୧୦ ବର୍ଷ ନୁହେଁ ୨୦ ବର୍ଷ ଜେଲ୍ ଯିବେ ରାମ ରହିମ୍ ! ୩୦ଲକ୍ଷ ଟଙ୍କା ଦେବେ ଜରିମାନା

72

କନକ ବ୍ୟୁରୋ : ୧୦ ବର୍ଷ ନୁହେଁ ୨୦ ବର୍ଷ ଜେଲ୍ ଯିବେ ରାମ ରହିମ୍ । ସାଧ୍ୱୀଙ୍କୁ ବଳାତ୍କାର ମାମଲାରେ ବାବାଙ୍କୁ ଦଣ୍ଡାଦେଶ କରିଛନ୍ତି ସ୍ୱତନ୍ତ୍ର ସିବିଆଇ ଜଜ୍ । ଦୁଇଟି ଦୁଷ୍କର୍ମ ମାମଲାରେ ୧୦ – ୧୦ ବର୍ଷ ଲେଖାଏଁ ଜେଲ୍ ଯିବେ ରାମ ରହିମ୍ । ଏହା ସହ ଦୁଇଟି ଯାକ ମାମଲା ପାଇଁ ୧୫ – ୧୫ଲକ୍ଷ ଲେଖାଏଁ ଟଙ୍କା ଦେବେ ଜରିମାନା । ପ୍ରାୟ ୬ କୋଟି ଅନୁଗାମୀଙ୍କ ଭଗବାନ ବୋଲାଉଥିବା ରାମରହିମଙ୍କ ଆଗାମୀ ଜୀବନ ଜେଲର ଅନ୍ଧାର କୋଠରୀରେ କଟିବ । ୧୫ବର୍ଷ ତଳର ଏହି ମାମଲାର ଫଇସଲା କରି, ଧର୍ମ ନାଁରେ ଅଧର୍ମ କରୁଥିବା ବ୍ୟକ୍ତିଙ୍କୁ କଡା ବାର୍ତା ଦେଇଛନ୍ତି କୋର୍ଟ । ଏଥିସହ ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ବଢାଇଛନ୍ତି ।

ଆଇପିସିର ଧାରା ୫୧୧, ୫୦୧ ଓ ୩୭୬ରେ ବାବା ରାମମହିମଙ୍କ ବିରୋଧରେ ଦଣ୍ଡାଦେଶ କଲେ ସିବିଆଇ ଜଜ୍ । କୌଣସି ଉଚ୍ଚ ପଦବୀରେ ରହି ଅସାମାଜିକ କାର୍ଯ୍ୟ କରିବା ଓ ବଳାତ୍କାର ଭଳି ସଂଗୀନ ମାମଲାରେ ସର୍ବାଧିକ ୨୦ ବର୍ଷର ଜେଲ ସଜା ଶୁଣାଇଛନ୍ତି ବିଚାରପତି ।

୭ଶହ ଏକର ସମ୍ପତିର ମାଲିକ, ପ୍ରାୟ ୬ହଜାର ଅନୁଗାମୀଙ୍କ ଭଗବାନ ଆଉ ସାରା ଦେଶରେ ଧର୍ମୀୟ ଗୁରୁମାନଙ୍କ ଭିତରେ ସବୁଠୁ ପ୍ରଭାବଶାଳୀ କୁହାଯାଉଥିବା ବାବା ଗୁରମିତ ରାମରହିମଙ୍କୁ ଏବେ କାଳକୋଠରୀରରେ ସଜା କାଟିବାକୁ ପଡିବ ୨୦ବର୍ଷ । ରୂପେଲି ପରଦାର ଚାକଚକ୍ୟକୁ ଭୁଲି ଅନ୍ଧାରୀ କୋଠରୀରେ ଦିନ ବିତାଇବାକୁ ହେବ । ଏମଏସଜି- ଦି ମେସେଞ୍ଜରଙ୍କୁ ନ୍ୟାୟାଳୟ ଯେଉଁ କଡା ମେସେଜ ଦେଇଛି, ତାହା ଧର୍ମ ନାଁରେ ଅଧର୍ମ କରୁଥିବା ବ୍ୟକ୍ତିଙ୍କ ପାଇଁ ସତର୍କ ଘଂଟି ହୋଇଛି । ଆଉ ଦୀର୍ଘ ୧୫ ବର୍ଷ ପରେ ହେଲେ ବି ବାବାଙ୍କ ଦ୍ୱାରା ବଳାକ୍ରାରର ଶିକାର ପୀଡିତାଙ୍କୁ ଯେଉଁ ନ୍ୟାୟ ମିଳିଛି ତାହା ବିଚାର ବ୍ୟବସ୍ଥା ଉପରେ ସମସ୍ତଙ୍କ ଆସ୍ଥା ବଢାଇ ଦେଇଛି ।

