୨୧୦୦ କୋଟି ଟଙ୍କାର ମାଲିକ, ଏବେ ଜେଲରେ ୨୦ ଟଙ୍କା ପାରିଶ୍ରମିକରେ କରୁଛନ୍ତି କାମ । ଜାଣନ୍ତୁ ଜେଲରେ କେଉଁ କାମ କରୁଛନ୍ତି ରାମରହିମ

48

୨୫ ଅଗଷ୍ଟ ୨୦୧୮ । ଆଜକୁ ଠିକ୍ ଏକବର୍ଷ ପୂର୍ବେ ହରିୟାଣା ଓ ପଞ୍ଜାବରେ ଦେଖିବାକୁ ମିଳିଥିଲା ହିଂସାର ମାହୋଲ । ତାହା ମଧ୍ୟ ଜଣେ ଦୁଷ୍କର୍ମକାରୀ କଏଦୀଙ୍କ ପାଇଁ । କାରଣ କଏଦୀଙ୍କୁ ଦୁଇଟି ଦୁର୍ଷ୍କମ ଅଭିଯୋଗରେ ୧୦ ବର୍ଷ ଲେଖାଏଁ ଦଣ୍ଡ ଶୁଣାଇଥିଲେ ସିବିଆଇର ସ୍ୱତନ୍ତ୍ର ଅଦାଲତ । ଆଉ ସିବିଆଇ ସ୍ୱତନ୍ତ୍ର କୋର୍ଟର ରାୟ ଆସିବା ପରେ ରୋହତକର ସୁନାରିଆ ଜେଲକୁ କଏଦୀ ଜଣଙ୍କୁ ଅଣାଯାଇଥିଲା । ଆଉ ତା’ପରେ ଯାହା ହୋଇଥିଲା ତାହାକୁ ନେଇ ପୂରା ଦେଶରେ ଚର୍ଚ୍ଚା ଜୋର ଧରିଥିଲା । କାରଣ ଉକ୍ତ କଏଦୀଙ୍କ ପାଇଁ ଦେଶର ଅଧିକାଂଶ ସ୍ଥାନରେ ଜଳିଥିଲା ନିଆଁ । ଭାଙ୍ଗିଥିଲା ଶହ ଶହ ଗାଡି, ଜୀବନ ହାରିଥିଲେ ଅନେକ ଲୋକ । ଆଉ ସେହି କଏଦୀ ଜଣକ ହେଉଛନ୍ତି ଗୁରମିତ୍ ରାମ ରହିମ । ଯିଏ ଆଜକୁ ଗୋଟିଏ ବର୍ଷ ପୂର୍ବେ ଦୁର୍ଷ୍କମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଯାଇଥିଲେ । ରାଜମହଲରୁ ସିଧାସଳଖ ଜେଲର କାଳ କୋଠରୀ ମଧ୍ୟକୁ ଯାଇଥିଲେ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗୁରମିତ ଯେଉଁଭଳି ସିରସା ଆଶ୍ରମରେ ଅୟସ ଆରାମରେ ଜୀବନ କାଟୁଥିଲେ ସେଥିରେ ଏବେ ପୂର୍ଣ୍ଣଛେଦ ପଡିଛି । ଜଣେ ସାଧାରଣ କଏଦୀ ଭଳି ଜୀବନ କାଟୁଛନ୍ତି ଗୁରମିତ । ଏହି ବର୍ଷକ ମଧ୍ୟରେ ଅନେକ ପରିବର୍ତ୍ତନ ହୋଇଛି । ଗୁରମିତଙ୍କ କଳା ମଚମଚ ବାଳ ଓ ଦାଢି ଧଳା ପଡିଯାଇଛି । ଚେହେରାର ରଙ୍ଗ ଓ ଚମକ ଉଡିଯାଇଛି । ଶହ ଶହ ଅନୁଗାମୀଙ୍କ ମେଳରେ ରହୁଥିବା ଗୁରମିତ ଏବେ ପୂରା ଏକାନ୍ତ । ଜେଲର ୧୫ ଫୁଟ ଲମ୍ବା ଓ ୧୦ ଫୁଟ୍ ଚଉଡାର କାଳକୋଠରୀ ଏବେ ଗୁରମିତଙ୍କ ନୂଆ ଠିକଣା ପାଲଟିଛି । ତେବେ ଗୁରମିତ ରାମ ରହିମ ଜେଲରେ କେଉଁ କାମ କରୁଛନ୍ତି ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ଦିନ ୫ଟାରୁ ଉଠିବା ସହ ଆରମ୍ଭ ହୋଇଥାଏ ରାମରହିମଙ୍କ ଦିନଚର୍ଯ୍ୟା । ପ୍ରଥମେ ଜେଲର ବଗିଚାରେ ବୁଲିବା ପରେ ପ୍ରାୟ ସାଢେ ୬ଟାରେ ଗୁରମିତଙ୍କୁ ଜେଲର ଲନକୁ ନିଆ ଯାଇଥାଏ । ଯେଉଁଠାରେ ସେ ଆରମ୍ଭ କରନ୍ତି ନିଜର ନିତିଦିନିଆ କାମ । ପ୍ରତିଦିନ ଭଳି ପନିପରିବା ବଗିଚାରେ ଚାଷ କାମ କରିଥାନ୍ତି ଗୁରମିତ । ଋତୁ ଅନୁଯାୟୀ ଏବେ ଜେଲରେ ପନିପରିବା ଚାଷ କରୁଛନ୍ତି ଗୁରମିତ । ଯାହାକୁ କଏଦୀ ମାନଙ୍କୁ ରୋଷେଇ କରି ଖାଇବାକୁ ଦିଆଯାଇଥାଏ । ତେବେ ଗୁରୁମିତ ଏହି କାମ ମାଗଣା କରୁନାହାନ୍ତି । ଏଥିପାଇଁ ମଧ୍ୟ ତାଙ୍କୁ ପାରିଶ୍ରମିକ ମିଳିଥାଏ । ପନିପରିବା ଚାଷ ପାଇଁ ଦୈନିକ ୨୦ ଟଙ୍କା ପାରିଶ୍ରମିକରେ ଜେଲରେ କାମ କରୁଛନ୍ତି ଗୁରମିତ ।

