ବିଳାସମୟ ମହଲରୁ କାଳ କୋଠରୀ! ଜାଣନ୍ତୁ କେଉଁ ୪ ଜଣ ବ୍ୟକ୍ତି ବାବାଙ୍କୁ ପଠାଇଲେ ଜେଲ

50

କନକ ବ୍ୟୁରୋ : ବିଳାସମୟ ମହଲରୁ ଜେଲର କାଳ କୋଠରୀ । ଦୀର୍ଘ ୧୫ ବର୍ଷର ଲଢେଇରେ ପଡ଼ିଲା ଯବନିକା । ୨୦୦୨ ସାଧ୍ୱୀଙ୍କୁ ଯୌନ ନିର୍ଯ୍ୟାତନା ମାମଲାରେ ଡେରା ପ୍ରମୁଖ ବାବା ରାମ ରହିମଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସିବିଆଇର ସ୍ୱତନ୍ତ୍ର କୋର୍ଟ । ଆଇପିସି ଧାରା ୩୭୬, ଧାରା ୫୧୧ ଓ ଧାରା ୫୦୧ ଅନୁଯାୟୀ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ସୌକିନ ବାବା ଏଣିକି ଜେଲ ଭିତରେ ସାଧାରଣ କଏଦୀ ପରି ଜୀବନ ଯାପନ କରିବେ ।

ବାବା ରାମରହିମ । ଡେରା ସଂପ୍ରଦାୟର ପ୍ରମୁଖ । କିନ୍ତୁ ଭକ୍ତ ବାବାଙ୍କୁ ଭଗବାନ ବୋଲି ମାନିଥାନ୍ତି । ଜଣେ ପ୍ରଭାବଶାଳୀ ବାବା ଭାବେ ପୂରା ଦେଶରେ ଖ୍ୟାତ । ନେତା ହୁଅନ୍ତୁ ବା ଅଭିନେତା କିମ୍ବା ଅନ୍ୟ କୌଣସି ପ୍ରଭାବଶାଳୀ ବ୍ୟକ୍ତି ସମସ୍ତେ ବାବାଙ୍କ ଚରଣରେ ପଡ଼ି ନିଜକୁ ଧନ୍ୟ ମନେ କରୁଥିଲେ । କିନ୍ତୁ ଏଠି ପ୍ରଶ୍ନ ଉଠେ ଏତେ ବଡ଼ ପ୍ରଭାବଶାଳୀ ବାବାଙ୍କୁ ରୋହତକ ଜେଲର କାଳକୋଠରୀ ପର୍ଯ୍ୟନ୍ତ କିଏ ଟାଣି ଆଣିଲା । ବାବାଙ୍କ କଳାକାରନାମାର ଫର୍ଦ୍ଦାଫାଶ କରି ଜେଲର କାଳକୋଠରୀରେ ପହଞ୍ଚାଇଥିବା ୪ ଜଣ ମହାରଥୀଙ୍କ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ଦୁଇ ସାଧ୍ୱୀ: ବାବାଙ୍କ କଳାକାରନାମାର ପ୍ରଥମ ଫର୍ଦ୍ଦ ସାମ୍ନାକୁ ଆଣିଥିଲେ ଜଣେ ସାଧ୍ୱୀ । ୨୦୦୨ ମସିହାରେ ଏକ ବେନାମୀ ଚିଠି ଦ୍ୱାରା ବାବାଙ୍କ କଳାସାମ୍ରାଜ୍ୟ ଉପରୁ ପରଦା ଉଠିଥିଲା । ସେତେବେଳେ ଜଣେ ସାଧ୍ୱୀ ନିଜର ନାମ ପ୍ରକାଶ ନକରି ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାଖକୁ ଚିଠି ଲେଖି ରାମ ରହିମ ତାଙ୍କୁ ନିଜ ରୁମକୁ ଡକାଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ । ଏଥିରେ ତାଙ୍କୁ ୩ ବର୍ଷକାଳ ରାମ ରହିମ ଯୌନ ଶୋଷଣ କରିଥିବା ଓ ଆଶ୍ରମରେ ରହିଥିବା ୩୫/୪୦ ମହିଳାଙ୍କର ସମାନ ଦୁର୍ଦ୍ଦଶା ହୋଇଥିବା ନେଇ ସେ ଦର୍ଶାଇଥିଲେ । ଦ ତା’ପରେ ଆରମ୍ଭ ହୋଇଥିଲା ନ୍ୟାୟ ପାଇଁ ଲଢେଇ । ସିବିଆଇ ଏହି ଚିଠି ଆଧାରରେ ବାବାଙ୍କ ଉପରେ ଏକ ଯୌନ ନିର୍ଯ୍ୟାତନା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ୧୮ ଜଣ ସାଧ୍ୱୀ ମାନିଥିଲେ ଯେ, ବାବା ତାଙ୍କ ସହ ଦୁର୍ଷ୍କମ କରିଛନ୍ତି । ତେବେ ମାତ୍ର ଦୁଇଜଣ ସାଧ୍ୱୀ ବାବାଙ୍କ ବିରୋଧରେ ଅଦାଲତରେ ସାକ୍ଷୀ ଦେଇଥିଲେ । ଆଉ ଆଜି ଦୀର୍ଘ ୧୫ ବର୍ଷ ପରେ କୋର୍ଟଙ୍କ ରାୟ ତାଙ୍କୁ ଆଶ୍ୱସ୍ତି ଆଣି ଦେଇଛି ।

