ଅଖିଳେଶ, ମାୟାବତୀଙ୍କ ମହାମେଂଟର ରଣନୀତି ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ! ବିଏସପି ନେତାଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ମାୟାବତୀ

29

କନକ ବ୍ୟୁରୋ: ୟୁପି ରାଜନୀତିରେ ସରଗରମ ଜାରି । ଆଜି ବିଏସପିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି । ଏଥିରେ ବିଏସପି ସୁପ୍ରିମୋ ମାୟାବତୀ ନିଜ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ । ସମାଜବାଦୀ ପାର୍ଟି ସହ ହୋଇଥିବା ମେଣ୍ଟ ସମ୍ପର୍କରେ ଏଥିରେ ଆଲୋଚନା ହୋଇପାରେ । ଏହାସହ ସମାଜବାଦୀ ପାର୍ଟି ସହ ଭବିଷ୍ୟତରେ ଆସନ ବୁଝାମଣା ବିଷୟରେ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି । ରାଜ୍ୟସଭା ନିର୍ବାଚନରେ ବିଏସପି ପ୍ରାର୍ଥୀ ହାରିଯାଇଥିଲେ ମଧ୍ୟ ଅଖିଳେଶ ଯାଦବଙ୍କ ଏସପି ପକ୍ଷରୁ ଭରପୁର ସମର୍ଥନ ମିଳିଥିଲା । ବିଏସପି ଓ ଏସପି ମେଣ୍ଟକୁ ଆହୁରି ଦୃଢ଼ କରାଯିବ ବୋଲି ଉଭୟ ମାୟାବତୀ ଓ ଅଖିଳେଶ କହିଥିଲେ ।

ଉତ୍ତର ପ୍ରଦେଶ ଲୋକସଭା ଉପନିର୍ବାଚନ ବେଳେ ମାଷ୍ଟରଷ୍ଟ୍ରୋକ ଖେଳି ମାୟାବତୀ ରାଜନୀତିର ନୂଆ ସମୀକରଣ ଗଢ଼ିଥିଲେ । ବିଜେପି ପ୍ରାର୍ଥୀଂକୁ ପରାସ୍ତ କରିବାକୁ ସମାଜବାଦୀ ପାର୍ଟିକୁ ସମର୍ଥନ କରିବାକୁ ଘୋଷଣା କରିଥିଲେ ମାୟାବତୀ । ଏହାସହ ବିଏସପି ଉପନିର୍ବାଚନରେ ନିଜର କୌଣସି ପ୍ରାର୍ଥୀ ମଧ୍ୟ ଦେଇ ନଥିଲା । ଫଳରେ ଉପନିର୍ବାଚନରେ ଏସପି ଓ ବିଏସପି ମେଂଟ ବିଜେପି ହାତରୁ ୨ଟି ଲୋକସଭା ସିଟ୍ ଛଡ଼ାଇ ନେଇଥିଲା