ରାଇସିନାରେ ରାମ ରାଜ୍ୟ ! ଭାରତର ନୂଆ ରାଷ୍ଟ୍ରପତି ହେଲେ ରାମନାଥ କୋବିନ୍ଦ

128

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନକୁ ପୋଛି ନେଇଛନ୍ତି ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦ । ୬୫.୬୫ ପ୍ରତିଶତ ଭୋଟ ପାଇ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ସର୍ବୋଚ୍ଚ ପଦବୀରେ ବସିବାକୁ ଯାଉଛନ୍ତି ଏହି ଦଳିତ ନେତା । ତାଙ୍କ ବହୁ ପଛରେ ରହିଥିବା ୟୁପିଏ ପ୍ରାର୍ଥୀ ମୀରା କୁମାରଙ୍କୁ ମାତ୍ର ୩୪.୩୫ ପ୍ରତିଶତ ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଛି । ଆସନ୍ତା ୨୫ ତାରିଖରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରାମନାଥ କୋବିନ୍ଦଙ୍କୁ ଦେଶର ୧୪ତମ ରାଷ୍ଟ୍ରପତି ଭାବେ ଶପଥପାଠ କରାଇବେ । ଆଜି ବିଜୟ ଘୋଷଣା ପରେ କୋବିନ୍ଦ କହିଛନ୍ତି ଏହା ତାଙ୍କ ପାଇଁ ବଡ ଦାୟିତ୍ୱ ଏବଂ ମହାନ ଗଣତନ୍ତ୍ର ପରମ୍ପରାର ବିଜୟ । ସେପଟେ ପରାଜିତ ପ୍ରାର୍ଥୀ ମୀରା କୁମାର କହିଛନ୍ତି, ମୂଲ୍ୟ ଓ ବିଚାରଧାରାର ଲଢେଇ ଜାରି ରହିବ ।

ନବ ନିର୍ବାଚିତ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ନବୀନ ପଟ୍ଟନାୟକ ଟୁଇଟର ଜରିଆରେ ଅଭିନନ୍ଦନ ଜଣାଇଛନ୍ତି । ସୂଚନାଯୋଗ୍ୟ, ରାମନାଥଙ୍କୁ ଏନ୍‌ଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯିବା ପରେ ବିଜେଡ଼ି ପ୍ରଥମେ ସମର୍ଥନ ଜଣାଇବା ପାଇଁ ଘୋଷଣା କରିଥିଲା।

ଏକ କୃଷକ ପରିବାରରେ ଜନ୍ମିତ ରାମନାଥ ପ୍ରଥମେ ବାଣିଜ୍ୟରେ ସ୍ନାତକ ହେବାପରେ ଆଇନ ଅଧ୍ୟୟନ କରିଥିଲେ । କାନ୍‌ପୁର ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଡିଏଭି କଲେଜରୁ ଆଇନ ଡିଗ୍ରି ହାସଲ ପରେ ସେ ଆଇଏଏସ୍‌ ପରୀକ୍ଷା ଦେବା ଲାଗି ଦିଲ୍ଲୀ ଚାଲି ଆସିଥିଲେ । ତୃତୀୟ ଉଦ୍ୟମରେ ରାମନାଥ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ହେଁ ଚାକିରି ନ କରି ଆଇନ ପେସାକୁ ଅପଣାଇଥିଲେ। ସେ ପ୍ରଥମ ଦିଲ୍ଲୀ ହାଇକୋର୍ଟ ଓ ପରେ ସୁପ୍ରିମ୍‌କୋର୍ଟରେ ସଫଳତାର ସହ ଓକିଲାତି କରିଥିଲେ ।

ରାଜ୍ୟପାଳରୁ ରାଷ୍ଟ୍ରପତି ! ରାମନାଥଙ୍କ ରାଜନୈତିକ କ୍ୟାରିୟର୍ ବିଷୟରେ କିଛି କଥା

• ୧୯୯୪ ରୁ ୨୦୦୬ ମଧ୍ୟରେ ଦୁଇଥର ରାଜ୍ୟସଭା ସଦସ୍ୟ ରହିସାରିଥିବା ଦଳିତ ନେତା ରାମନାଥ ଉତ୍ତରପ୍ରଦେଶ କାନପୁର ବାସିନ୍ଦା ।