ସତସଙ୍ଗ, ପ୍ରବଚନ ଜରିଆରେ ମାନବିକତାର କଥା କହି ଲୋକଙ୍କୁ ଭୁଆଁ ବୁଲାଉଥିବା ବଳାତ୍କାର ବାବା ରାମରହିମ ଜେଲ ଯାଇଛନ୍ତି । ହେଲେ ଜେଲ ଯିବା ପରେ ବି ତୁଟୁନି ବାବାଙ୍କ ଅୟସ ଆରାମର ମୋହ । ଜେଲ ଗଲାବେଳେ ସାଙ୍ଗରେ ପାଳିତା ଝିଅଙ୍କୁ ନେବାକୁ ଚାହୁଁଥିଲେ ରାମରହିମ । ଅଂଟାବ୍ୟଥା ରହିଥିବା କହି ସେବା ସୁଶ୍ରୁସା ପାଇଁ ହନିପ୍ରୀତଙ୍କୁ ସାଙ୍ଗରେ ରଖିବାକୁ ଅନୁରୋଧ କରିଥିଲେ । ଯାହାକୁ ଅଗ୍ରାହ୍ୟ କରିଦେଇଛନ୍ତି ଜେଲ କର୍ତ୍ତୃପକ୍ଷ ।

୨୦୦୭ରୁ ୨୦୧୭- ୧୦ ବର୍ଷ ଭିତରେ ବାବା ଗୁରମିତ ରାମରହିମ ସିଂଙ୍କ ଦୁଇଟି ବେଶ ଦେଖିଲା ଦେଶ । ଗୋଟିଏ ବେଶ ଡେରା ମୁଖ୍ୟ ରାମରହିମ ସିଂ ଶିଖ ଧର୍ମଗୁରୁ- ଗୁରୁ ଗୋବିନ୍ଦ ସିଂଙ୍କର  । ୨୦୦୭ରେ ବାବାଙ୍କ ଏହି ବେଶକୁ ନେଇ ଦେଖିଦେଇଥିଲା ଅନେକ ବିବାଦ । ଅନ୍ୟଗୋଟିଏ ଆଜିକାର ଚିତ୍ର । ଯେତେବେଳ ଜଣେ ସାଧ୍ୱୀଙ୍କୁ ବଳାତ୍କାର ମାମଲାରେ ସଜା ପାଇ ବାବା ହୋଇଛନ୍ତି କଏଦୀ ନମ୍ବର-୧୯୯୭ ।

