ଜେଲରେ ପ୍ରଥମ ରାତିରେ ବିଚଳିତ ହୋଇପଡ଼ିଲେ ରାମରହିମ ! ଖାଇଲେ ନାହିଁ ଖାଦ୍ୟ

41

କନକ ବ୍ୟୁରୋ : ୬କୋଟି ଅନୁଗାମୀଙ୍କ ଭଗବାନ, ୭ଶହ ଏକର ପରିମିତ ଆଶ୍ରମର ଅଧିପତି ଏପରିକି ଧର୍ମଗୁରୁମାନଙ୍କ ମଧ୍ୟରେ ବେଶ ପ୍ରଭାବଶାଳୀ କୁହାଯାଉଥିବା ବାବା ଗୁରମିତ ରାମରହିମଙ୍କ ପ୍ରଥମ ରାତି କଟିଲା ଜଣେ ସାଧାରଣ କଏଦୀ ଭାବରେ । ରୋହତକ ସୁନାରିଆ ଜେଲର କଏଦୀ ନମ୍ବର- ୮୬୪୭ ରାମରହିମ ପ୍ରଥମ ରାତିରେ ଥିଲେ ବେଶ ବିଚଳିତ । ଭବ୍ୟ ଆଶ୍ରମରେ ଅୟସ ଆରାମ କରୁଥିବା ବାବାଙ୍କୁ ହଜମ ହୋଇନାହିଁ ଜେଲର ଅନ୍ଧାର କୋଠରୀ ।

ଦୁଇଜଣ ଶିଷ୍ୟାଙ୍କୁ ବଳାତ୍କାର ମାମଲାରେ ଜେଲ ଆସିବା ପରେ ସୋମବାର ରାତିରେ ତାଙ୍କୁ ଖାଇବାକୁ ଦିଆଯାଇଥିଲା ୪ଟି ରୁଟି ଓ ତରକାରୀ । ହେଲେ ସେ ମାତ୍ର ଗୋଟିଏ ରୁଟିର ଅଧା ଓ କିଛି ତରକାରୀ ଖାଇଥିବା ଜଣାପଡିଛି । ସାରା ରାତି ଶୋଇପାରିନଥିଲେ ରାମରହିମ । ବ୍ୟସ୍ତ ବିବ୍ରତ ହୋଇ ତାଙ୍କୁ ରଖାଯାଇଥିବା ୧୦ଫୁଟର ଛୋଟିଆ ସେଲରେ ଏପଟ ସେପଟ ଚାଲୁଥିବା ଦେଖିବାକୁ ମିଳିଥିଲା ।

୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ଭୋଗୁଥିବା ରାମରହିମଙ୍କୁ ଏବେ ରୋହତକର ସୁନରିୟା ଜେଲରେ ଦିନ କାଟିବାକୁ ପଡିବ । ଏଠାରେ ୮ଜଣ ଗ୍ୟାଙ୍ଗଷ୍ଟରଙ୍କ ସହ ୫୦ରୁ ଅଧିକ ବଡ ଅପରାଧୀଙ୍କ ସହ ତାଙ୍କୁ ରହିବାକୁ ହେବ । ତେବେ ସୁରକ୍ଷା କାରଣରୁ ତାଙ୍କୁ ବାରାକ ପରିବର୍ତ୍ତେ ଜେଲର ସେଲରେ ରଖାଯାଇଛି । ଦୁଇଜଣ ଶିଷ୍ୟାଙ୍କୁ ବଳାତ୍କାର ଭଳି ଜଘନ୍ୟ ଅପରାଧ ପାଇଁ ବାବାଙ୍କୁ ସୋମବାର ୨୦ବର୍ଷର ଜେଲ ଦଣ୍ଡାଦେଶ କରିଥିଲେ । ଆଉ ଦଣ୍ଡ ଶୁଣାଣି ବେଳେ ସିବିଆଇ ଜଜ୍ କହିଥିଲେ-
୧- ଜଣେ ଜଙ୍ଗଲୀ ପଶୁ ଭଳି କାମ କରିଛନ୍ତି ରାମରହିମ
୨- ଏପରିକି ଅତି ଅନୁଗତ ଶିଷ୍ୟାଙ୍କୁ ମଧ୍ୟ ଛାଡି ନାହାନ୍ତି
୩- ଡେରା ମୁଖ୍ୟ ଯେଉଁ ଅପକର୍ମ କରିଛନ୍ତି, କୋର୍ଟ ତାଙ୍କ ପ୍ରତି କୋହଳ ହୋଇପାରିବେନି
୪- ସମର୍ପିତା ଶିଷ୍ୟାଙ୍କୁ ସେ ବଳାକ୍ରାର କରିଛନ୍ତି, ଯାହା ଅକ୍ଷମଣୀୟ

ସିବିଆଇ ଜଜ୍ ଜଗଦୀପ ସିଂ ତାଙ୍କ ୯ ପୃଷ୍ଠାର ରାୟରେ ଏହି ଜଘନ୍ୟ ଅପରାଧ ପାଇଁ ରାମରହିମଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୧୫ ଲକ୍ଷ ଲେଖାଏଁ ୩୦ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ କରିଥିଲେ ।