ଆଜି ଗୁଜରାଟରେ ୩ଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ! କଂଗ୍ରେସ ପାଇଁ ଅଗ୍ନି ପରୀକ୍ଷା, ବିଜେପି ପାଇଁ ସମ୍ମାନର ପ୍ରଶ୍ନ

29

କନକ ବ୍ୟୁରୋ: କଂଗ୍ରେସର ଚାଣକ୍ୟ ଅହମ୍ମଦ ପଟେଲଙ୍କ ପାଇଁ ଅଗ୍ନିପରୀକ୍ଷା । ଆଜି ଗୁଜରାଟର ୩ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଏହି ନିର୍ବାଚନରେ ୩ଟି ଆସନ ପାଇଁ ୪ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତିି । ବିଜେପିରୁ ରାଷ୍ଟ୍ରିୟ ସଭାପତି ଅମିତ୍ ଶାହା, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ବଳବନ୍ତ ସିଂ ।

ସେହିପରି କଂଗ୍ରେସରୁ ସୋନିଆ ଗାନ୍ଧିଙ୍କ ରାଜନୈତିକ ପରାମର୍ଶ ଅହମ୍ମଦ ପଟେଲ ପ୍ରାର୍ଥୀ ହୋଇଛନ୍ତି । ତେବେ ଅମିତ ଶାହା ଓ ସ୍ମୃତି ଇରାନୀଙ୍କର ଜିତିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ହେଲେ ବିଜେପିର ତୃତୀୟ ପ୍ରାର୍ଥୀଙ୍କ ପାଇଁ ବିଜେପି ପାଖରେ ରହିଛି ମାତ୍ର ୩୧ଟି ଭୋଟ୍ । ଅହମ୍ମଦ ପଟେଲଙ୍କୁ ହରାଇବା ପାଇଁ ବିଜେପି ସମସ୍ତ ପ୍ରକାର ରଣନୀତି କରିଛି ।

ଏପରିକି ରାଜ୍ୟସଭା ନିର୍ବାଚନ ପୂର୍ବରୁ ଦଳର ବରିଷ୍ଠ ନେତା ଶଙ୍କର ସିଂ ବାଘେଲା ଦଳ ଛାଡିସାରିଛନ୍ତି । କଂଗ୍ରେସର ୬ ବିଧାୟକ ବି ଦଳରୁ ଇସ୍ତଫା ଦେଇସାରିଛନ୍ତି । ଏଭଳି ସ୍ଥଳେ ନିର୍ବାଚନ ଜିତିବା ଅହମ୍ମଦ ପଟେଲ ଓ କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ହୋଇଛି । ଗୁଜରାଟରେ କଂଗ୍ରେସ ବିଧାୟକଙ୍କ ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହେବା ପରେ ୪୪ ବିଧାୟକଙ୍କୁ ବାଙ୍ଗାଲୋରର ଥିବା କର୍ଣ୍ଣାଟକ ମନ୍ତ୍ରୀ ଶିବ କୁମାରଙ୍କୁ ରିସୋର୍ଟରେ ରଖାଯାଇଥିଲା ।

ଅହମ୍ମଦ ପଟେଲ କିଏ

ତେବେ ଅହମ୍ମଦ ପଟେଲ ହେଉଛନ୍ତି ଦେଶର ସବୁଠାରୁ ପୁରୁଣା ରାଜନୈତିକଦଳ କଂଗ୍ରେସର ବଡ ମ୍ୟାନେଜର । ଇନ୍ଦିରା ଗାନ୍ଧି ଓ ରାଜୀବ ଗାନ୍ଧିଙ୍କ ମନ୍ତ୍ରୀପଦ ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ ଅହମ୍ମଦ ପଟେଲ । ଅହମ୍ମଦ ପଟେଲଙ୍କୁ ସୋନିଆଙ୍କ ଆଖି ଓ କାନ କୁହାଯାଏ ।

ଅହମ୍ମଦ ପଟେଲ ଏବେ ଚର୍ଚ୍ଚାରେ ଏଥିପାଇଁ ଯେ ତାଙ୍କର ରାଜ୍ୟସଭା ଆସନ ଏବେ ବିପଦରେ । ରାଜ୍ୟର ୩ ରାଜ୍ୟସଭା ଆସନ ଲାଗି ନିର୍ବାଚନ ହେଉଛି । ମୈଦାନରେ ଅଛନ୍ତି ବିଜେପି ଜାତୀୟ ସଭାପତି ଅମିତ ଶାହ । ସେପଟେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଚାହିଁଛନ୍ତି ଅହମ୍ମଦ ପଟେଲ ପୁଣି ରାଜ୍ୟସଭାକୁ ଆସନ୍ତୁ ।

ଗୁଜରାଟ ବିଧାନସଭାର ଗଣିତ

ଶଙ୍କର ସିଂ ବାଘେଲାଙ୍କ ଇସ୍ତଫା ପରେ ୬ କଂଗ୍ରେସ ବିଧାୟକ ଦଳ ଛାଡି ସାରିଛନ୍ତି । ଏଭଳି ସ୍ଥିତିରେ ଗୁଜରାଟ ବିଧାନସଭାରେ ବିଧାୟକଙ୍କ ସଂଖ୍ୟା ୧୮୨ରୁ କମି ୧୭୬ ହୋଇଯାଇଛି । ଏଭଳି ସ୍ଥିତିରେ ରାଜ୍ୟସଭା ନିର୍ବାଚନରେ ଜିତିବା ପାଇଁ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ୪୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ବାଘେଲାଙ୍କ ଇସ୍ତଫା ପୂର୍ବରୁ କଂଗ୍ରେସରେ ସବୁ ଠିକ୍ ଠାକ୍ ଥିଲା । କିନ୍ତୁ ବାଘେଲାଙ୍କ ଇସ୍ତଫା ଓ ପରେ ପରେ ୬ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଦଳକୁ ଅଡୁଆରେ ପକାଇଦେଇଛି ।