ଦେଶର ଲକ୍ଷଲକ୍ଷ ଶିଖ ଧର୍ମାବଲମ୍ବୀଙ୍କ ଶ୍ରଦ୍ଧା ଓ ସ୍ୱାଭିମାନର ପ୍ରତୀକ ଦଶମ ଧର୍ମଗୁରୁ- ଗୁରୁ ଗୋବିନ୍ଦ ସିଂ । ୨୦୦୭ରେ ଆଗ୍ରାରେ ଏକ ସତସଙ୍ଗ କାର୍ଯ୍ୟକ୍ରମ ପାଇଁ ଯେତେବେଳେ ଗୁରୁ ଗୋବିନ୍ଦ ସିଂଙ୍କ ବେଶରେ ବାବା ରାମରହିମଙ୍କୁ ସଜ୍ଜିତ କରି ଏଭଳି ପୋଷ୍ଟରସବୁ ଲଗାଗଲା ସେତେବେଳେ ପ୍ରବଳ ବିରୋଧ ହୋଇଥିଲା । ଶିଖମାନଙ୍କ ଭାବନା ସହ ଖେଳ ଖେଳିଥିବାରୁ ବାବାଙ୍କ ବିରୋଧରେ ଅନେକ ମାମଲା ମଧ୍ୟ ହେଲା ।

ଆତ୍ମଘୋଷିତ ଧର୍ମଗୁରୁ ବାବା ରାମରହିମ ସିଂ ଏହିଭଳି ଲୋକଙ୍କୁ ପ୍ରଭାବିତ କରି ତିଆରି କରୁଥିଲେ ନିଜର ଅନୁଗାମୀ । ସାରା ଦେଶରେ ଡେରା ସଚ୍ଚା ସୌଦାର ପ୍ରାୟ ୬କୋଟି ଅନୁଗାମୀ ସୃଷ୍ଟି କରିଥିବା ରାମରହିମ ଶେଷରେ ବଳାକ୍ରାର ମାମଲାରେ ଜେଲ ଯାଇଛନ୍ତି । ଆଉ ଜୀବନର ଆଗାମୀ ୨୦ବର୍ଷ ଜେଲର ଚାରିକାନ୍ଥ ଭିତରେ ଜଣେ ସାଧାରଣ କଏଦୀ ଭିତରେ କାଟିବାକୁ ଯାଉଛନ୍ତି ।

ଏହାରି ଭିତରେ ସାମ୍ନାକୁ ଆସିଛି ଆଉଏକ ତଥ୍ୟ । ମିଳିଥିବା ସୂଚନା ଅନୁସାରେ ଜେଲରେ ବି ନିଜ ପାଳିତ କନ୍ୟା କହୁଥିବା ହନିପ୍ରୀତ ସିଂଙ୍କୁ ସାଙ୍ଗରେ ରଖିବାକୁ ଚାହୁଁଥିଲେ ବାବା ରାମରହିମ । ତାଙ୍କର ଅଂଟାବ୍ୟଥା ଅଛି ଓ ହନିପ୍ରୀତ ଜଣେ ଆକ୍ୟୁପ୍ରେସର ବିଶେଷଜ୍ଞ କହି ତାଙ୍କୁ ଜେଲରେ ସାଙ୍ଗରେ ରଖିବାକୁ ଅନୁରୋଧ କରିଥିଲେ ବାବା । ଯାହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ଜେଲ କର୍ତ୍ତୃପକ୍ଷ । ବାବାଙ୍କ ମାଇଗ୍ରେନ ବେମାରି ଅଛି ଏବଂ ସେଥିପାଇଁ ସେ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ମଧ୍ୟ ଅପିଲ କରିଥିଲେ । ଜେଲରେ ରହି ହନିପ୍ରିତ ତାଙ୍କ ସେବା ସୁଶୃସା କରିବେ ବୋଲି ଆବେଦନ କରିଥିଲେ । ହେଲେ କୋର୍ଟ ହରିଆଣା ସରକାର ଓ ଜେଲ କର୍ତ୍ତୃପକ୍ଷଙ୍କୁ ଏସଂପର୍କରେ ନିର୍ଣ୍ଣୟ କରିବାକୁ କହିଥିଲେ । ହେଲେ ଜେଲ କର୍ତ୍ତୃପ କ୍ଷ ବାବାଙ୍କ ଏହି ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି ।