କିଏ ଯିବ ରାଜ୍ୟସଭା? ସନ୍ଧ୍ୟାରେ ନବୀନ କରିବେ ଘୋଷଣା । କେଉଁ କାର୍ଡ ଖେଳିବେ ବିଜେଡି ସୁପ୍ରିମୋ?

24

କିଏ ଯିବ ରାଜ୍ୟସଭା । ରାଜ୍ୟରେ ଖାଲି ପଡୁଥିବା ତିନୋଟି ଆସନରେ ନବୀନ କାହାକୁ ପ୍ରାର୍ଥୀ କରିବେ, ତାକୁ ନେଇ ତମାମ ପର୍ଯର୍୍ୟାଲୋଚନା ଭିତରେ ଆଜି ଆଭିମୁଖ୍ୟ ରଖିଛନ୍ତି ବିଜେଡି ସୁପ୍ରିମୋ । କହିଛନ୍ତି, ଅପରାହ୍ନ ୫ଟାରେ ସେ ଘୋଷଣା କରିବେ କେଉଁ ତିନି ଜଣ ରାଜ୍ୟସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ହେବେ । ଆଜି ସୈାମ୍ୟରଂଜନ ପଟ୍ଟନାୟକ ବିଜେଡିରେ ଯୋଗଦେବା ଅବସରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି ନବୀନ ଏହା କହିଛନ୍ତି । ନବୀନଙ୍କ ଏହି ପ୍ରତିକ୍ରିୟା, ରାଜ୍ୟସଭା ରେସର କଳ୍ପନା ଜଳ୍ପନାରୁ ସାମୟିକ ଭାବେ ପରଦା ହଟାଇଛି ।


ଅନଙ୍ଗ ଉଦୟ ସିଂଦେଓ, ଦିଲ୍ଲୀପ ତିର୍କୀ ଓ ଏ.ଭି ସ୍ୱାମୀଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲରେ ସରୁଛି । ନିର୍ବାଚନ ନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇସାରିଛି । ୧୨ ତାରିଖ ରହିଛି ନାମାଙ୍କନ ଦାଖଲର ଶେଷ ଦିନ । ଆଉ ଆଜି ସ୍ଥିତି ସ୍ପଷ୍ଟ ହେବ, କିଏ ଯିବ ସଂସଦର ଉଚ୍ଚ ସଦନକୁ । ବିଜେଡି ଭିତରେ ଆଶାୟୀଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି । ନବୀନ ପୂର୍ବରୁ କହିସାରିଛନ୍ତି, ୩ ଜଣ ରାଜନୈତିକ ବ୍ୟକ୍ତି ବିଶେଷ ହିଁ ରାଜ୍ୟସଭା ଯିବେ । ଯାହା ମଧ୍ୟ ସେହି ସମୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ୨୦୧୯ ନିର୍ବାଚନକୁ ଆଖି ଆଗରେ ରଖି ନବୀନ ରାଜ୍ୟସଭା ଗୋଟିଚାଳନା କରିବା ନେଇ ଚର୍ଚ୍ଚା ହେଉଛି । ଯେଉଁ ମାନଙ୍କର କାର୍ଯ୍ୟକାଳ ସରୁଛି ସେମାନଙ୍କ ମଧ୍ୟରୁ ନବୀନ କାହାକୁ ପୁଣି ପଠାଇବେ ନା ପୁରା ନୁଆ ଚେହେରା ସାମ୍ନାକୁ ଆଣିବେ ତାକୁ ନେଇ ବିଜେଡି ଅନ୍ଦର ମହଲରେ ଚାଲିଛି ଅଙ୍କକଷା ।


ମାର୍ଚ୍ଚ ୨୩ରେ ହେବ ରାଜ୍ୟସଭା ନିର୍ବାଚନ । ଏହି ନିର୍ବାଚନ ପାଇଁ ମାର୍ଚ୍ଚ ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୧୨ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ, ୧୩ ତାରିଖରେ ପ୍ରାର୍ଥୀପତ୍ର ଯାଂଚ ଏବଂ ୧୫ତାରିଖ ପ୍ରାର୍ଥୀ ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି । ଏପ୍ରିଲ ୩ ତାରିଖରେ ତିନି ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବ । ବିଜେଡି ଦଳରୁ ରାଜ୍ୟସଭାକୁ ଯାଇଥିବା ଦିଲ୍ଲୀପ ତିର୍କି, ଅନଙ୍ଗ ଉଦୟ ସିଂଦେଓ ଏବଂ ସ୍ୱାଧୀନ ସଦସ୍ୟ ଏ.ଭି ସ୍ୱାମୀଙ୍କ କାର୍ଯ୍ୟକାଳ ଶେଷ ହେବ । ଏହାରି ଭିତରେ ନଜର ନବୀନ ଅପରାହ୍ନ ୫ଟାରେ କାହା ନାମ ଘୋଷଣା କରୁଛନ୍ତି ଓ କେଉଁ କାର୍ଡ ଖେଳୁଛନ୍ତି ।