ବିଭିନ୍ନ ସ୍ଥାନରେ ନିଆରା ଢଙ୍ଗରେ ପାଳନ ହେଲା ରାକ୍ଷୀ ପୂର୍ଣ୍ଣିମା !

90

କନକ ବ୍ୟୁରୋ : ରାକ୍ଷୀ ବାନ୍ଧୀ ଉପହାରରେ ଭାଇକୁ ଗଛ ଟିଏ ପ୍ରଦାନ କଲେ କୁନି କୁନି ଭଉଣୀ । ମାଲକାନଗିରି ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରାକ୍ଷୀ ପୁର୍ଣମୀ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଛାତ୍ରୀମାନେ ବିଦ୍ୟାଳୟର କୁନି ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧୀ ଭଉଣୀ ମାନଙ୍କ ସୁରକ୍ଷା ସମେତ ପରିବେଶର ସୁରକ୍ଷା ଲାଗି ନିବେଦନ କରିଛନ୍ତି । ଏଥିପାଇଁ ବିଦ୍ୟାଳୟର ଛାତ୍ରୀ ମାନେ ସହପାଠୀ ଛାତ୍ରଙ୍କ ହାତରେ ଚାରା ଗଛ ଟିଏ ଟେକି ଦେଇଛନ୍ତି । ଏଥିପାଇଁ ବିଦ୍ୟାଳୟର ସବୁଜ ବାହିନୀର ଛାତ୍ର ଛାତ୍ରୀ ମାନେ ପ୍ରଥମେ ଚାରା ଗଛ କୁ ନାଲି ସୁତା ବାନ୍ଧୀ ପୁଜାର୍ଚ୍ଚନା କରିବା ପରେ ଏହା ଭାଇଙ୍କୁ ଉପହାର ଆକରରେ ଦେଇଥିଲେ ।

ଜମ୍ମୁକଶ୍ମୀର ଉଦ୍ଧାମପୁରଠାରେ ସିଆରପିଏଫ ଯବାନଙ୍କୁ ରାକ୍ଷୀ ବାନ୍ଧିଛନ୍ତି ସ୍ଥାନୀୟ ସ୍କୁଲ ଛାତ୍ରୀ । ଅମରନାଥ ଯାତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ହୋଇଥିବା ଏହି ଯବାନଙ୍କୁ ରାକ୍ଷୀ ବାନ୍ଧି ଛାତ୍ରୀମାନେ ତାଙ୍କ ଦୀର୍ଘାୟୁ କାମନା କରିଛନ୍ତି । ଏପରି ସ୍ୱାଗତଯୋଗ୍ୟ ପଦକ୍ଷେପ ଘରରୁ ଦୂୁରରେ ରହି ଦେଶର ସୁରକ୍ଷାରେ ନିୟୋଜିତ ହୋଇଥିବା ଯବାନଙ୍କ ମନୋବଳ ବଢ଼ାଇବ ବୋଲି ସିଆରପିଏଫର ଯବାନମାନେ କହିଛନ୍ତି । ସ୍କୁଲ ଛାତ୍ରୀଙ୍କ ଏଭଳି ଭଲ ପାଇବାକୁ ଯବାନ ମାନେ ସ୍ୱାଗତ କରିଛନ୍ତି ।

ଜମ୍ମୁକଶ୍ମୀରର ପୁଂଛ ସେକ୍ଟରରେ ମଧ୍ୟ ସୀମାରେ ନିୟୋଜିତ ଥିବା ଯବାନଙ୍କୁ ରାକ୍ଷୀ ବାନ୍ଧିଛନ୍ତି ସ୍ଥାନୀୟ ଅଂଚଳର ଯୁବତୀ ଓ ମହିଳାମାନେ । ଘରଠାରୁ ଦୂରରେ ଥିଲେ ବି ସ୍ଥାନୀୟ ଯୁବତୀଙ୍କ ଏହି ଶ୍ରଦ୍ଧା ଭଉଣୀମାନଙ୍କ ଅନୁପସ୍ଥିତିକୁ ଭୁଲେଇ ଦେଇଛି ବୋଲି ଯବାନମାନେ କହିଛନ୍ତି । ସ୍ଥାନୀୟ ଭଉଣୀମାନେ ରାକ୍ଷୀ ବାନ୍ଧି ଆତ୍ମବିଶ୍ୱାସ ବଢାଇଥିବା ଯବାନମାନେ କହିଛନ୍ତି ।