ଜଳୁଛି ହରିୟାଣା ଓ ପଂଜାବ ! ଡେରା ସମର୍ଥକଙ୍କ ହିଂସାକାଣ୍ଡରେ ୩୧ମୃତ, ଶତାଧିକ ଆହତ, ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଜାରି

30

କନକ ବ୍ୟୁରୋ: ରେପିଷ୍ଟ ବାବା ରାମ ରହିମଙ୍କ ସମର୍ଥକଙ୍କ ଗୁଣ୍ଡାଗର୍ଦି । ଫଳରେ ହରିୟାଣା ଓ ପଞ୍ଜାବରେ ସ୍ଥିତି ଅଣାୟତ୍ତ ହୋଇଛି । ହରିୟାଣାର ପଂଚକୁଲାରେ ଅଣାୟତ୍ତ ହେଉଛି ସ୍ଥିତି । ରାତିସାରା ପୋଲିସ ଫ୍ଲାଗମାର୍ଚ୍ଚ କରିଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୩୦ରେ ପହଂଚିଲାଣି । ରାମ ରହିମଙ୍କ ଭଡ଼ାଟିଆ ଗୁଣ୍ଡାଙ୍କ ହିଂସାକାଣ୍ଡରେ କୋଟି କୋଟି ଟଙ୍କାର ସମ୍ପତି ନଷ୍ଟ ହୋଇଛି ।

ଭଡ଼ାଟିଆ ଗୁୁଣ୍ଡାଙ୍କ ହିଂସାକାଣ୍ଡରେ ଏଭଳି କ୍ଷତି ହୋଇଛି ଯେ, କୋର୍ଟ ରେପିଷ୍ଟ ବାବାଙ୍କ ସବୁ ସମ୍ପତି ଆଟାଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ରାଜ୍ୟର ଖଟ୍ଟର ସରକାର କହୁଛନ୍ତି ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ପଂଜାବ ଓ ହରିୟାଣାର ବିଭିନ୍ନ ସହରରେ କଫ୍ୟୁ ଲଗାଯାଇଛି । ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି । ଉତ୍ତରପ୍ରଦେଶର ନୋଇଡା, ଗାଜିଆବାଦ, ମୁଜାଫରନଗର, ବାଗପତ ଏବଂ ସାମଲି ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି । ହରିଆଣା ଓ ପଂଜାବରେ ରାଜ୍ୟ ପୁଲିସ ସହ ୬୦୦ ସେନା ଯବାନ ଓ ୧୦ କଂପାନୀ ସିଆରପିଏଫ୍ ମୁତୟନ କରାଯାଇଛି । ଡୋରା ସଚ୍ଚା ସୌଦାର ହଜାର ସମର୍ଥକଙ୍କୁ ହାଜତକୁ ନିଆଯାଇଛି ।

ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟାରା ପଂଚକୁଲାରେ ହିଂସାସ୍ଥଳ ବୁଲିବା ସହ ସ୍ଥିତିର ସମୀକ୍ଷା କରିଛନ୍ତି । ସେପଟେ ହରିଆଣା, ପଂଜାବ ଓ ଦିଲ୍ଲୀରେ ଉତେଜନାକୁ ଦେଖି ଆଜି ଜରୁରିକାଳୀନ ବୈଠକ ଡାକିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ । ଆଜି ୧୧ଟାରେ ଏହି ବୈଠକ ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ଥିତିର ସୂଚନା ଦିଆଯାଇଛି । ଏପଟେ ବ୍ୟାପକ ହିଂସାକାଣ୍ଡକୁ ଦେଖି ବାବା ରାମରହିମଙ୍କୁ ହେଲିକପ୍ଟର ଯୋଗେ ରୋହତକରେ ଥିବା ପୋଲିସ ଟ୍ରେନିଂ ସେଂଟରରେ ଏକ ଅସ୍ଥାୟୀ ଜେଲରେ ରଖାଯାଇଛି ।

ସୂଚନା ମୁତାବକ, ଦୁଷ୍କର୍ମ ଅଭିଯୋଗରେ ବାବା ରାମ ରହିମଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପଞ୍ଚକୁଳାର ସ୍ୱତନ୍ତ୍ର ସିବିଆଇ କୋର୍ଟ । ଦୀର୍ଘ ୧୫ ବର୍ଷ ପରେ ଡେରା ପ୍ରମୁଖ ବାବା ରାମ ରହିମଙ୍କ ବିରୋଧରେ ଲାଗିଥିବା ଯୌନ ନିର୍ଯ୍ୟାତନା ମାମଲାରେ ଗତକାଲି ରାୟ ପ୍ରକାଶ ପାଇଥିଲା । ସ୍ୱାଧୀଙ୍କୁ ଯୌନ ନିର୍ୟ୍ୟାତନା ମାମଲାରେ ୩୭୬ ଧାରା ଅନୁଯାୟୀ ବାବାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସିବିଆଇର ସ୍ୱତନ୍ତ୍ର କୋର୍ଟ । ଆସନ୍ତା ୨୮ରେ ଏହି ମାମଲାରେ ଦଣ୍ଡାଦେଶ ଶୁଣାଇବେ ସିବିଆଇର ସ୍ୱତନ୍ତ୍ର କୋର୍ଟ । ତେବେ ରାମ ରହିମଙ୍କ ଜେଲ ଯିବାକୁ କେନ୍ଦ୍ର କରି ବ୍ୟାପକ ହିଂସାକାଣ୍ଡ ଭିଆଇଛନ୍ତି ବାବାଙ୍କ ସମର୍ଥକ ।