ଦୁଇଟି ହତ୍ୟା ମାମଲାରେ ଆଜି ରାମରହିମଙ୍କ ବିରୋଧରେ ଶୁଣାଣି ! ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ହାଜର ହେବେ ଡେରା ମୁଖ୍ୟ

16

କନକ ବ୍ୟୁରୋ : ସାଧ୍ୱୀ ଦୁଷ୍କର୍ମ ମାମଲାରେ ୨୦ ବର୍ଷ ଜେଲଦଣ୍ଡ କାଟୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁର୍‌ମିତ ରାମ୍‌ରହିମର ଅଡୁଆ ବଢିବାରେ ଲାଗିଛି । ଆଜି ରାମ୍‌ରହିମ ବିରୋଧରେ ଦୁଇଟି ହତ୍ୟା ମାମଲାର ଚୂଡ଼ାନ୍ତ ଶୁଣାଣି ସିବିଆଇ ସ୍ୱତନ୍ତ୍ର କୋର୍ଟରେ ଆରମ୍ଭ ହେବ । ଏହାକୁ ଦୃଷ୍ଟିରେ ରଖି ପଞ୍ଚକୁଲାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ସେକ୍ଟର୧ ସ୍ଥିତ ସିବିଆଇର ସ୍ୱତନ୍ତ୍ର କୋର୍ଟ ଓ ଏହାର ଆଖପାଖ ଅଞ୍ଚଳରେ ଅଧିକ ଅର୍ଦ୍ଧସାମରିକ ବଳ ଓ ହରିଆଣା ରାଜ୍ୟ ପୁଲିସର କର୍ମୀଙ୍କୁ ନିୟୋଜିତ କରାଯାଇଛି ।

କୋର୍ଟ ଆଡ଼କୁ ଆସୁଥିବା ସମସ୍ତ ଯାନବାହନର ବ୍ୟାପକ ତଲାସି କରାଯାଉଛି। ସେହିପରି ପଞ୍ଚକୁଲାର ଅନ୍ୟ ଅଞ୍ଚଳରେ ମଧ୍ୟ ବ୍ୟାପକ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଥିବା ହରିଆଣା ପୁଲିସ ମହାନିର୍ଦ୍ଦେଶକ ବିଏସ୍‌ ସାନ୍ଧୁ କହିଛନ୍ତି। ତେବେ ଗତଥର ଭଳି ଶୁଣାଣି ପୂର୍ବରୁ ଡେରା ଅନୁଗାମୀ ଓ ସମର୍ଥକମାନେ ପଞ୍ଚକୁଲାରେ ଏକତ୍ରିତ ହୋଇନଥିବା ସେ କହିଛନ୍ତି। ଆସନ୍ତାକାଲିର ଶୁଣାଣିବେଳେ ଡେରାମୁଖ୍ୟଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର କରାଯିବ ନାହିଁ। ସୁନାରିଆ ଜେଲରୁ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି ।

ଆଜି ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ଓ ଡେରାର ପୂର୍ବତନ ମ୍ୟାନେଜର ରଞ୍ଜିତ ସିଂହଙ୍କ ହତ୍ୟା ନେଇ ଶୁଣାଣି ହେବ । ୨୦୦୨ ଅକ୍ଟୋବର ୨୪ରେ ସିର୍ସାରୁ ପ୍ରକାଶିତ ପୁରାସଚ୍ଚ୍‌ର ସଂପାଦକ ରାମଚନ୍ଦ୍ର ଛତ୍ରପତିଙ୍କୁ ତାଙ୍କ ଘର ଆଗରେ ଗୁଳିମାଡ଼ କରାଯାଇଥିଲା। ୨୦୦୨ ନଭେମ୍ବର ୨୧ରେ ତାଙ୍କର ଦିଲ୍ଲୀର ଏକ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ୨୦୦୩, ନଭେମ୍ବର ୧୦ରେ ସିବିଆଇ ରାମରହିମଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ‘ପୁରାସଚ୍ଚ’ ସମ୍ବାଦପତ୍ରରେ ସାଧ୍ୱୀଙ୍କୁ ବଳାତ୍କାର ମାମଲା ସହ ସାଧ୍ୱୀ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠି ମଧ୍ୟ ପ୍ରକାଶିତ ହୋଇଥିଲା । ଏହା ପରେ ରାମଚନ୍ଦ୍ରଙ୍କୁ ବାରମ୍ବାର ହତ୍ୟା ଧମକ ଦିଆଯିବା ପରେ ହତ୍ୟା କରାଯାଇଥିଲା। ଦ୍ୱିତୀୟ ମାମଲାରେ ଡେରା ପ୍ରବନ୍ଧନ କମିଟିର ସଦସ୍ୟ ଓ ମ୍ୟାନେଜର ଥିବା ରଞ୍ଜିତଙ୍କୁ ୨୦୦୨ ଜୁଲାଇ ୧୦ରେ ହତ୍ୟା କରାଯାଇଥିଲା ।

