ଶେଷ ହେଲା ଶୀତ ଅଧିବେଶନ ! ଜାନୁୟାରୀ ୨୯ରୁ ବଜେଟ୍ ଅଧିବେଶନ୍

1

କନକ ବ୍ୟୁରୋ :  ଡିସେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଥିବା ସଂସଦର ଶୀତ ଅଧିବେଶନ ଶେଷ ହୋଇଛି । ଏହି ଅଧିବେଶନରେ ଲୋକସଭାର କାର୍ଯ୍ୟ ଗତ ମୌସୁମି ଅଧିବେଶନ ଅପେକ୍ଷା ଅଧିକ ଫଳପ୍ରଦ ହୋଇଥିବାରୁ ସରକାର ଅଶ୍ୱସ୍ତ ହୋଇଛନ୍ତି । ସଂସଦରେ ଶୀତକାଳୀନ ଅଧିବେଶନ ଶେଷ ହେବା ପରେ ସରକାର ବଜେଟ ଅଧିବେଶନ ତାରିଖ ଘୋଷଣା କରିଛନ୍ତି । ଜାନୁୟାରୀ ୨୯ରୁ ବଜେଟ ଅଧିବେଶନ ଆରମ୍ଭ ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ସୂଚନା ଦେଇଛନ୍ତି । ଅନନ୍ତ କୁମାର କହିଛନ୍ତି, ଜାନୁୟାରୀ ୨୯ ତାରିଖରେ ସଂସଦକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି । ଏହାପରେ ୩୦, ୩୧ ତାରିଖ ଛୁଟି ରହିବ ଓ ଫେବୃୟାରୀ ୧ ତାରିଖରେ ସଂସଦରେ ସାଧାରଣ ବଜେଟ ଉପସ୍ଥାପିତ ହେବ ।

ତେବେ ରାଜ୍ୟସଭାରେ ସରକାରଙ୍କୁ ନୈରାଶ୍ୟ ମିଳିଛି । ଲୋକସଭାରେ ତିନି ତଲାକ୍ ବିଲ୍ ସମେତ ମୋଟ ୧୨ଟି ବିଲ୍ ଗୃହୀତ ହୋଇଥିବା ବେଳେ ରାଜ୍ୟସଭାରେ ୯ଟି ବିଲ୍ ଗୃହୀତ ହୋଇଛି । ବାଚସ୍ପତି ସୁମିତ୍ରା ମହାଜନ ଆଜି ଅଧିବେଶନ ମୁଲତବୀ ଘୋଷଣା କରି କହିଥିଲେ ଯେ ୧୩ଟି କାର୍ୟ୍ୟ ଦିବସରେ ୬୧ ଘଣ୍ଟା ୪୮ ମିନିଟ୍ ଗୃହ କାର୍ୟ୍ୟ ହୋଇଛି ଏବଂ ପ୍ରାୟ ୧୫ ଘଣ୍ଟା ବିଶୃଙ୍ଖଳା ଯୋଗୁଁ ବରବାଦ ହୋଇଛି । ରାଜ୍ୟ ସଭାରେ ୩୪ ଘଣ୍ଟା ହଙ୍ଗାମା ଯୋଗୁଁ ବରବାଦ ହୋଇଥିବା ଅଧ୍ୟକ୍ଷ ଭେଙ୍କୟା ନାୟିଡ଼ୁ ସୂଚନା ଦେଇଛନ୍ତି।

ଚଳିତ ଅଧିବେଶନରେ ଲୋକସଭାରେ ଗୃହୀତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବିଲ୍ଗୁଡ଼ିକ ମଧ୍ୟରେ କେନ୍ଦ୍ର ସଡ଼କ ପାଣ୍ଠି ସଂଶୋଧନ ବିଲ୍, ସ୍ଥାବର ସମ୍ପତ୍ତି ସଂକ୍ରାନ୍ତ ବିଲ୍, ଜାତୀୟ ରାଜଧାନୀ ଦିଲ୍ଲୀ ଆଇନ ବିଲ୍ ଏବଂ ସାମଗ୍ରୀ ଓ ସେବା ଟିକସ (ଜିଏସଟି) ସଂଶୋଧନ ବିଲ୍ ଆଦି ଅନ୍ତର୍ଭୁକ୍ତ । ହାଇକୋର୍ଟ ଏବଂ ସୁପ୍ରିମ୍ କୋର୍ଟର ବିଚାରପତିଙ୍କ ଦରମା ବୃଦ୍ଧି ସଂକ୍ରାନ୍ତ ବିଲ୍ ମଧ୍ୟ ଚଳିତ ଅଧିବେଶନରେ ଗୃହୀତ ହୋଇଛି । ଏଥର ଅଧିବେଶନରେ ସରକାର ୧୬ଟି ନୂଆ ବିଲ୍ ଆଗତ କରିଛନ୍ତି । ଲୋକସଭାରେ ୯୧ ପ୍ରତିଶତ କାମ ହୋଇଥିବା ବେଳେ ଗତ ମୌସୁମି ଅଧିବେଶରେ ୬୭ ପ୍ରତିଶତ କାମ ହୋଇଥିଲା। ତେବେ ରାଜ୍ୟସଭାରେ ଏଥର ବିଶେଷ କାମ ହୋଇନାହିଁ ।

