ରାଜ୍ୟସଭାରେ ପାସ୍ ହେଲା ଜିଏସଟି ବିଲ୍ : ଜିଏସଟି ସପକ୍ଷରେ ମିଳିଲା ୨୦୩ ଭୋଟ୍

28

କନକ ବ୍ୟୁରୋ : ରାଜ୍ୟସଭାରେ ପାସ୍ ହେଲା ଜିଏସଟି ବିଲ୍ । ଜିଏସଟି ସପକ୍ଷରେ ମିଳିଛି ୨୦୩ଟି ଭୋଟ୍ ।ଏହା ପୂର୍ବରୁ ଲୋକସଭାରେ ଏହି ବିଲ୍ ପାରିତ ହୋଇସାରିଛି । ଜିଏସଟି ବିଲ୍ ନେଇ ରାଜ୍ୟସଭାରେ ଆଲୋଚନା ହୋଇଥିଲା । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିବା ପରେ ଆରମ୍ଭ ହୋଇଥିଲା ଆଲୋଚନା । ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ଜିଏସଟି ବାବଦରେ ମତ ରଖି କହିଥିଲେ କଂଗ୍ରେସ ବିଲକୁ ସମର୍ଥନ କରିବାକୁ ପ୍ରସ୍ତୁତ ଅଛି, ହେଲେ ଟିକସକୁ ୧୮ ପ୍ରତିଶତ ମଧ୍ୟରେ ସୀମିତ ରଖାଯିବା ଦରକାର । ସେହିଭଳି ଗୁଲାମ ନବୀ ଆଜାଦ ବିତର୍କରେ ଭାଗ ନେଇ କଂଗ୍ରେସ ଆଭିମୁଖ୍ୟ ରଖିଥିଲେ । ଦଳ ପକ୍ଷରୁ ଦିଆଯାଇଥିବା ସଂଶୋଧନ ପ୍ରସ୍ତାବକୁ ବିଲରେ ଗ୍ରହଣ କରାଯାଇଥିବାରୁ କଂଗ୍ରେସ ବିଲ ସମର୍ଥନରେ ଆସିଥିଲା । ଯାହା ଏନଡିଏ ସରକାର ପାଇଁ ବଡ ଆଶ୍ୱସ୍ତିର କାରଣ ହୋଇଛି । ଅର୍ଥନୀତିରେ ସବୁଠାରୁ ବଡ ସୁଧାର ହିସାବରେ ବିଲକୁ ଗୃହରେ ଉପସ୍ଥାପନ କରି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ, ଏହା ଫଳରେ ପୁରା ଭାରତ ଗୋଟିଏ ମାର୍କେଟରେ ପରିଣତ ହୋଇଯିବ। ସବୁ ରାଜନୈତିକ ଦଳ ମଧ୍ୟରେ ସହମତି ଆସିଥିବାରୁ ଦେଶର ଅର୍ଥନୈତିକ ସ୍ତରରେ ମଧ୍ୟ ବ୍ୟାପକ ପରିବର୍ତନ ଆସିବାର ଆଶା ରଖିଥିଲେ ବିତମନ୍ତ୍ରୀ । ପୂର୍ବରୁ ବିଲ ଲୋକସଭାରେ ପାରିତ ହୋଇ ସାରିଥିବା ବେଳେ ବିଲକୁ ସିଲେକ୍ଟ କମିଟିକୁ ପଠାଯାଇଥିଲା। ଆଜି ରାଜ୍ୟସଭାରେ ବିଲ ପାରିତ ହେଲା ପରେ ସଂଶୋଧନ ପ୍ରସ୍ତାବ ସହ ବିଲ ପୁଣି ଲୋକସଭାରେ ପାରିତ ହେବାର ଆବଶ୍ୟକତା ରହିଛି । ପରେ ୧୫ଟି ରାଜ୍ୟ ସରକାର ବିଲକୁ ବିଧାନସଭାରେ ପାରିତ କରିବାର ଆବଶ୍ୟକତା ରହିଛି । ତେବେ ଅରୁଣ ଜଟେଲୀ କହିଛନ୍ତି, ୧ ଜାନୁୟାରୀ ୨୦୧୭ ସୁଦ୍ଧା ଜିଏସଟି କାର୍ଯ୍ୟକାରୀ କରିବାକୁ ଆଶା ରଖାଯାଇଛି।