ଧର୍ଷଣ ମାମଲାରେ ବାବା ରାମରହିମଙ୍କୁ ୧୦ ବର୍ଷ ଜେଲ ! ୨୦୦୨ ମାମଲାରେ ଦଣ୍ଡବିଧାନ

45

କନକ ବ୍ୟୁରୋ : କଏଦୀ ନମ୍ବର ୧୯୯୭ ରାମରହିମଙ୍କ ନୂଆ ପରିଚୟ । ୨୦୦୨ ସାଧ୍ୱୀଙ୍କୁ ଯୌନ ନିର୍ଯ୍ୟାତନା ମାମଲାରେ ଡେରା ପ୍ରମୁଖ ବାବା ରାମ ରହିମଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସିବିଆଇର ସ୍ୱତନ୍ତ୍ର କୋର୍ଟ । ଆଇପିସି ଧାରା ୩୭୬, ଧାରା ୫୧୧ ଓ ଧାରା ୫୦୧ ଅନୁଯାୟୀ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ମେଡିକାଲ ଯାଞ୍ଚ ପରେ ତାଙ୍କୁ ଜେଲ ପଠାଯିବ । କିନ୍ତୁ ଦଣ୍ଡ ଘୋଷଣା ପରେ କୋର୍ଟ ପରିସରରେ କାନ୍ଦି କାନ୍ଦି କୁଆଡେ ଯିବେ ନାହିଁ ବୋଲି କହିଛନ୍ତି ରାମରହିମ ।

ରୋହତକ ଜେଲରେ ବସିଥିବା ସିବିଆଇର ସ୍ୱତନ୍ତ୍ର ଅଦାଲତରେ ଏହି ମାମଲାରେ ଶୁଣାଣି ବେଳେ କୋର୍ଟ ରୁମରେ କାନ୍ଦି ପକାଇଥିଲେ ବାବା । ତା ସହିତ ତାଙ୍କୁ କ୍ଷମା କରିଦେବାକୁ ବିଚାରପତିଙ୍କ ନିକଟରେ କାକୁତିମିନତି ହୋଇଥିଲେ । ଏହି ମାମଲାର ଶୁଣାଣି ବେଳେ ଉଭୟ ପକ୍ଷର ଓକିଲଙ୍କୁ ପକ୍ଷ ରଖିବାକୁ ୧୦ ମିନିଟ ଲେଖାଏଁ ସମୟ ଦେଇଥିଲେ ବିଚାରପତି । ବାବାଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେବା ପାଇଁ ସରକାରୀ ଓକିଲ କୋର୍ଟ ଆଗରେ ଆବେଦନ କରିଥିଲେ । ସେହିଭଳି ରାମରହିମଙ୍କ ଓକିଲ ତାଙ୍କ ଯୁକ୍ତିରେ କହିଥିଲେ ଯେ, ବାବା ଜଣେ ସମାଜସେବୀ । ଲୋକଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟ ସେ କରିଛନ୍ତି । ତେଣୁ ତାଙ୍କ ଦଣ୍ଡ କୋହଳ କର।ଯାଉ । ଏପରିକି ପୂର୍ବରୁ କୋର୍ଟ ଏହି ମାମଲାରେ ରାମରହିମଙ୍କୁ ଦୋଷୀ ସାବ୍ୟସ୍ତ କରି ସାରିଥିଲେ । ଦଣ୍ଡ ଘୋଷଣାର କିଛି ସମୟ ପୂର୍ବରୁ ଶିର୍ଷାରେ ବାବାଙ୍କ ସମର୍ଥକ ମାନେ ଦୁଇଟି ଗାଡିରେ ନିଆଁ ଲଗାଇ ଦେଇଥିଲେ ।