ଗତ ମୌସୁମି ଅଧିବେଶନରେ ରାଜ୍ୟସଭାରେ ୭୨ ପ୍ରତିଶତ କାମ ହୋଇଥିବା ବେଳେ ଏଥର ମାତ୍ର ୫୪ ପ୍ରତିଶତ କାମ ହୋଇଛି । ମୌସୁମି ଅଧିବେଶନରେ ଉଭୟ ଗୃହରେ ୨୫ଟି ବିଲ୍ ଆଗତ ହୋଇଥିବା ବେଳେ ସେଥିରୁ ୯ଟି ହିଁ ଗୃହୀତ ହୋଇଥିଲା । ଶୀତ ଅଧିବେଶନରେ ମୁଖ୍ୟତଃ ତିନି ତଲାକ ବିଲକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଜାତୀୟ ମେଡିକାଲ କମିସନ ବିଲ୍ ମଧ୍ୟ ଆଗତ ହେବା ଗୁରୁତ୍ୱପୂର୍ଣ୍ଣ ଥିଲା । ଗୁଜରାଟ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପାକ୍ ଅଧିକାରୀଙ୍କ ସହ କରିଥିବା ବୈଠକକୁ ନେଇ ଦେଇଥିବା ବୟାନକୁ ନେଇ ଉଭୟ ଗୃହରେ ଜୋର୍ଦାର ହଙ୍ଗାମା ହୋଇଥିଲା । ତେବେ ଏ ବାବଦରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ଅରୁଣ ଜେଟ ଲିଙ୍କ ସଫେଇ ପରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା । ଏହା ବ୍ୟତୀତ ମହାରାଷ୍ଟ୍ର ହିଂସା, କୁଳଭୂଷଣ ଯାଦବ ମାମଲା, ଆସାମ ଏନ୍ଆର୍ସି ପ୍ରସଙ୍ଗ ମଧ୍ୟ ଚର୍ଚ୍ଚାରେ ରହିଥିଲା ।

ଶୀତ ଅଧିବେଶନରେ ଓଡ଼ିଶା ପକ୍ଷରୁ ଉପସ୍ଥାପନ ହୋଇଥିବା ବିଭିନ୍ନ ପ୍ରସଙ୍ଗ ମଧ୍ୟରୁ କେବଳ ମହାନଦୀ ପ୍ରସଙ୍ଗରେ ହିଁ କେନ୍ଦ୍ର ସରକାର ଜବାବ ରଖିଥିଲେ । ମହାନଦୀ ଜଳବିବାଦ ପ୍ରସଙ୍ଗକୁ ନେଇ ବିଜେଡି ସଂସଦର ଭିତରେ ଓ ବାହାର ସ୍ୱର ଟାଣ କରିଥିଲା । ଗୃହରେ ମଧ୍ୟ ଏହି ପ୍ରସଙ୍ଗ ଜୋର୍ଦାର ଢଙ୍ଗରେ ଉଠିଥିଲା । ମହାନଦୀ ପ୍ରସଙ୍ଗରେ ବିଜେଡିର ମୁଲତବୀ ପ୍ରସ୍ତାବକୁ ଲୋକସଭା ଓ ରାଜ୍ୟସଭାରେ ଅଗ୍ରାହ୍ୟ କରାଯାଇଥିଲା । ରାଜ୍ୟସଭାରେ ମହାନଦୀ ପ୍ରସଙ୍ଗକୁ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଦ୍ୱାରା ଆଲୋଚନା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା । ତେବେ ଗୃହ ମୁଲତବୀ ଯୋଗୁଁ ଆଲୋଚନା ହୋଇପାରିନଥିଲା । ଲୋକସଭାରେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଜାଣିବାରେ ବିଜେଡି ସାଂସଦମାନେ ସଫଳ ହୋଇଥିଲେ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ରାଜ୍ୟସଭାରେ ବିଜେଡି ଶୂନ୍ୟକାଳରେ ଦାବି କରିଥିବା ବେଳେ ଏମଏସପି ନିର୍ଦ୍ଧାରଣ ସଂକ୍ରାନ୍ତ ସରକାରଙ୍କ ସ୍ପଷ୍ଟୀକରଣ ଓଡ଼ିଶା ସାଂସଦଙ୍କୁ ନିରାଶ କରିଥିଲା । ତିନି ତଲାକ୍ ବିଲରେ ସଂଶୋଧନ ସହ ଉପସ୍ଥାପନ କରିବାକୁ ଲୋକସଭାରେ ବିଜେଡି ଦାବି କରିଥିବା ବେଳେ ବିଲର ଆଲୋଚନା ସମୟରେ ଏହାକୁ ସମର୍ଥନ ଜଣାଇଥିଲା।  ରାଜ୍ୟସଭାରେ ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିଲା । ଜଂଗଲ ଆଇନ ସଂଶୋଧନ ୨୦୧୭ ବିଲ୍କୁ ଉଭୟ ଗୃହରେ ବିଜେଡି ବିରୋଧ କରିଥିଲା ।

Comments are closed.