ଜେଲରେ ବସିବ କୋର୍ଟ ! ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରୋହତକ ଜେଲରେ ଡେରା ମୁଖ୍ୟ ରାମରହିମଙ୍କର ହେବ ବିଚାର

23

କନକ ବ୍ୟୁରୋ : ଜେଲରେ ବସିବ କୋର୍ଟ । ଗୁରମିତ ରାମରହିମଙ୍କ ଦଣ୍ଡାଦେଶ ପାଇଁ ରୋହତକ ଜେଲରେ ବସିବ କୋର୍ଟ । ଏହି ନର୍ଦ୍ଦେଶ ଦେଇଛନ୍ତି ପଞ୍ଜାବ-ହରିୟାଣା ହାଇକୋର୍ଟ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦଣ୍ଡାଦେଶ ଶୁଣାଯିବ । ଆସନ୍ତାକାଲି ଦଣ୍ଡବିଧାନ ହେବ । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାମ ରହିମଙ୍କୁ ପଂଚକୁଲାରୁ ହେଲିକପ୍ଟରରେ ନିଆଯାଇ ରୋହତକର ସୁନାରିଆ ଜିଲ୍ଲା ଜେଲରେ ରଖାଯାଇଛି । ସେପଟେ ସିର୍ସାରେ ସକାଳ ୬ରୁ ଦିନ ୧୧ ପର୍ଯ୍ୟନ୍ତ କର୍ଫୂୁ୍ୟ କୋହଳ କରାଯାଇଛି ।

ସୂଚନା ମୁତାବକ, ଡେରା ସଚ୍ଚା ସୌଦାର ଶୀର୍ଷାସ୍ଥିତ ମୁଖ୍ୟ ଆଶ୍ରମରେ ୨ ଜଣ ସାଧ୍ୱୀଙ୍କୁ ଦୁଷ୍କର୍ମ ମାମଲାରେ ଗତ ଶୁକ୍ରବାର ଦିନ ସିବିଆଇ ଅଦାଲତ ଗୁରୁମିତ ରାମ ରହିମ ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଦଣ୍ଡାଦେଶ ଶୁଣାଣି ସୋମବାର ହେବ । ରାମରହିମ ଦୋଷୀ ସାବ୍ୟସ୍ତ ହେବାପରେ ହରିଆଣାରେ ବ୍ୟାପକ ହିଂସା ଓ ପୋଡ଼ାଜଳା ଲାଗି ରହିଥିବାରୁ ସୁରକ୍ଷା ଦୃଷ୍ଟିରୁ ଆଉଥରେ ରାମରହିମଙ୍କୁ ପଂଚକୁଳା ସିବିଆଇ ଅଦାଲତକୁ ଅଣାଯିବ ନାହିଁ ।

ସିବିଆଇ ଅଦାଲତର ଦୁଇ ଜଣ ବିଚାରପତି ହେଲିକପ୍ଟରରେ ରୋହତକ ଜିଲ୍ଲା ଜେଲରେ ପହଞ୍ଚିବେ ଏବଂ ସେଠାରେ ଦଣ୍ଡାଦେଶ ଶୁଣାଇବେ ବୋଲି ଗତକାଲି ହାଇକୋର୍ଟ କହିଛନ୍ତି । ଏ ବାବଦରେ ପ୍ରଶାସନ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜେଲ୍ ପରିସରରେ ବିଚାରପତିମାନେ ଦଣ୍ଡାଦେଶ ଶୁଣାଇବା ପାଇଁ ବିହୀତ ବନ୍ଦୋବସ୍ତ କରିବାକୁ ଜେଲ୍ ପ୍ରଶାସନକୁ କୁହାଯାଇଛି ।

ଆପିସିର ଧାରା ୩୭୬ (ଦୁଷ୍କର୍ମ) ଏବଂ ୫୦୬ (ଅପରାଧିକ ବଳପ୍ରୟୋଗ)ରେ ରାମରହିମ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ତାଙ୍କୁ ୭ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ । ସିବିଆଇ କୋର୍ଟରେ ୨୦୦୨ ମସିହାରେ ଏହି ମାମଲା ରୁଜୁ ହୋଇଥିଲା । ଡେରା ସଚ୍ଚା ସୌଦା ସଂପ୍ରଦାୟର ରାମ ରହିମ ସିଂହ ତାଙ୍କର ଦୁଇଜଣ ମହିଳା ସାଧ୍ୱୀଙ୍କୁ ତାଙ୍କର ଗୁପ୍ତ ବିଳାସକକ୍ଷରେ କୌଶଳକ୍ରମେ ବନ୍ଦୀ ବନାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

ସେତେବେଳେ ଜଣେ ସାଧ୍ୱୀ ନିଜର ନାମ ପ୍ରକାଶ ନକରି ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାଖକୁ ଚିଠି ଲେଖି ରାମ ରହିମ ତାଙ୍କୁ ନିଜ ରୁମକୁ ଡକାଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ । ଏଥିରେ ତାଙ୍କୁ ୩ ବର୍ଷକାଳ ରାମ ରହିମ ଯୌନ ଶୋଷଣ କରିଥିବା ଓ ଆଶ୍ରମରେ ରହିଥିବା ୩୫/୪୦ ମହିଳାଙ୍କର ସମାନ ଦୁର୍ଦ୍ଦଶା ହୋଇଥିବା ନେଇ ସେ ଦର୍ଶାଇଥିଲେ ।