•  ରାମନାଥଙ୍କ ଜନ୍ମ ୧୯୪୫ ମସିହା ଅକ୍ଟୋବର ୧ ତାରିଖରେ ହୋଇଥିଲା ।

•  ଏକ କୃଷକ ପରିବାରରେ ଜନ୍ମିତ ରାମନାଥ ପ୍ରଥମେ ବାଣିଜ୍ୟରେ ସ୍ନାତକ ହେବାପରେ ଆଇନ ଅଧ୍ୟୟନ କରିଥିଲେ ।

•  ୧୯୭୧ରେ ଦିଲ୍ଲୀ ହାଇକୋର୍ଟ ବାର କାଉନସିଲର ସଦସ୍ୟତା ହାସଲ କରିଥିଲେ ।

•  କାନପୁର ବିଶ୍ୱବିଦ୍ୟାଳୟରୁ ବିକମ୍ ଓ ଏଲଏଲବି କରିଥିଲେ ।

•  ୧୯୭୭ ରୁ ୧୯୭୯ ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ଓକିଲ ଥିଲେ  ।

•  ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରିବା ପରେ ୧୯୮୦ରୁ ୧୯୯୩ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡିଂ କାଉନସିଲ ଭାବେ ସୁପ୍ରିମକୋର୍ଟରେ କାର୍ଯ୍ୟ କରିଛନ୍ତି ।

•  ୧୯୯୧ରେ ବିଜେପିରେ ସାମିଲ୍ ହୋଇଥିବା ରାମନାଥ ୧୯୯୪ରେ ରାଜ୍ୟସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ ।

•  ୨୦୦୦ରେ ୟୁପିରୁ ପୁଣି ଥରେ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ ।

•  ୧୨ ବର୍ଷର ରାଜ୍ୟସଭା ସଦସ୍ୟତା ଭିତରେ, ଅନେକ ସଂସଦୀୟ କମିଟିର ସଦସ୍ୟ ରହିସାରିଛନ୍ତି ରାମନାଥ କୋବିନ୍ଦ ।

•  ପେଷାରେ ଓକିଲ ଥିବା ରାମନାଥ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ପ୍ରମୁଖ ମଧ୍ୟ ।

• ୧୯୭୭ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ବିଶେଷ କାର୍ଯ୍ୟକାରୀ ଅଧିକାରୀ ମଧ୍ୟ ରହିସାରିଛନ୍ତି ।

•  ଦୁଇ ଥର ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ , ରାଷ୍ଟ୍ରୀୟ ପ୍ରବକ୍ତା ଏବଂ ଉତ୍ତରପ୍ରଦେଶର ମହାମନ୍ତ୍ରୀ ରହି ସାରିଛନ୍ତି ।

•  ହରିଦ୍ୱାରରେ ଗଙ୍ଗାକୂଳରେ ସ୍ଥିତ କୁଷ୍ଠ ରୋଗୀଙ୍କ ସେବା ପାଇଁ ସମର୍ପିତ ସଂସ୍ଥା ଦିବ୍ୟ ପ୍ରେମ ସେବା ମିଶନର ଆଜୀବନ ସଂରକ୍ଷକ ହେଉଛନ୍ତି ରାମନାଥ ।

•  ଅଗଷ୍ଟ ୨୦୧୫ରେ ବିହାରର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ ।

•  କେନ୍ଦ୍ରରେ ମୋଦି ସରକାର ଆସିବା ପରେ ରାମନାଥ ଉତ୍ତରପ୍ରଦେଶରୁ ରାଜ୍ୟପାଳ ବନିଥିବା ତୃତୀୟ ବ୍ୟକ୍ତି ।