ଏପରିକି ପୂର୍ବଭଳି ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେ ନେଇ ବେଶ୍ ସଜାଗ ହୋଇ ଉଠିଥିଲେ ସରକାର । ଏପରିକି ଜେଲ ପାଖରେ ଯେକୌଣସି ସଦିଗ୍ଧଙ୍କୁ ଦେଖିଲେ ଗୁଳି ମାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପୂରା ସୁରକ୍ଷାବଳୟ ଭିତରେ ରହଥିଲା ରୋହତକ । ହିଂସାକୁ ଦୃଷ୍ଟିରେ ରଖି ପଞ୍ଜାବ ଓ ହରିୟାଣାରେ ୨୮ କମ୍ପାନି ପାରା ମିଲିଟାରୀ ଫୋର୍ସ ମୁତୟନ କରାଯାଇଛି । ରାମ ରହିମଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ସମର୍ଥକ ମାନେ ଯେପରି ରକ୍ତର ହୋଲି ଖେଳିଲେ ତାହାର ପୁନରାବୃତ୍ତି ଯେପରି ନ ଘଟେ ସେନେଇ ଉଭୟ ପୁଲିସ ଓ ପ୍ରଶାସନ ସଜାଗ ରହିଛନ୍ତି । ଜେଲ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି । ପୂରା ଅଞ୍ଚଳ ପୋଲିସ ନିୟନ୍ତ୍ରଣରେ ରହିଛି । ଏହି ମାମଲାର ଶୁଣାଣି ପାଇଁ ସିବିଆଇର ସ୍ୱତନ୍ତ୍ର ବିଚାରପତି ଜଗଦୀପ ସିଂହଙ୍କୁ ହେଲିକପ୍ଟର ମାଧ୍ୟମରେ ରୋହତକ ଜେଲ ଅଣାଯାଇଛି ।

ଶୁକ୍ରବାର ରାମ ରହିମଙ୍କ ଖବରର ପ୍ରସାରଣ କରୁଥିବା ବେଳେ ବାବାଙ୍କ ସମର୍ଥକ ମାନେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ କରିବା ସହ ଓବି ଭ୍ୟାନ ପୋଡି ଦେଇଥିଲେ । ତେଣୁ ଏଥର ଶୁଣାଣି ବେଳେ ଗଣମାଧ୍ୟମର ପ୍ରତି ଓବି ଭ୍ୟାନର ସୁରକ୍ଷା ପାଇଁ ଜଣେ ଜଣେ ସିଆରପିଏଫ ଯବାନଙ୍କୁ ନିଯୁକ୍ତ କରାଯାଇଛି ।

କଣ ଥିଲା ପୂରା ଘଟଣା:
ଡେରା ପ୍ରମୁଖ ବାବା ରାମରହିମଙ୍କ ଆଶ୍ରମରେ ରହୁଥିବା ଜଣେ ସାଧ୍ୱୀ ତାଙ୍କ ଉପରେ ଯୌନ ନିର୍ୟାତନା ଅଭିଯୋଗ ଆଣିଥିଲେ । ସିବିଆଇ କୋର୍ଟରେ ୨୦୦୨ ମସିହାରେ ଏହି ମାମଲା ରୁଜୁ ହୋଇଥିଲା । ଡେରା ସଚ୍ଚା ସୌଦା ସଂପ୍ରଦାୟର ରାମ ରହିମ ସିଂହ ତାଙ୍କର ଦୁଇଜଣ ମହିଳା ସାଧ୍ୱୀଙ୍କୁ ତାଙ୍କର ଗୁପ୍ତ ବିଳାସକକ୍ଷରେ କୌଶଳକ୍ରମେ ବନ୍ଦୀ ବନାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

ସୂଚନା ଅନୂଯାୟୀ, ସେତେବେଳେ ଜଣେ ସାଧ୍ୱୀ ନିଜର ନାମ ପ୍ରକାଶ ନକରି ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାଖକୁ ଚିଠି ଲେଖି ରାମ ରହିମ ତାଙ୍କୁ ନିଜ ରୁମକୁ ଡକାଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ । ଏଥିରେ ତାଙ୍କୁ ୩ ବର୍ଷକାଳ ରାମ ରହିମ ଯୌନ ଶୋଷଣ କରିଥିବା ଓ ଆଶ୍ରମରେ ରହିଥିବା ୩୫/୪୦ ମହିଳାଙ୍କର ସମାନ ଦୁର୍ଦ୍ଦଶା ହୋଇଥିବା ନେଇ ସେ ଦର୍ଶାଇଥିଲେ ।