ସାଧ୍ୱୀଙ୍କ ଚିଠିକୁ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇବାରେ ରଞ୍ଜିତଙ୍କ ପ୍ରମୁଖ ଭୂମିକା ରହିଥିବା ଡେରା ସନ୍ଦେହ କରିଥିଲା। ଅଗଷ୍ଟ ୨୫ରେ ସାଧ୍ୱୀ ଦୁଷ୍କର୍ମ ମାମଲାରେ ରାମରହିମ ଦୋଷୀ ସାବ୍ୟସ୍ତ ହେବା ପରେ ଡେରା ସମର୍ଥକ ଓ ଅନୁଗାମୀମାନେ ବ୍ୟାପକ ହିଂସା ଭିଆଇବା ସହ ଜଳାପୋଡ଼ା କରିଥିଲେ ଏହି ହିଂସାରେ ୩୮ଜଣ ଡେରା ସମର୍ଥକ ପ୍ରାଣ ହରାଇବା ସହ ୨୬୪ରୁ ଅଧିକ ବ୍ୟକ୍ତି ଆହତ ହୋଇଥିଲେ । ହିଂସା ଦ୍ୱାରା ପଞ୍ଜାବ ଓ ଦିଲ୍ଲୀରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଥିଲା ।

ସେପଟେ ହରିଆଣା ପୁଲିସକୁ ବଡ଼ ସଫଳତା ମିଳିଛି । ଧରାପଡ଼ିଛି ହନିପ୍ରୀତଙ୍କ ଡ୍ରାଇଭର୍ । ବାବା ରାମରହିମ ଜେଲରେ କାରାଦଣ୍ଡ ଭୋଗୁଥିବାବେଳେ ହନିପ୍ରୀତଙ୍କ ଅତି ବିଶ୍ୱସ୍ତ ଡ୍ରାଇଭର୍ ପ୍ରଦିପକୁ ଗିରଫ କରିଛି ପୁଲିସ । ରାଜସ୍ଥାନର ଲକ୍ଷ୍ମଣଗଡ ଅଂଚଳରୁ ପ୍ରଦିପକୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଗିରଫ ଡ୍ରାଇଭର ଠାରୁ ଫେରାର ହନୀପ୍ରୀତଙ୍କ ସମ୍ବନ୍ଧରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିିଳିବାର ସମ୍ଭାବନା ଥିବା କହିଛି ପୁଲିସ । ଲୁକ ଆଉଟ ନୋଟିସ ଜାରି ପରେ ବିଭିନ୍ନ ରାଜ୍ୟ ସହ ନେପାଳ ସୀମାରେ ହନୀପ୍ରିତଙ୍କ ସନ୍ଧାନ ଜାରି ରଖିଛି ହରିଆଣା ପୁଲିସ।

ବାବାଙ୍କ ସମ୍ପତି ଉପରେ ଅଧିକାର ଦାବି କରୁଥିବା ହନୀପ୍ରିତ ଓ ବିପାସନାଙ୍କ ମଧ୍ୟରେ ପୂର୍ବରୁ ବିବାଦ ଥିବାରୁ ଏହାର ସୁଯୋଗ ନେବାକୁ ଚେଷ୍ଟା ଚଳାଇଛି ପୁଲିସ । ବିପାସନାଙ୍କ ମାଧ୍ୟମରେ ହନିପ୍ରୀତଙ୍କ ପାଖରେ ପହଂଚିବାକୁ ପୁଲିସ ଜାଲ ବିଛାଇଥିବା କୁହାଯାଉଛି  । ତେବେ ବର୍ତମାନ ପର୍ଯ୍ୟନ୍ତ ହନିପ୍ରୀତଙ୍କ ସୁରାକ୍ ପାଇବାରେ ହରିଆଣା ପୁଲିସକୁ ସଫଳତା ମିଳି ପାରିନାହିଁ  ।