ଦଙ୍ଗା ପାଇଁ ୫ କୋଟି ! କୋର୍ଟଙ୍କ ରାୟ ପୂର୍ବରୁ ଦଙ୍ଗା କରିବାକୁ ଟଙ୍କା ଦେଇଥିଲେ ବଳାତ୍କାରୀ ବାବା ରାମରହିମ

43

କନକ ବ୍ୟୁରୋ : ବଳାତ୍କାରୀ ବାବା ରାମରହିମଙ୍କୁ ନେଇ ଆଉ ଏକ ଭୟଙ୍କର ସତ ସାମନାକୁ ଆସିଛି । ଦଙ୍ଗା ଭିଆଇବାକୁ ଟଙ୍କା ଦେଇଥିଲେ ବାବା । ଏହାର ପ୍ରମାଣ ମିଳିଛି । ଅନୁସନ୍ଧାନ ପରେ ଏନେଇ ତଥ୍ୟ ଦେଇଛି ହିଂସାକାଣ୍ଡର ଯାଂଚ କରୁଥିବା ସ୍ୱତନ୍ତ୍ର ଟ୍ୟାକ୍ସ ଫୋର୍ସ ।

ଅଗଷ୍ଟ ୨୫ ତାରିଖ
ଏକ ଭୟାନକ ହିଂସାକାଣ୍ଡର ଦୃଶ୍ୟ, ଯାହା ପଂଜାବ ଓ ହରିୟାଣାକୁ ସ୍ତବ୍ଧ କରି ଦେଇଥିଲା । ସ୍ୱତନ୍ତ୍ର ସିବିଆଇ କୋର୍ଟରେ ବଳାତ୍କାରୀ ବାବା ଦୋଷୀ ସାବ୍ୟସ୍ତ ହେବା ପରେ ସହରକୁ ବନ୍ଧକ ବନାଇଥିଲେ ଡେରାର ଗୁଣ୍ଡାବାହିନୀ । ଯାହା ପାଇଲେ ଭାଙ୍ଗିଲେ, ଯାହା ଦେଖିଲେ ଜାଳିଲେ, ଆଗରେ ଯିଏ ପଡିଲା ଆକ୍ରମଣ କଲେ, ପୂରା ରକ୍ତ ମୁଖା ହୋଇ ଉଠିଥିଲେ ରାମରହିମଙ୍କ ଗୁଣ୍ଡା ।

୧୨ ଦିନ ପରେ ସାମ୍ନାକୁ ଆସିଲା ସତ : ଦଙ୍ଗା ପାଇଁ ବାବା ଦେଇଥିଲେ ୫ କୋଟି
ଦଙ୍ଗା ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଧର୍ମର କଥା କହୁଥିବା ରାମରହିମ ଯେ ଏଭଳି ଷଡଯନ୍ତ୍ର ରଚିପାରନ୍ତି, ତାହା ବିଶ୍ୱାସ କରିବା କଷ୍ଟ ହେଲେ ବି ସତ । ଦଙ୍ଗା ପଛର କାରଣ ଖୋଜି ବାହାର କରିଛି ଏସଆଇଟି । ଡେରା ଅନୁଗାମୀ ଯେଉଁ ହିଂସାକାଣ୍ଡ କରିଥିଲେ, ଏଥିରେ ଭକ୍ତି ଅପେକ୍ଷା ଟଙ୍କା ଅଧିକ କାମ କରିଥିଲା । ଦଙ୍ଗା ଭିଆଇବା ପାଇଁ ଡେରା ଦେଇଥିଲା ୫ କୋଟି ଟଙ୍କା ।

ହରିୟାଣାର ପଂଚକୁଳା ଏବଂ ପଂଜାବର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟାଇବା ପାଇଁ ଟଙ୍କା ବଂଟା ଯାଇଥିଲା । ଡେରା ଅନୁଗାମୀଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ଦଙ୍ଗାରେ ଜୀବନ ଗଲେ ଦିଆଯିବ ବଡ଼ ପରିମାଣର କ୍ଷତିପୂରଣ । ରାମରହିମଙ୍କ ତଥାକଥିôତ ଝିଅ ହନିପ୍ରୀତଙ୍କ ସମେତ ତାଙ୍କର କିଛି ବିଶ୍ୱସ୍ତ ଅନୁଚର ଏହି ଷଡଯନ୍ତ୍ରକୁ କାମରେ କରି ଦେଖାଇଥିଲେ । ଷଡଯନ୍ତ୍ର ଥିଲା, ଦଙ୍ଗାର ଆଢୁଆଳରେ ଫେରାର କରାଇନେବେ ବାବା ରାମରହିମଙ୍କୁ ।