ଏନେଇ ବାବା ରାମ ରହିମଙ୍କ ବିରୋଧରେ ଏତଲା ଦିଆଯାଇଥିଲା । ଏହି ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇକୁ ଘଟଣାର ତଦନ୍ତଭାର ଦିଆଯାଇଥିଲା । ୨୦୦୭ ମସିହାରେ ସିବିଆଇ ଚାର୍ଜସିଟ ଦାଖଲ କରିଥିଲା । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଅଗଷ୍ଟ ୧୭ତାରିଖରେ ରାୟ ସଂରକ୍ଷିତ ରଖିଥିଲେ । ପରେ ଅଗଷ୍ଟ ୨୫ ତାରିଖରେ ଏହି ମାମଲାର ଶୁଣାଣି କରି ସିିବିଆଇର ସ୍ୱତନ୍ତ୍ର କୋର୍ଟ ରାମ ରହିମଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଉ ଅଗଷ୍ଟ ୨୮ ତାରିଖରେ ଏହି ମାମଲାରେ ବାବାଙ୍କୁ ଦଣ୍ଡବିଧାନ ଶୁଣାଇବା ସ୍ଥିର ହୋଇଥିଲା । କିନ୍ତୁ ବାବାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ପୂରା ହରିୟାଣା ଓ ପଞ୍ଜାବରେ ହିଂସା ଦେଖା ଦେଇଥିଲା । ଏହି ହିଂସାରେ ପ୍ରାୟ ୩୧ ଜଣ ନିରୀହ ବ୍ୟକ୍ତିଙ୍କ ଜୀବନ ଯିବା ସହ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ତେଣୁ ଏଭଳି ଘଟଣା ପରେ ରାମରହିମଙ୍କ ଦଣ୍ଡବିଧାନ ଶୁଣାଣି ପାଇଁ ଜେଲକୁ ଆସିଥିଲା କୋର୍ଟ । ଜେଲରେ ଏକ ସ୍ୱତନ୍ତ୍ର ଅଦାଲତରେ ଏହି ମାମଲାର ଶୁଣାଣି କରି ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

କିଏ ଏହି ରାମରହିମ
ବାବା ରାମ ରହିମ ଏକାଧାରରେ ଜଣେ ଭାରତୀୟ ଆଧ୍ୟାତ୍ମିକ ଗୁରୁ, ସାମାଜିକ ସୁଧାରକ , ଅଭିନେତା, ନିର୍ଦ୍ଦେଶକ ଓ ଗାୟକ । ୧୫ ଅଗଷ୍ଟ ୧୯୬୭ରେ ହରିୟାଣାରେ ଜନ୍ମଗ୍ରହଣ କରିଥିଲେ ବାବା । ବାବା ବିବାହିତ ଓ ତାଙ୍କର ୪ ଜଣ ସନ୍ତାନ ଅଛନ୍ତି । ବାବା ରାମ ରହିମ ରକଷ୍ଟାର ବାବା ନାମରେ ମଧ୍ୟ ପରିଚିତ । ସେ ୧୯୯୦ରୁ ଭାରତ ଆଧାରିତ ସାମାଜିକ ଆଧ୍ୟାତ୍ମିକ ସଂଗଠନ ଡ଼େରା ସଚ୍ଚା ସୌଦାର ମୁଖ୍ୟ ଅଛନ୍ତି । ବାବା ରାମ୍ ରହିମଙ୍କର ପାଖାପାଖି ୬କୋଟିରୁ ଅଧିକ ଅନୁଗାମୀ ଅଛନ୍ତି । ତାଙ୍କ ସଂଗଠନ ବିଭିନ୍ନ ସାମାଜିକ କାର୍ୟ୍ୟକ୍ରମ ଯେପରି ସ୍ୱଚ୍ଛତା ଅଭିଯାନ, ବୃକ୍ଷରୋପଣ, ଅନାଥ ଓ ଯୌନକର୍ମୀଙ୍କ ସହାୟତାରେ କାମ କରେ । । ଭାରତୀୟ ଏକ୍ସପ୍ରେସ ୨୦୧୫ରେ ସବୁଠାରୁ ୧୦୦ ଶକ୍ତିଶାଳୀ ଭାରତୀୟଙ୍କ ତାଲିକାରେ ୯୬ ସ୍ଥାନରେ ରଖିଥିଲେ । ବାବା ରାମରହିମ ସିଂଙ୍କ ନାମରେ ରହିଛି ୩ଟି ବିଶ୍ୱ କିର୍ତ୍ତିମାନ । ବାବା ରାମ ରହିମ କ୍ରିକେଟ ଓ ଫୁଟବଲ ଖେଳରେ ମାହିର । ବାବାଙ୍କ ନାଁରେ ରହିଛି ୩ଟି ଅପରାଧିକ ମାମଲା ।
ଆସନ୍ତୁ ଜାଣିବା ରାମ ରହିମଙ୍କ ବିଷୟରେ କିଛି ବ୍ୟକ୍ତିଗତ କଥା –

