭବନରୁ ବାହାରି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେଡିର ସମସ୍ତ ବିଧାୟକ ଓ ସାଂସଦମାନଙ୍କୁ ଭେଟିଛନ୍ତି ଓ ନିର୍ବାଚନ ସଂପର୍କରେ ଆଲୋଚନା କରିଛନ୍ତି କୋବିନ୍ଦ ।

ବିଧାନସଭାରୁ ଦିନ ଗୋଟାଏ ୧୦ରେ ସେ ବାହାରି ସିଧାସଳଖ ନବୀନ ନିବାସ ଯାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସହ ନବୀନ ନିବାସରେ ରାମନାଥ କୋବିନ୍ଦ ମଧ୍ୟାହ୍ନ ଭୋଜନ କରିଛନ୍ତି । ନବୀନ ନିବାସରେ ଦିନ ୧ଟା ୨୦ରୁ ୨ଟା ପର୍ଯ୍ୟନ୍ତ ରହିଛନ୍ତି କୋବିନ୍ଦ । ମୁଖ୍ୟମନ୍ତ୍ରୀଙ୍କ ସହ ଭେଟି ଭଲ ଲାଗିଲା ଓ ଓଡିଶାର ଖାଦ୍ୟ ବେଶ ସ୍ୱାଦିଷ୍ଟ ବୋଲି କହିଛନ୍ତି କୋବିନ୍ଦ ।

ଏହା ପରେ ରାଜ୍ୟ ସଂଗ୍ରହାଳୟ ଛକରେ ଥିବା ସ୍ୱାଧୀନତା ସଂଗ୍ରାମୀ ଓ ପାଇକ ବିଦ୍ରୋହର ସଂଗ୍ରାମୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବେ କୋବିନ୍ଦ । ସେଠାରୁ ଫେରି ରାଜଭବନ ଛକରେ ଥିବା ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କ ବାସଭବନକୁ ଯିବେ ଓ ବିଜେପିର ବିଧାୟକ ଓ ସାଂସଦମାନଙ୍କ ସହ ଆଲୋଚନା କରିବେ । ଅପରାହ୍ଣ ୪ଟାରେ କନକ ବର୍ଦ୍ଧନ ସିଂହଦେଓଙ୍କ ବାସଭବନରୁ ଫେରିବେ କୋବିନ୍ଦ । ଏହା ପରେ ତାଙ୍କର ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି ।

ଏହାସହ ଦେଖନ୍ତୁ ଏହି ଭିଡ଼ିଓ –