ରାଜ୍ୟସଭାରେ କେନ୍ଦ୍ରସରକାରଙ୍କ ପଳାତକ ବିଲକୁ ସମର୍ଥନ କଲା ବିଜେଡି : କୈାଣସି ମୈାଳିକ ଅଧିକାର ଯେପରି କ୍ଷୁର୍ଣ୍ଣ ନହୁଏ ତାହା ଉପରେ ଧ୍ୟାନ ଦେବାପାଇଁ କହିଲେ ନେତା

34

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ବିରୋଧରେ ସସଂଦରେ ଅନାସ୍ଥା ପ୍ରସ୍ତାବ ଆଗତ ହେବାପରେ ବିରୋଧୀମାନେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରୁଥିବାର ଦେଖାଯାଇଛି । ରାଫେଲ ଦୁର୍ନିତିଠାରୁ ଆରମ୍ଭ କରି ମହିଳାଙ୍କ ଉପରେ ହେଉଥିବା ଆକ୍ରମଣ ଆଦି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଥିଲେ ବିରୋଧୀ । ଏପରି କି ଅନାସ୍ଥା ପ୍ରସ୍ତାବ ଆଗତ ହେବା ସମୟରେ ବିଜେଡି କକ୍ଷ ତ୍ୟାଗ କରିବା ସହ ଓଡିଶାକୁ ଉଭୟ ଉପା ଓ ଏନଡିଏ ସରକାର ଅବହେଳା କରୁଥିବା କହିଥିଲେ । କିନ୍ତୁ କେନ୍ଦ୍ର ସରକାର ରାଜ୍ୟସଭାରେ ପଳାତକ ଆର୍ଥିକ ଅପରାଧ ବିଲ୍-୨୦୧୮କୁ ବିଜେଡି ସମର୍ଥନ କରିଛି। ରାଜ୍ୟସଭାରେ ବିଜେଡି ନେତା ପ୍ରସନ୍ନ ଆଚାର୍ୟ୍ୟ ଆଜି ଏହି ବିଲ୍କୁ ରାଜ୍ୟସଭାରେ ସମର୍ଥନ କରିବା ସହ ବିଲ୍ର ବୈଧତାକୁ ନେଇ ତାଙ୍କର ସନ୍ଦେହ ଥିବା ନେଇ ମଧ୍ୟ ବକ୍ତବ୍ୟ ରଖିଥିଲେ। ପଳାତକ ଅପରାଧ ବିଲ୍ରେ ଥିବା ସର୍ତ୍ତ ଜଣଙ୍କୁ ବିନା ଦୋଷରେ ବି ଅପରାଧୀ କରିଦେବ। ତେଣୁ ଏ ପ୍ରକାର ବିଲ୍ ବ୍ୟକ୍ତିର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରିବ। ପ୍ରତ୍ୟେକ ବ୍ୟକ୍ତିଙ୍କର ନ୍ୟାୟ ପାଇବାର ଅଧିକାର ରହିଛି ଏବଂ ତାଙ୍କୁ ନ୍ୟାୟପାଇଁ କୋର୍ଟରେ ଦ୍ୱାରସ୍ଥ ହେବାକୁ କେହି ରୋକି ପାରିବେନି ବୋଲି ସେ କହିଥିଲେ।
ରାଜ୍ୟସଭାରେ ୩ ଓଡ଼ିଆ ସାଂସଦଙ୍କ ପ୍ରଶ୍ନ

ଏହାସହ ରାଜ୍ୟସଭାର ଶୂନ୍ୟକାଳ ଓ ପ୍ରଶ୍ନକାଳରେ ଓଡ଼ିଶାର ୩ ଜଣ ସାଂସଦଙ୍କ ଦ୍ୱାରା ଓଡ଼ିଶା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଶ୍ନ କରାଯାଇଥିଲା। ଶୂନ୍ୟକାଳରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ୟ୍ୟ ଚାଷୀମାନଙ୍କୁ ଫସଲ ବୀମା ଅର୍ଥ ଦିଆଯିବାରେ ହେଉଥିବା ଅହେତୁକ ବିଳମ୍ବକୁ ନେଇ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ। କଂଗ୍ରେସ ସାଂସଦ ରଂଜୀବ ବିଶ୍ୱାଳ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶାରେ ପ୍ରତିଷ୍ଠା ହେବାକୁ ଥିବା ବାୟୋ ଫୁଏଲ୍ ପ୍ଲାଣ୍ଟ୍ ସମ୍ପର୍କରେ ପ୍ରଶ୍ନ କରିଥିଲେ। ସେହିପରି ପ୍ରଶ୍ନ କାଳରେ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଦ୍ୱାରା ଓଡ଼ିଶାରୁ ବିମାନଯାତ୍ରା କରିବା ସମୟରେ ଏୟାରହଷ୍ଟେସ୍ମାନଙ୍କ ଦ୍ୱାରା ଓଡ଼ିଆ ଭାଷାରେ ବିମାନ ଚଳାଚଳ ତଥା ସୁରକ୍ଷା ରୀତି ସମ୍ପର୍କରେ ସୂଚନା ଦେବା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏଭଳି ବ୍ୟବସ୍ଥା କରାଗଲେ ଓଡ଼ିଆ ଯାତ୍ରୀମାନଙ୍କୁ ଫାଇଦା ମିଳିପାରିବ ବୋଲି ସେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ କହିଥିଲେ। ରାଜ୍ୟସଭାରେ ଓଡିଶାରେ କିପରି ଭାବରେ ଉନ୍ନତି ହେବ ସେନେଇ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ଅର୍ଥ ଯେଉଁ କାଟ କରିଛି ତାହାକୁ ପୁଣି ଥରେ ଦେବା ସହ ସଂଘୀୟ ବ୍ୟବସ୍ଥାରେ ଯାହା ଅଛି ତାହକୁ ଦେଖି କାମ କରିବାର ଆବଶ୍ୟକତା ରହିଛି ବୋଲି ବିଜେଡି ନେତାମାନେ ଗୃହରେ ଦାବୀ ଉପସ୍ଥାପନ କରିଛନ୍ତି ।