ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ପ୍ରଶାନ୍ତ ନନ୍ଦ, ସୈାମ୍ୟରଂଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତଙ୍କୁ ଟିକେଟ

68

ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରଶାନ୍ତ ନନ୍ଦ, ସୈାମ୍ୟରଂଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତଙ୍କୁ ଦଳ ଦେଲା ଟିକେଟ । ଆଜି ବିଜେଡିରେ ସାମିଲ ହୋଇଥିବା ସୈାମ୍ୟରଂଜନ ଓ ଅଚ୍ୟୁତଙ୍କୁ ଦଳ ଟିକେଟ ଦେଇଥିବା ବେଳେ ପ୍ରଶାନ୍ତ ନନ୍ଦଙ୍କୁ ସାଂଗଠନିକ ଦକ୍ଷତା ପାଇଁ ଦଳ ପୁରଷ୍କୃତ କରାଯାଉଥିବା କୁହାଯାଉଛି । ଖାସ୍କରି ଆଗାମୀ ଦିନରେ ୨୦୧୯ ପାଇଁ ଦଳ ତିଆରି କରୁଥିବା ରଣନୀତି ଦୃଷ୍ଟିକୋଣରୁ ପ୍ରଶାନ୍ତଙ୍କୁ ଟିକେଟ ଦିଆଯାଇଥିବା ଅନୁମାନ କରାଯାଉଛି ।
ଆଜି ପୂର୍ବାହ୍ନରେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ ଆମ ଓଡିଶା ପାର୍ଟି ଅଧ୍ୟକ୍ଷ ସୈାମ୍ୟରଂଜନ ପଟ୍ଟନାୟକ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଥିଲେ । ନବୀନ କହିଥିଲେ, ସୈାମ୍ୟରଂଜନଙ୍କ ଯୋଗଦାନ ଫଳରେ ଦଳ ଲାଭବାନ ହେବ । ଏନେଇ ସେ ଦୃଢ ନିଶ୍ଚିତ ଥିବା ନବୀନ କହିଛନ୍ତି ।


ବିଜେଡିରେ ଯୋଗଦେବା ପରେ ସୈାମ୍ୟରଂଜନ କହିଥିଲେ, ୨୩ ବର୍ଷ ତଳେ ବିଜୁ ବାବୁଙ୍କ ବିରୋଧରେ ଭୁବନେଶ୍ୱର ବିଧାନସଭା ଆସନରୁ ନିର୍ବାଚନ ଲଢୁଥିଲି । ବିଜୁ ବାବୁ ଜିତିଲା ପରେ ବ୍ୟକ୍ତିଗତ ଭାବେ ଡାକି ତାଙ୍କ ସହ ଯୋଗ ଦେବାକୁ କହିଥିଲେ । ୨୩ ବର୍ଷ ପରେ ତାଙ୍କ ନାମରେ ପ୍ରତିଷ୍ଠିତ ଦଳରେ ଯୋଗ ଦେଉଛି । ମୁଁ ବିଚାର କରୁଛି, ଭାରତରେ ତଥା ଓଡିଶାର ରାଜନୈତିକ ଅବସ୍ଥା ଯାହା, ସେଥିରେ ସବୁ ରାଜନୈତିକ ଶକ୍ତିମାନେ ବିଚାର ଅନୁସାରେ ସଂଗଠିତ ହେବା ଦରକାର । ବହୁ ଆଗରୁ କହିଛି, ବ୍ୟକ୍ତି ଆଉ ଦଳ ଯେତିକି ଗୁଗୁରତ୍ୱପୁର୍ଣ୍ଣ ନୁହେଁ, ପ୍ରସଙ୍ଗ ଏବଂ ବିଚାର ତାଠାରୁ ଅଧିକ ।
ସୈାମ୍ୟରଂଜନ ପଟ୍ଟନାୟକଙ୍କର ରହିଛି ଦୀର୍ଘ ରାଜନୈତିକ ଅଭିଜ୍ଞତା । ୧୯୯୫ରେ ସେ ରାଜନୀତିରେ ପାଦ ଥାପିବା ସହ ୧୯୯୬ରେ ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ । କଂଗ୍ରେସ ଟିକେଟରେ ସେ ଏକାଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସାମ୍ବାଦିକତା କ୍ଷେତ୍ରରେ ଯଥେଷ୍ଟ ସଫଳତା ହାସଲ କରି ନିଜ ପାଇଁ ଏକ ସ୍ଥାନ ହାସଲ କରି ପାରିଥିବା ସୈାମ୍ୟରଂଜନ ରାଜନୀତି କ୍ଷେତ୍ରରେ ମଧ୍ୟ ନିଜ ପ୍ରତିଷ୍ଠା ହାସଲ କରିବାରେ ସକ୍ଷମ ହୋଇଥିଲେ । ବିଚାରଧାରା ସହ କେବେ ସାଲିସ କରିନଥିବା ଏହି ରାଜନେତା ସବୁବେଳେ ନିଜର ସ୍ପଷ୍ଟ ମତ ପାଇଁ ଚର୍ଚ୍ଚିତ ରହୁଥିଲେ । ଯେତେବେଳେ ରାଜ୍ୟରେ କଂଗ୍ରେସର ସ୍ଥିତି ଦୁର୍ବଳ ଥିଲା, ସେହି ସମୟରେ ଦଳକୁ ସଂଗଠିତ କରିବାକୁ ମୁହିମ ଆରମ୍ଭ କରିଥିଲେ ସୈାମ୍ୟରଂଜନ । ହେଲେ ଦିଲ୍ଲୀ ଦରବାରରେ ଏକ ଭିନ୍ନ ଚିତ୍ର ଉପସ୍ଥାପନ କରିବାରେ ରାଜନୈତିକ ବିରୋଧୀ ସକ୍ଷମ ହୋଇଥିଲେ, ଆଉ ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କୁ କଂଗ୍ରେସ ଦଳରୁ ବହିଷ୍କାର କରାଯାଇଥିଲା । ମା’, ମାଟି ଓ ମାତୃଭାଷା ପାଇଁ ୨୦୧୪ ନିର୍ବାଚନ ବେଳେ ସେ ଗଠନ କରିଥିଲେ ଆମ ଓଡିଶା ପାର୍ଟି ।