ପାଖାପାଖି ୧୦୦ ଏକରରେ ବ୍ୟାପ୍ତ ଅଛି ରାମ ରହିମଙ୍କ ଆଶ୍ରମ । କାଚରେ ତିଆରି ହୋଇଛି ରାମ ରହିମଙ୍କ ଭବନ, ଯାହାକୁ ଗୁମ୍ଫା କୁହାଯାଏ । ଗୁମ୍ପା ଭିତରକୁ ପ୍ରବେଶ ପାଇଁ ରହିଛି ପୟାୟ ୨-୩ଟି ଦରଜା । ଗୁମ୍ପା ପର୍ୟ୍ୟନ୍ତ କେବଳ ବାବାଙ୍କ ଗାଡ଼ି ଯାଏ । ଗୁମ୍ଫାର ସମସ୍ତ ସ୍ଥାନ ସାଧା କପଡ଼ାରେ ବେଷ୍ଟନ ହୋଇଛି । ଏହାସହ କମାଣ୍ଡୋ ଶୈଳୀରେ ବନ୍ଧୁକ ଧରି ଶସସ୍ତ୍ର ପ୍ରହରୀ ଆଶ୍ରମ ଜଗିଥାଆନ୍ତି ।
ବାବାଙ୍କ ଗୁମ୍ଫା ତିଆର ହୋଇଛି ବିଲକୁଲ ଏକ ନିଆରା ଢ଼ଙ୍ଗରେ । ବିଳାସପୂର୍ଣ୍ଣ ସୋଫା ଓ ଚିକମିକ କଫଡ଼ାରେ ସଜେଇ ହୋଇଛି ଆଶ୍ରମ । ରାମରହିମ ବାବାଙ୍କର ଅଛନ୍ତି ୨୦୯ ଜଣ ଶିଷ୍ୟା । ସୂଚନା ଅନୁସାରେ ସ୍ୱତନ୍ତ୍ର ପ୍ରକ୍ରିୟାରେ ବଛା ହୁଅନ୍ତି ବାବଙ୍କ ଏହି ଶିଷ୍ୟା । ଏହି ଶିଷ୍ୟାମାନଙ୍କ ମଧ୍ୟରୁ କେବଳ କିଛି ଶିଷ୍ୟାଙ୍କୁ ହିଁ ଗୁମ୍ଫା ଭିତରକୁ ଆସିବା ପାଇଁ ଅନୁମତି ରହିଛି । ଗୁମ୍ପା ଭିତରକୁ ଯିବା ପାଇଁ ବାୟୋମେଟ୍ରିକ ସିଷ୍ଟମ ରହିଛି । ତାଙ୍କ ଶିଷ୍ୟାମାନେ ଗେରୁଆ କିମ୍ବା ଧଳା ରଙ୍ଗର କପଡ଼ା ପିନ୍ଧନ୍ତି ଏବଂ ସବୁବେଳେ କେଶ ଖୋଲା ରଖନ୍ତି । ଏହା ବ୍ୟତୀତ ବାବାଙ୍କ ଖାଇବା ଦାୟିତ୍ୱ, ସାକ୍ଷାତ ଓ ସକାଳୁ ସନ୍ଧ୍ୟା ଯାଏଁ ଷ୍ଟେଜକୁ ନେବା ଆଣିବା କାମରେ ନିୟୋଜିତ ଥାଆନ୍ତି ଶିଷ୍ୟମାନେ । ବାବା ପ୍ରବଚନ ଦେବା ସମୟରେ ବାମ ପଟେ ଏହି ଶିଷ୍ୟାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଥାଏ । ପ୍ରବଚନ ଥିବା ହଲରେ ଶିଷ୍ୟାମେନ ହିଁ ସବୁକିଛି ସମ୍ଭାଳନ୍ତି ଓ ବାହାରେ କେବଳ ପୁରୁଷ ସେବକ ମାନେ କାମ କରନ୍ତି ।
ବାବା ରାମରହିମ ଏହି ଗୁମ୍ପାରେ ସ୍ୱତନ୍ତ୍ର ରୂପରେ ପ୍ରସ୍ତୁତ ହୁଅନ୍ତି । ଖାସ ଲୋକଙ୍କୁ ସାକ୍ଷାତ କିରିବା ପାଇଁ ରହିଛି ସ୍ୱତନ୍ତ୍ର କକ୍ଷ । ଏହି ଗୁମ୍ଫାରେ ଆରାମ କରିବାର ସମସ୍ତ ଚିଜ ମହଜୁଦ ଅଛି । ଏହା ବ୍ୟତୀତ ଯେଉଁ ଗୋଲ ଷ୍ଟେଜରେ ବାବା ପ୍ରବଚନ ଦିଅନ୍ତି ତା ପଚରେ ଚକ ଲାଗିଥାଏ ଆଉ ଉପରେ ଥାଏ ଏକ ହ୍ୟାଣ୍ଡେଲ । ଯାହାଦ୍ୱାରା ଏହି ଷ୍ଟେଜ ସବୁଆଡ଼େ ଯିବାଆସିବା କରିପାରେ । ବାବା ସେହି ଘୁରୁଥିବା ଷ୍ଟେଜ ରେ ଥରେ ଗୋଟିଏ ଘେରା ବୁଲିଆସନ୍ତି । ବାବାଙ୍କର ପୋଷାକ ଚଣ୍ଡୀଗଡ଼ର ଜଣେ ଡ଼ିଜାଇନର ପ୍ରସ୍ତୁତ କରନ୍ତି । ବାବାଙ୍କ ପୋଷାକ ଚମକୁଥିବା ସିଫନରେ ତିଆରି ହୋଇଥାଏ ।