କାହିଁକି ରାମନାଥଙ୍କୁ ବାଛିଲା ବିଜେପି! ଜାଣନ୍ତୁ ଏହା ପଛର କିଛି କାରଣ

ଦଳିତ ଚେହେରାଙ୍କୁ ସୁଯୋଗ ଦେବା :
ଦଳିତ ସମୁଦାୟର ହୋଇଥିବାରୁ ରାମନାଥଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିବା ଚର୍ଚ୍ଚା ହେଉଛି । ସାଧାରଣ ନିର୍ବାଚନ ଏବଂ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଦଳିତ ସମୁଦାୟ ଯେଉଁଭଳି ଭାବରେ ବିଜେପିକୁ ସମର୍ଥନ କରିଥିଲେ ସେହି ସ୍ଥିତି ବଜାୟ ରଖିବା ସହ ଦଳିତଙ୍କ ଆହୁରି ବିଶ୍ୱାସ ଭାଜନ ହେବାକୁ ବିଜେପି ଏହି ନିଷ୍ପତି ନେଇଥିବା କୁହାଯାଉଛି । ତେଣୁ ରାମନାଥଙ୍କ ଜରିଆରେ ଦଳ ସବକା ସାଥ୍ ସବକା ବିକାଶ୍ ନାରାକୁ ଆହୁରି ତ୍ୱରାନିତ କରିପାରିବ ବୋଲି ରାଜନୈତିକ ସମୀକ୍ଷକ ଅନୁମାନ କରୁଛନ୍ତି ।

ବିରୋଧ କରୁଥିବା ନେତା ଦଳିତ ବିରୋଧୀ ବୋଲି ବାର୍ତ୍ତା ଯିବ:
ସବୁଠାରୁ ବଡ କଥା ହେଉଛି ରାମନାଥଙ୍କ ପ୍ରାର୍ଥୀତ୍ୱଙ୍କୁ ଯେଉଁ ରାଜନୈତିକ ଦଳ ବିରୋଧ କରିବାକୁ ନିଷ୍ପତ୍ତି ହେବ, ଏହା ଉକ୍ତ ଦଳ ପାଇଁ ମହଙ୍ଗା ପଡିବ । ଯେହେତୁ ରାମନାଥ ଦଳିତ ସମୁଦାୟର ତେଣୁ ତାଙ୍କୁ ବିରୋଧ କଲେ ଅନ୍ୟଦଳକ ଦେହରେ ଦଳିତ ବିରୋଧୀର ଦାଗ ଲାଗିପାରେ । ତେଣୁ କୌଣସି ଦଳ ବିରୋଧ କରିବା ଆଗରୁ ବହୁତ ଭାବିବାକୁ ପଡିବ ।

ଲମ୍ବା ରାଜନୈତିକ ଅଭିଜ୍ଞତା :
ଦେଖିବାକୁ ଗଲେ ରାଜନୈତିକ ଅଭିଜ୍ଞତା ବାବଦରେ ରାମନାଥଙ୍କ ପକ୍ଷ ଖୁବ୍ ମଜଭୁତ୍ । ରାମନାଥ ୧୨ ବର୍ଷ ଅର୍ଥାତ୍ ୨ ଥର ରାଜ୍ୟସଭା ସାଂସଦ ରହିସାରିଛନ୍ତି । ଏହା ସହ ବିଜେପିର ଦଳିତ ମୋର୍ଚ୍ଚାର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ଅଗଷ୍ଟ ୨୦୧୫ରୁ ବିହାରର ରାଜ୍ୟପାଳ ଦାୟିତ୍ୱ ସମ୍ଭାଳିଛନ୍ତି ।

ଆଇକଜୀବି ଥିବା ହେତୁ ଆଇନ ଉପରେ ଉପଯୁକ୍ତ ଜ୍ଞାନ :
କାନପୁର ୟୁନିଭର୍ସିଟିରୁ ବିକମ୍ ଏବଂ ଏଲଏଲବି କରିଥିବା ରାମନାଥ ଉଭୟ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ୧୬ ବର୍ଷ ଯାଏଁ କାର୍ଯ୍ୟ କରିଥିଲେ । ଆଉ ଏମିତିରେ ସମସ୍ତ ଆଇନ୍ କାନୁନ୍ ବିଷୟରେ ସବିଶେଷ ତଥ୍ୟ ତାଙ୍କ ପଥକୁ ସହଜ କରିବ ।

