ରାଜ୍ୟସଭାରେ ଆସିବ ଟ୍ରିପଲ ତଲାକ ବିଲ୍ । ସଂଶୋଧନ ପାଇଁ ଜିଦ୍ ଧରିପାରନ୍ତି ବିରୋଧୀ

55

କନକ ବ୍ୟୁରୋ: ଆଜି ରାଜ୍ୟସଭାରେ ଆସିପାରେ ଟ୍ରିପଲ ତଲାକ ବିଲ । ଲୋକସଭାରେ ସଂଖ୍ୟା ବଳରେ ବିନା ସଂଶୋଧନରେ ପାରିତ ହୋଇଥିବା ଏହି ବିଲକୁ ଏବେ ରାଜ୍ୟସଭାରେ ଆଗତ କରାଯିବ । ତେବେ ଚଳିତ ଶୀତକାଳୀନ ଅଧିବେଶନରେ ଏହି ବିଲ ପାସ ହେବା ସମ୍ଭାବନା କମ ରହିଛି । ବିରୋଧୀ ଏହି ବିଲକୁ ଷ୍ଟାଡିଂ କମିଟି ପାଖକୁ ପଠାଇବା ଦାବିରେ ସଂଖ୍ୟାବଳକୁ ପ୍ରୟୋଗ କରିପାରନ୍ତି । କାରଣ ଲୋକସଭାରେ କଂଗ୍ରେସର ଏହି ଦାବିକୁ ଅଗ୍ରାହ୍ୟ କରାଯାଇଥିଲା । ରାଜ୍ୟସଭାରେ ବିଜେପି ସରକାରଙ୍କ ପାଖରେ ବହୁମତ ନାହିଁ । ତେଣୁ ବିଲକୁ ପାରିତ କରିବା ପାଇଁ ହେଲେ ବିରୋଧୀଙ୍କ ସମର୍ଥନ ଦରକାର । ରାଜ୍ୟସଭାରେ ୫୭-୫୭ ବିଜେପି ଓ କଂଗ୍ରେସ ସାଂସଦ ଥିବା ବେଳେ ୭୫ଜଣ ଆଂଚଳିକ ଓ ବାମ ଦଳର ସାଂସଦ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ସୁପ୍ରିମ୍ କୋର୍ଟ ତିନି ତଲାକକୁ ବେଆଇନ୍ ବୋଲି ଘୋଷଣା କରିବା ପରେ ସରକାର ହଠାତ ତିନ ତଲାକ କହି ପତ୍ନୀଙ୍କୁ ଛାଡ଼ପତ୍ର ଦେଉଥିବା ମୁସଲମାନ ବ୍ୟକ୍ତିଙ୍କ ପାଇଁ ଆଇନ୍ ଅନୁଯାୟୀ, ଦଣ୍ଡ ବ୍ୟବସ୍ଥା କରିବା ପାଇଁ ସଂସଦରେ ବିଲ୍ ଆଣିଛନ୍ତି । ତିନି ତଲାକ ଦେଉଥିବା ବ୍ୟକ୍ତିଙ୍କୁ ୩ ବର୍ଷ କାରାଦଣ୍ଡ ବ୍ୟବସ୍ଥା ନେଇ ଏକ ବିଲ ଗତ ଗୁରୁବାର ଦିନ ସଂସଦର ଲୋକସଭାରେ ପାସ୍ ହୋଇ ଯାଇଛି । ତେବେ ଏହି ବିଲ୍ ପାସ ନେଇ ରାଜ୍ୟ ସଭାରେ ସମସ୍ୟା ରହିଛି ।

କାରଣ ସରକାର ରାଜ୍ୟ ସଭାରେ ବହୁମତରେ ନାହାଁନ୍ତି । ଏଥିପାଇଁ ଏନଡିଏ ସରକାରଙ୍କୁ କଂଗେସ ଉପରେ ନିର୍ଭର କରିବାକୁ ପଡ଼ିବ । ଏ ସମ୍ପର୍କରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି ଯେ କଂଗ୍ରସ ସହିତ ଅନ୍ୟ ରାଜନୈତିକ ଦଳଗୁଡ଼ିକ ସହିତ ଏ ନେଇ ଆଲୋଚନା କରାଯାଉଛି, ଯେପରି ବିଲଟି ସହଜରେ ରାଜ୍ୟ ସଭାରେ ପାସ୍ ହୋଇ ପାରିବ । ତେବେ ଆଜି ଏହି ବିଲ୍ ରାଜ୍ୟ ସଭାରେ ଆଗତ ପାଇଁ ଧାର୍ଯ୍ୟ କରାଯାଇଥିଲା । ମାତ୍ର ସରକାରୀ ଦଳକୁ ସହମତି ଯୋଗାଡ଼ କରିବା ପାଇଁ ସୁଯୋଗ ଦେବା ପାଇଁ ଏହା ଆଜି ସଂସଦରେ ଆଗତ କରାଯିବର ପାଇଁ ନିଷ୍ପତ୍ତି ହୋଇଛି । ତିନି ତଲାକ ବିଲ୍ ନେଇ କଂଗ୍ରେସ, ବାମଦଳ, ଏଆଏଡିଏମକେ, ଡିଏମକେ ଦଳଗୁଡ଼ିକ ବିଲକୁ ସଂସଦୀୟ ପାନେଲକୁ ପଠାଇବା ପାଇଁ କହୁଛନ୍ତି ।