ରାଜ୍ୟରେ ବିଭିନ୍ନ ସଂଗଠନ ଓ ସମସ୍ୟା ସହ ନିଜକୁ ଜଡିତ କରାଇ ସୈାମ୍ୟରଂଜନ ଖୋଜୁଥିଲେ ସମାଧାନର ରାସ୍ତା । ଖାସ୍ କରି ଚଷା, ଭାଷା, ନିଶା ଆଉ ଚିଟଫଣ୍ଡ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ କେବେ ପଛଘୁଂଚା ଦେଇନଥିଲେ । ସାରା ରାଜ୍ୟର ୩୧୪ ବ୍ଲକରେ ସାମାଜିକ କାର୍ଯ୍ୟ ଦ୍ୱାରା ନିଜ ପାଇଁ ପ୍ରତିଷ୍ଠା ହାସଲ କରିପାରିଥିଲେ ସୈାମ୍ୟରଂଜନ ।
ସେହିଭଳି ବିଜେଡିରେ ଯୋଗ ଦେଇଥିବା କିଟ୍ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ମଧ୍ୟ ଦିଲ୍ଲୀ ପଠାଇଛନ୍ତି ନବୀନ ପଟ୍ଟନାୟକ । ବିଜେଡିରେ ଯୋଗ ଦେବାପରେ ନିଜ ପ୍ରତିକ୍ରିୟାରେ ଅଚ୍ୟୁତ ସାମନ୍ତ କହିଥିଲେ, ଦଳରେ ଯୋଗଦେଇ ସେ ଖୁସି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀରେ ସେ ଅଭିଭୂତ । ୨୦ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂତି, ସାଧୂୁତା, ନିଷ୍ଠା ଓ ସରଳତା ପାଇଁ ସେ ବିଜେଡି ପ୍ରତି ଆକୃଷ୍ଟ ହୋଇଛନ୍ତି । ସାମାଜିକ ପ୍ରତିବଦ୍ଧତା ସହିତ ଜନହିତକର କାର୍ଯ୍ୟ ଓ ସମାଜସେବାକୁ ଆଗେଇ ନେବାରେ ଏହି ଯୋଗଦାନ ସହାୟକ ବୋଲି କହିଛନ୍ତି ଅଚ୍ୟୁତ ।


ମାର୍ଚ୍ଚ ୨୩ରେ ହେବ ରାଜ୍ୟସଭା ନିର୍ବାଚନ । ଏହି ନିର୍ବାଚନ ପାଇଁ ମାର୍ଚ୍ଚ ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୧୨ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ, ୧୩ ତାରିଖରେ ପ୍ରାର୍ଥୀପତ୍ର ଯାଂଚ ଏବଂ ୧୫ତାରିଖ ପ୍ରାର୍ଥୀ ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି । ଏପ୍ରିଲ ୩ ତାରିଖରେ ତିନି ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବ । ବିଜେଡି ଦଳରୁ ରାଜ୍ୟସଭାକୁ ଯାଇଥିବା ଦିଲ୍ଲୀପ ତିର୍କି, ଅନଙ୍ଗ ଉଦୟ ସିଂଦେଓ ଏବଂ ସ୍ୱାଧୀନ ସଦସ୍ୟ ଏ.ଭି ସ୍ୱାମୀଙ୍କ କାର୍ଯ୍ୟକାଳ ଶେଷ ହେବ ।