ସମସ୍ତଙ୍କ ସମର୍ଥନ :
ଦଳ ଯଦି ଅନ୍ୟ ବରିଷ୍ଠ ବିଜେପି ନେତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଚୟନ କରିଥାନ୍ତା ତେବେ ବିପକ୍ଷ ଦଳ ନିଶ୍ଚୟ ବିରୋଧ କରିଥାନ୍ତେ । ଏହା ସହ ବିହାରରେ ରାଜ୍ୟପାଳ ଥିବା ହେତୁ ଲାଲୁ ପ୍ରସାଦ ଯାଦବ ଏବଂ ନୀତିଶ କୁମାରଙ୍କ ସହ ରାମନାଥଙ୍କ ଉତ୍ତମ ସଂପର୍କ ରହିଛି । ଏପରିକି ଉତ୍ତମ ସ୍ୱଭାବ ଯୋଗୁଁ ବିପକ୍ଷର ଅନେକ ନେତାଙ୍କ ସହ ମଧ୍ୟ ରାମନାଥଙ୍କ ମଧୁର ସଂପର୍କ ରହିଛି । ତେଣୁ ରାମନାଥଙ୍କ ଚେହେରା ଦଳକୁ ଅନ୍ୟମାନଙ୍କ ସମର୍ଥନ ହାସଲ କରିବାରେ ସହାୟକ ହୋଇପାରେ ।

ଅନ୍ତଃରାଷ୍ଟ୍ରୀୟ ଅଭିଜ୍ଞତା ଏବଂ ଅନୁଭବ :
ଦୁଇ ଦୁଇ ଥର ରାଜ୍ୟସଭା ସଦସ୍ୟ ରହିଥିବା ହେତୁ ରାମନାଥ ଅନେକ ଥର ବିଦେଶ ଗସ୍ତ କରିଛନ୍ତି । ଏହା ସହ ସେ ଗଭର୍ଣ୍ଣର୍ସ ଅଫ୍ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟର ସଦସ୍ୟ ଥିଲେ । ୨୦୦୨ରେ ସେ ଦୁନିଆର ସବୁଠାରୁ ବଡ ପଂଚାୟତ ସଂଯୁକ୍ତ ରାଷ୍ଟ୍ର ମହାସଭାକୁ ମଧ୍ୟ ସମ୍ବୋଧିତ କରିଥିଲେ । ତେଣୁ ରାମନାଥଙ୍କ ଏହି ଛବି ଆଗକୁ ଦେଶ ପାଇଁ କାମରେ ଆସିବ ।

ଆଜି ଯାଏଁ କୌଣସି ବିବାଦ ଘେରକୁ ଆସିନାହାଁନ୍ତି :
ରାମନାଥ କୋବିନ୍ଦ ଜଣେ ନିର୍ବିବାଦୀୟ ନେତା ଭାବେ ବେଶ୍ ଜଣାଶୁଣା । ତାଙ୍କ ରାଜନୈତିକ କ୍ୟାରିୟର୍ ଭିତରେ ଆଜିଯାଏଁ କୌଣସି ବିବାଦ କିମ୍ବା ଦୁର୍ନୀତି ତାଙ୍କୁ ଛୁଇଁ ପାରିନାହିଁ । କାନପୁରର ଏକ ଦଳିତ ପରିବାରେ ଜନ୍ମିତ ରାମନାଥଙ୍କ ଛବି ଜଣେ ନିଷ୍ଠାବାନ୍ ବ୍ୟକ୍ତି ଭାବରେ ପରିଚିତ । ଅନେକ ସମୟରେ ସେ ଗରିବମାନଙ୍କ ପାଇଁ ସଂଘର୍ଷ ମଧ୍ୟ କରିଛନ୍ତି । ରାଜନୀତିରେ ଯେଉଁଠି ନେତା ମାନେ ହାଇକ୍ଲାସ୍ ଜୀବନ ଯାପନ କରନ୍ତି ସେଠି ରାମନାଥ କିନ୍ତୁ ସାଧରଣ ଜୀବନ ବଂଚିବାକୁ ପସନ୍ଦ କରନ୍ତି । ଏପରିକି ଗାଁରେ ଥିବା ନିଜ ପୈତୃକ ଘରକୁ ମଧ୍ୟ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଦାନ କରିଦେଇଛନ୍ତି । ତେଣୁ ତାଙ୍କର ଏହି ଛବି ତାଙ୍କ ରାଷ୍ଟ୍ରପତି ହେବାର ପଥକୁ ପରିଷ୍କାର କରିଦେଇଛି ।

