ଅଯୋଧ୍ୟାରେ ରାମ ମନ୍ଦିର, ଲକ୍ଷ୍ନୌରେ ମସଜିଦ ! ପ୍ରସ୍ତାବ ଦେଲା ସିଆ ୱାକଫ ବୋର୍ଡ

241

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଉ । ଆଉ ମୁସଲିମଙ୍କ ପାଇଁ ଲକ୍ଷ୍ନୌରେ ନିର୍ମାଣ କରାଯାଉ ମସଜିଦ୍ । ଅଯୋଧ୍ୟା ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟରେ ଗତ ୧୮ ତାରିଖରେ ଏପରି ପସ୍ତାବ ଦାଖଲ କରିଛି ୟୁପି ସିଆ ସେଂଟ୍ରାଲ ୱାକଫ ବୋର୍ଡ । ଏହି ସୂଚନା ଦେଇଛନ୍ତି ସିଆ ୱାକଫ ବୋର୍ଡର ଅଧ୍ୟକ୍ଷ ବସିମ ରିଜବୀ । ସେ କହିଛନ୍ତି ବିବାଦୀୟ ସ୍ଥଳରୁ ନିଜ ଅଧିକାର ଦାବିକୁ ସିଆ ୱାକଫ ବୋର୍ଡ ପ୍ରତ୍ୟାହାର କରୁଛି । ଲକ୍ଷ୍ନୌର ହୁସୈନାବାଦରେ ମସଜିଦ ନିର୍ମାଣ ପାଇଁ ୱାକଫ ବୋର୍ଡ ଜମି ମାଗିଛି । ଏଥିସହ ମସଜିଦର ନାମ କୌଣସି ରାଜାର ନାମରେ କରାନଯାଇ ମସଜିଦ-ଏ-ଅମନ ରଖିବାକୁ ବୋର୍ଡ ନଷ୍ପତି ନେଇଛି ।

ଅଯୋଧ୍ୟା ବିବାଦକୁ ମୁସଲିମ ପର୍ସନାଲ ଲ’ ବୋର୍ଡ ଅଧିକ ବିବାଦୀୟ କରୁଥିବା ଅଭିଯୋଗ କରିଛନ୍ତି ସିଆ ସେଂଟ୍ରାଲ ୱାକଫ ବୋର୍ଡର ଅଧ୍ୟକ୍ଷ ବସିମ ରିଜବୀ । ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଆସନ୍ତା ୫ ତାରିଖରେ ହେବ । ଏହି ପ୍ରସ୍ତାବକୁ ହିନ୍ଦୁ ସମ୍ପ୍ରଦାୟର ଅନେକ ପୁରୁଖା ନେତାଙ୍କ ସମେତ ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟମାନେ ଗ୍ରହଣୀୟ ବୋଲି କହିଛନ୍ତି। ସୋମବାର ଅଖିଳ ଭାରତୀୟ ଅକ୍ଷର ପରିଷଦର ସାମ୍ବାଦିକ ସମ୍ମିଳନୀରେ ମହନ୍ତ ନରେନ୍ଦ୍ର ଗିରି ଓ ରିଜବୀ ଏହି ପ୍ରସ୍ତାବ ସମ୍ପର୍କରେ ଦର୍ଶାଇଛନ୍ତି।

ଅପରପକ୍ଷେ, ସୁନ୍ନି ମୁସ୍ଲିମ ଗୋଷ୍ଠୀ ଏହାକୁ ତୀବ୍ର ବିରୋଧ କରିବା ସହ ବିଜେପି ଚାପରେ ସିଆ ବୋର୍ଡ ଏଭଳି ପ୍ରସ୍ତାବ ଦେଉଥିବା ସୁନ୍ନି ନେତା ମୌଲାନା କଲବେ ଜାଓ୍ଵଦ୍ କହିଛନ୍ତି। ସିଆ ବୋର୍ଡ ଏହି ମାମଲାର ପକ୍ଷଭୁକ୍ତ ନଥିବାରୁ ଉକ୍ତ ଗୋଷ୍ଠୀର ପ୍ରସ୍ତାବକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି ସୁନ୍ନି ସଂପ୍ରଦାୟ ପକ୍ଷରୁ କୁହାଯାଇଛି। ନିକଟରେ ଆର୍ଟ-ଅଫ-ଲିଭିଂ ପ୍ରତିଷ୍ଠାତା ରବିଶଙ୍କର ଉକ୍ତ ବିବାଦର ସମାଧାନ ପାଇଁ ଅଯୋଧ୍ୟାରେ ପହଞ୍ଚି ଆଲୋଚନା କରିଥିଲେ ହେଁ କିଛି ସୁଫଳ ମିଳିନି।