ଚାଷ କ୍ଷେତରେ କାମ କରିବା ପରେ କିଛି ସମୟ ଖେଳିବାକୁ ଦିଆଯାଇଥାଏ । କିନ୍ତୁ ଯେତେବେଳେ କ୍ୟାଣ୍ଟିନରୁ କୌଣସି ସାମଗ୍ରୀ ଆଣିବା ହେଉ କିମ୍ବା ଅନ୍ୟ କୌଣସି କାଯ୍ୟ ପାଇଁ ରାମରହିମ ବାହାରକୁ ଆସନ୍ତି ସେତେବେଳେ ଅନ୍ୟ କଏଦୀ ମାନଙ୍କୁ କୋଠରୀ ମଧ୍ୟରେ ବନ୍ଦ କରି ଦିଆଯାଇଥାଏ । ସୁରକ୍ଷା ଦୃଷ୍ଟିରୁ ରାମରହିମଙ୍କ କ୍ଷେତ୍ରରେ ଏଭଳି କରାଯାଇଥାଏ । ମଝିରେ ମଝିରେ ଘରଲୋକ ମଧ୍ୟ ରାମରହିମଙ୍କୁ ଭେଟିବାକୁ ଆସିଥାନ୍ତି । ଆଉ ଏହି ଲିଷ୍ଟରେ ରାମରହିମଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ନାଁ ରହିଛି । କେବଳ ପରିବାର ନୁହେଁ ଡେରାର ମ୍ୟାନେଜର ଶୋଭା ଗେରା ଓ ହନିପ୍ରୀତଙ୍କ ନାଁ ମଧ୍ୟ ଏହି ତାଲିକାରେ ସାମିଲ ରହିଛି । ଏପରିକି ଘରଲୋକଙ୍କ ସହ କଥା ହେବା ପାଇଁ ରାମରହିମ ଅନୁମତି ମାଗିଥିଲେ ମଧ୍ୟ ଏଯାଏଁ ତାଙ୍କୁ ଅନୁମତି ମିଳିନାହିଁ ।