ରାଜ୍ୟସଭା ରେସ୍ : କିଏ ନେବ ପ୍ୟାରୀ, ବୈଷ୍ଣବ ଓ ଭୁପିନ୍ଦରଙ୍କ ସ୍ଥାନ

58

ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ୧୫ଟି ରାଜ୍ୟର ୫୭ଟି ଆସନଙ୍କ ପାଇଁ ହେବ ନିର୍ବାଚନ । ଏନେଇ ବିଧିବଧ ଭାବେ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିସନ । ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ, ମଧ୍ୟପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ଓଡିଶା, ମହାରାଷ୍ଟ୍ର, ପଂଜାବ, ରାଜସ୍ଥାନ, ଉତରପ୍ରଦେଶ, ଉତରାଖଣ୍ଡ, ବିହାର, ଝାଡଖଣ୍ଡ ଓ ହରିଆଣାରେ ହେବ ନିର୍ବାଚନ। ଓଡିଶାର ୩ଟି ଆସନ ପାଇଁ ଭୋଟ ଗ୍ରହଣ ହେବ । ରାଜ୍ୟସଭା ଆସନ ପାଇଁ ୨୪ ମେ’ରେ ବିଜ୍ଞପ୍ତି ପ୍ରକାଶ କରିବେ ନିର୍ବାଚନ କମିସନର । ୩୧ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିବେ । ଜୁନ୍ ପହିଲାରେ ପ୍ରାର୍ଥୀପତ୍ର ଯାଂଚ ହେବ । ଜୁନ୍ ୩ ତାରିଖ ସୁଦ୍ଧା ପ୍ରାର୍ଥୀ ପ୍ରତ୍ୟାହାର କରିପାରିବେ । ଜୁନ୍ ୧୧ଟାରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରାଯିବ । ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ଭୋଟ ଗ୍ରହଣ ହେବ । ସଂଧ୍ୟା ୫ଟାରୁ ଭୋଟ ଗଣତି କରାଯିବ । ଜୁନ୍ ୧୩ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ କରିବା ପାଇଁ ନିର୍ବଚନ କମିଶନ ନିର୍ଦେଶ ଦେଇଛନ୍ତି । ସେପଟେ ଜୁଲାଇ ପହିଲାରେ ଓଡିଶାର ୩ ଜଣ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବ ।