ରାମଚନ୍ଦ୍ର ଛତ୍ରପତି: ହିସାରର ରାମଚନ୍ଦ୍ର ଛତ୍ରପତି । ପେଶାରେ ସାମ୍ବାଦିକ । ସବୁବେଳେ ସତ୍ୟକୁ ସାଥ୍ କରି ଚାଲୁଥିବା ଏହି ସାମ୍ବାଦିକ ଜଣକ ହେଉଛନ୍ତି ରାମରହିମଙ୍କ ଆଶ୍ରମରେ ହେଉଥିବା କଳାକାରନାମାର ପେଡି ଖୋଲିବାର ମୁଖ୍ୟ ନାୟକ । ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ସେହି ବେନାମୀ ଚିଠି ଆଧାରରେ ରାମରହିମଙ୍କ ଆଶ୍ରମର ସତ୍ୟତା ସାମ୍ନାକୁ ଆଣିଥିଲେ ରାମଚନ୍ଦ୍ର । ଆଶ୍ରମରେ ହେଉଥିବା ସମସ୍ତ ଅନୈତିକ କାର୍ଯ୍ୟକଳାପକୁ ଗଣମାଧ୍ୟମରେ ପ୍ରକାଶ କରିଥିଲେ ସେ । କିନ୍ତୁ ଏହି ଲଢେଇ ବେଶି ଦିନ ତିଷ୍ଠି ନଥିଲା । ବାବାଙ୍କ ସହ ଳଢୁ ଲଢୁ ଜୀବନ ଲଢେଇରେ ହାରି ଯାଇଥିଲେ ସେ । ସିବିଆଇ ସୂଚନା ମୁତାବିକ, ୨୪ ଅକ୍ଟୋବର ୨୦୦୨ରେ ରାମରହିମଙ୍କ କିଛି ସମର୍ଥକ ଛତ୍ରପତିଙ୍କୁ ଗୁଳିକରି ହତ୍ୟା କରିଥିଲେ ।

ରଣଜିତ ସିଂହ: ରାମରହିଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଜଣେ ସାଧ୍ୱୀଙ୍କ ଭାଇ ରଣଜିତ ସିଂହ । ବାବାଙ୍କ ଦୃୃଢ ସମର୍ଥକ । କିନ୍ତୁ ତାଙ୍କ ଭଉଣୀ ସହ ବାବା ଦୁର୍ଷ୍କମ କରିଥିବା ଜାଣିବା ପରେ ଆଶ୍ରମ ଛାଡି ଦେଇଥିଲେ ସେ । କିନ୍ତ ରଣଜିତଙ୍କୁ ଆଶ୍ରମର ସମସ୍ତ ଗୁମର ଜଣାଥିଲା । ତେବେ ଆଶ୍ରମର ଗୁପ୍ତ ତଥ୍ୟ ବାହାରେ ପ୍ରଘଟ କରିବା ପୁର୍ବରୁ ତାଙ୍କ ଜୀବନ ଦୀପ ଲିଭାଇ ଦେଇଥିଲେ ବାବାଙ୍କ କିଛି ଭଡାଟିଆ ଗୁଣ୍ଡା ।ଏବେ ଏହି ହତ୍ୟା ମାମଲାର ଶୁଣାଣି ସିବିଆଇ କୋର୍ଟରେ ଚାଲିଛି ।

ଫକୀରଚାନ୍ଦ: ରାମରହିମ ବାବାଙ୍କ ପରି ଫକୀରଚାନ୍ଦ ମଧ୍ୟ ଜଣେ ସାଧୁ । ବେଶ ସ୍ୱାଭିମାନୀ ଓ ଆଦର୍ଶବାଦୀ ମଧ୍ୟ । ତେବେ ଡେରା ଆଶ୍ରମରେ ରହୁଥିବା ସମୟରେ ରାମରହିମଙ୍କ ସୈତାନି ଗୁଣ ବିଷୟରେ ଜାଣିବା ପରେ ଆଶ୍ରମ ଛାଡି ଦେଇଥିଲେ ସେ । ଆଶ୍ରମ ଛାଡିଦେବା ପରେ ଲୋକଙ୍କ ଆଗରେ ବାବାଙ୍କ ଅସଲି ମୁଖା ଖୋଲି ଦେଇଥିଲେ ସେ । ଡେରା ଆଶ୍ରମରେ ଚାଲିଥିବା ଅନୈତିକ କାର୍ଯ୍ୟକଳାପ ବିଷୟରେ ଲୋକଙ୍କୁ ଜଣାଇବା ମହଙ୍ଗା ପଡିଥିଲା ତାଙ୍କୁ । ଆଶ୍ରମରୁ ବାହାରିବାର କିଛି ଦିନ ପରେ ନିଖୋଜ ହୋଇଯାଇଥିଲେ ବାବା ଫକିରଚାନ୍ଦ । ବାସ୍ ସେବେଠାରୁ ବାବା ଫକିରଚାନ୍ଦ କେଉଁଠି ଅଛନ୍ତି ତାହା କେହି ଜାଣି ନାହାନ୍ତି । ସିବିଆଇ ତଦନ୍ତରେ ବାବା ଫକିରଚାନ୍ଦଙ୍କୁ ମଧ୍ୟ ସାମିଲ କରିଥିଲା ।