ଦିନେ ରାଷ୍ଟ୍ରପତି ଭବନରେ ପ୍ରବେଶ କରିବାକୁ କରାଯାଇଥିଲା ବାରଣ ! ଆଜି ବଦଳିଗଲା ଭାଗ୍ୟ

ଦିନେ ରାଷ୍ଟ୍ରପତି ଭବନରେ ପ୍ରବେଶ କରିବାକୁ ରାମନାଥଙ୍କୁ ବାରଣ କରାଯାଇଥିଲା । ଆଉ ବାହାର ଗେଟରୁ ହିଁ ତାଙ୍କୁ ବିଦା କରିଦେଇଥିଲେ ସୁରକ୍ଷାକର୍ମୀ । କିନ୍ତୁ ଗୋଟିଏ ଦୁଇ ମାସ ଭିତରେ ପଲଟିଗଲା କାୟା । ଆଜି ସେହି ରାମନାଥ ବନିଯାଇଛନ୍ତି ରାଷ୍ଟ୍ରପତି । ଘଟଣାଟି ହେଉଛି ଗତ ମେ’ ମାସ ୩୦ ତାରିଖର ।

ନିଜ ବିବାହ ବାର୍ଷିକି ଉପଲକ୍ଷେ ରାମନାଥ ପରିବାର ସହ ସିମଲା ବୁଲିବାକୁ ଯାଇଥିଲେ । ଏହି ଯାତ୍ରା ସମୟରେ ସେ ସିମଲାରେ ଥିବା ରାଷ୍ଟ୍ରପତି ଭବନ ରିଟ୍ରିଟ୍ ଯିବାକୁ ଚାହିଁଥିଲେ । ହେଲେ ସେଠାରେ ପହଂଚିବା ପରେ ଗେଟ୍ ପାଖରୁ ହିଁ ସୁରକ୍ଷାକର୍ମୀ ରାମନାଥଙ୍କୁ ଫେରାଇ ଦେଇଥିଲେ । ସୁରକ୍ଷାକର୍ମୀ କହିଥିଲେ ତାଙ୍କ ପାଖରେ ରାଷ୍ଟ୍ରପତିଙ୍କ ଅଫିସରୁ ଆବଶ୍ୟକୀୟ ଏବଂ ଉପଯୁକ୍ତ ଅନୁମତି ନାହିଁ । ଫଳରେ ବଙ୍ଗଳା ଭିତରକୁ ଯାଇ ନପାରି ଗେଟ୍ ବାହାରୁ ହିଁ ଫେରି ଆସିଥିଲେ ରାମନାଥ ।

ହେଲେ ଏବେ ପଲଟି ଯାଇଛି ଭାଗ୍ୟ । କାରଣ ଯେଉଁ ରିଟ୍ରିିଟରୁ ଫେରିଥିଲେ ରାମନାଥ ସେହି ରିଟ୍ରିଟକୁ ଏବେ ପୁଣି ଥରେ ଯିବେ, ହେଲେ ରାଷ୍ଟ୍ରପତି ହୋଇ ।