ପ୍ୟାରୀମୋହନ ମହାପାତ୍ର, ଓଜେଏମ ଅଧ୍ୟକ୍ଷ । ବୈଷ୍ଣବ ପରିଡା, ବିଜେଡି ସାଂସଦ । ଭୁପିନ୍ଦର ସିଂ, ବିଜେଡି ସାଂସଦ । ୧ ଜୁଲାଇ ୨୦୧୬ରେ ଏମାନଙ୍କ ରାଜ୍ୟସଭା କାର୍ଯ୍ୟକାଳ ସରୁଛି । ଆଉ ନିର୍ବାଚନ ନେଇ ବିଜ୍ଞପ୍ତି ଜାରି ହେବା ପରେ ଆରମ୍ଭ ହୋଇଛି ରାଜନୈତିକ ଅଙ୍କକଷା । ଏମାନଙ୍କ ସ୍ଥାନରେ କିଏ ପାଇବ ଅପର ହାଉସ ଟିକେଟ । ବିଜେଡିରେ ଆରମ୍ଭ ହେଲା ଛକାପଂଝା ରାଜନୀତି । ସଂଖ୍ୟା ଦୃଷ୍ଟିରୁ ଦେଖିଲେ ବିଜେଡି ତିନୋଟି ଯାକ ସିଟ ଦଖଲ କରିବା ପକ୍କା । ଯଦିଓ ଏହି ନିର୍ବାଚନ ବିରୋଧୀଙ୍କ ପାଇଁ ସେତେ ଗୁରୁତ୍ୱ ବହନ କରୁନି, କିନ୍ତୁ ବିଜେଡିର କିଛି ନେତା ଓ କାର୍ଯ୍ୟକାଳ ସରୁଥିବା ସଦସ୍ୟଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ । ୨୦୧୦ରେ ବିଜେଡି ଟିକେଟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ପ୍ୟାରୀ ଓ ବୈଷ୍ଣବ । ଆବଶ୍ୟକୀୟ ସଂଖ୍ୟା ନଥାଇ ବି ରାଜ୍ୟସଭା ନିର୍ବାଚନରେ ତିନୋଟି ଯାକ ସିଟ ଦଖଲ କରିବାରେ ବିଜେଡି ସମର୍ଥ ହୋଇଥିଲା । ପ୍ୟାରୀ ସାଜିଥିଲେ ଚାଣକ୍ୟ । ଆଉ ହାରିବା ବାଜି ଜିତିଥିଲେ ବୈଷ୍ଣବ । ହେଲେ ଏବେ ସ୍ଥିତି ବଦଳିଛି । ମେ ୨୯ ବହୁ ଚର୍ଚ୍ଚିତ ମିଡ ନାଇଟ ଅପରେସନ ପରେ ଦଳରୁ ନିଲମ୍ବିତ ହୋଇଥିଲେ ପ୍ୟାରୀ । ସ୍ୱାଧୀନ ସଦସ୍ୟ ଭାବେ ସେ ରାଜ୍ୟସଭା କାର୍ଯ୍ୟକାଳ ପୂରଣ କରିବାକୁ ଯାଉଛନ୍ତି । ସେପଟେ ବୈଷ୍ଣବ ପରିଡା ମଧ୍ୟ ମଝି ଦରିଆରେ ଫସିଛନ୍ତି । ଓଡିଆ ଭାଷା କାର୍ଯ୍ୟକାରୀ କରିବାକୁ ନେଇ ନବୀନଙ୍କୁ ବାରମ୍ବାର ସମାଲୋଚନା କରି ଆସୁଛନ୍ତି ବୈଷ୍ଣବ । ଉଭୟ ପ୍ୟାରୀ ଓ ବୈଷ୍ଣବଙ୍କ ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ ହେବ ଏହି ନିର୍ବାଚନରୁ । ବିଜେଡିରୁ ଅଲଗା ହେବା ପରେ ଓଡିଶା ଜନମୋର୍ଚ୍ଚା ଗଠନ କରି ରାଜନୈତିକ ମୈଦାନରେ ଶକ୍ତି ପ୍ରଦର୍ଶନ କରିବାକୁ ଓହ୍ଲାଇଲେ ପ୍ୟାରୀ । ହେଲେ ୨୦୧୪ନ ନିର୍ବାଚନରେ ଗଣିତ ଭୁଲ ହେଲା । ସେପଟେ ବୈଷ୍ଣବ ପରିଡା ଏବେ ଦୋଛକିରେ । କାର୍ଯ୍ୟକାଳ ସରୁଛି, ହେଲେ ପୁଣି ଟିକେଟ ପାଇବା ଆଶା ବହୁତ କମ ।

ତେବେ ସବୁଠାରୁ ଅଧିକ ନଜର ରହିବ ଭୁପିନ୍ଦର ସିଂଙ୍କ ଉପରେ । ବିରୋଧୀ ଦଳ ନେତା ପଦରେ ଥାଇ ସରକାରଙ୍କୁ ସମାଲୋଚନା କରି ଥକିଯିବା ପରେ ଆସି ବିଜେଡିରେ ସାମିଲ ହେଲେ । ଆଉ ରାଜ୍ୟସଭା ଟିକେଟ ପାଇ ସଂସଦକୁ ଗଲେ । ପ୍ୟାରୀ, ବୈଷ୍ଣବଙ୍କ ସହ ଶଶୀଭୂଷଣ ସେହି ସମୟରେ ଯାଇଥିଲେ ରାଜ୍ୟସଭା । ହେଲେ ୨୦୧୪ରେ ନବୀନ ଶଶୀଙ୍କୁ ଦେଲେ ବିଧାନସଭା ଟିକେଟ । ଭୁବନେଶ୍ୱର ଜୟଦେବ ଆସନରୁ ଶଶୀ ବେହେରା ଆସିଲେ ବିଧାନସଭା । ଆଉ ଶଶୀଙ୍କ ସ୍ଥାନରେ ରାଜ୍ୟସଭା ଗଲେ ଭୁପିନ୍ଦର । ତେବେ ନବୀନ କାହାକୁ ଦେବେ ରାଜ୍ୟସଭା ଟିକେଟ । ବିଜେଡିରେ ରାଜନୈତିକ ଅଙ୍କକଷା ଆରମ୍ଭ ହେଲାଣି । ଆଶାୟୀଙ୍କ ସଂଖ୍ୟା ଅଧିକ । ଆଉ ସିଟ ସଂଖ୍ୟା କମ । ଆଉ ଏହା ଭିତରେ ନଜର ଏଥର ନବୀନ କି ଚକମା ଦେଖାଉଛନ୍ତି ।