ବାବା ରାମ ରହିମଙ୍କ ଗୁମ୍ଫାରେ ଏକ ଏନଆରଆଇ ଗେଷ୍ଟ ହାଉସ ମଧ୍ୟ ରହିଛି । ଯେଉଁଠି ରହିଛି ଶାନଦାର ସ୍ୱିମିଙ୍ଗ ପୁଲ ଓ ରେଷ୍ଟୁରାଂଟ । ଏହା ବ୍ୟତୀତ ଆଶ୍ରମରେ ଦୁଇଟି ପେଟ୍ରୋଲ ପମ୍ପ । ଆଶ୍ରମର ଗାଡ଼ିକୁ ଚିଠା ଦେଖାଇଲେ ମିଳେ ପେଟ୍ରୋଲ । ଆଶମରେ ଚାଉଳ ଠାରୁ ଆରମ୍ଭ କରି ଆଳୁ , ଟମାଟୋ ପର୍ୟ୍ୟନ୍ତ ସବୁ କିଛି ମିଳେ । ବାବାଙ୍କ ଆଶ୍ରମରେ ବିଭିନ୍ନ ପ୍ରକାରର ମସାଲା ମଧ୍ୟ ତିଆରି ହୋଇଥାଏ । ଅର୍ଥାତ ଆଶ୍ରମ ବାହାରକୁ ଯିବା ବିଲକୁଲ ଦରକାର ନାହିଁ । ବାବାଙ୍କ ଆଶ୍ରମ ଭିତରେ ବୁଲାବୁଲି କରିବା ପାଇଁ ବ୍ୟାଟେରୀ ଚାଳିତ କାର ରହିଛି । ଏହାସହ ଆଶ୍ରମରେ ଏକ ବିଶାଳର ୱାସିଙ୍ଗ ମେସିନ ରହିଛି । ଯେଉଁଠି ଏକାବେଳ ୧୦ରୁ ୧୫ ହଜାର ପର୍ୟ୍ୟନ୍ତ ପୋଷାକ ସଫା ହୋଇପାରିବ । ଆଶ୍ରମରେ ସିସି ଟିଭି ସହ ଏକ କଣ୍ଟ୍ରୋଲ ରୁମ ମଧ୍ୟ ରହିଛି । ଯେଉଁଠି ଦେଶର ସମସ୍ତ ଚ୍ୟାନେଲରେ ନୀରିକ୍ଷଣ ଓ ବାବାଙ୍କ ସମ୍ପର୍କିତ ଖବର ରେକର୍ଡ଼ ହୁଏ